Categories: ଖେଳ

ରେସ୍‌ଲିଂ ବିଶ୍ୱ ଚାମ୍ପିୟନଶିପ୍‌: ଭିନେଶ୍‌ଙ୍କ ଟାଇଟଲ୍‌ ଆଶା ମଉଳିଲା

ନୁର୍‌-ସୁଲତାନ (କାଜାଖସ୍ତାନ), ୧୭।୯ (ପି.ଟି.)- ଏଠାରେ ଚାଲିଥିବା ରେସ୍‌ଲିଂ ବିଶ୍ୱ ଚାମ୍ପିୟନଶିପ୍‌ରେ ଷ୍ଟାର୍‌ ଭାରତୀୟ ମହିଳା ରେସ୍‌ଲର ଭିନେଶ ଫୋଗତଙ୍କ ଟାଇଟଲ୍‌ ଜିତିବା ଆଶା ମଉଳି ଯାଇଛି। ମଙ୍ଗଳବାର ଅନୁଷ୍ଠିତ ମହିଳା ୫୩ କିଗ୍ରା ବିଭାଗର ଏକ ବାଉଟ୍‌ରେ ଫୋଗତ୍‌ ଡିଫେଣ୍ଡିଂ ଚାମ୍ପିୟନ ଜାପାନର ମାୟୁ ମୁକାଇଡାଙ୍କ ନିକଟରୁ ହାରି ଯାଇଛନ୍ତି। ଚଳିତ ସିଜନରେ ଜାପାନର ମାୟୁଙ୍କ ବିପକ୍ଷରେ ଫୋଗତ୍‌ଙ୍କ ଏହା ଲଗାତର ୨ୟ ପରାଜୟ। ଏଥିପୂର୍ବରୁ ଚାଇନାରେ ଅନୁଷ୍ଠିତ ଏସିଆନ ଚାମ୍ପିୟନଶିପ୍‌ରେ ମାୟୁଙ୍କ ନିକଟରୁ ତାଙ୍କୁ ପରାଜୟର ସାମ୍ନା କରିବାକୁ ପଡ଼ିଥିଲା। ପରାଜୟ ସତ୍ତ୍ୱେ ରାଜ୍ୟଗୋଷ୍ଠୀ ଓ ଏସିଆନ ଗେମ୍ସ ଟାଇଟଲ୍‌ ବିଜୟିନୀ ୨୫ ବର୍ଷୀୟା ଫୋଗତ୍‌ଙ୍କ ପଦକ ଆଶା ଉଜ୍ଜିବୀତ ରହିଛି। ସେମିଫାଇନାଲରେ ପ୍ରବେଶ କରିଥିବା ମାୟୁ ଯଦି ଫାଇନାଲ ଟିକେଟ୍‌ ହାସଲ କରନ୍ତି ତେବେ ଭିନେଶ ରିପେଜ ରାଉଣ୍ଡ ଜରିଆରେ ବ୍ରୋଞ୍ଜ ପଦକ ସହ ୨୦୨୦ ଟୋକିଓ ଅଲିମ୍ପିକ୍ସ ପାଇଁ ଯୋଗ୍ୟତା ହାସଲର କରିବାର ସୁଯୋଗ ପାଇବେ। ସେହିଭଳି ମହିଳା ୫୦ କିଗ୍ରା ବିଭାଗର ଏକ ବାଉଟ୍‌ରେ ସୀମା ବିସଲା ପ୍ରି-କ୍ୱାର୍ଟରରେ ୨-୯ରେ ୩ଥର ଅଲିମ୍ପିକ ପଦକ ବିଜୟିନୀ ମାରିୟା ଷ୍ଟାଡ୍‌ନିକଙ୍କ ନିକଟରୁ ହାରିଯାଇଛନ୍ତି। ସୀମାଙ୍କ ନିକଟରେ ମଧ୍ୟ ବ୍ରୋଞ୍ଜ ପଦକ ଜିତିବାର ସୁଯୋଗ ରହିଛି।

Share