ରୁପା, ଷ୍ଟୋନ୍‌ ରାଖୀର ଚାହିଦା ବେଶି

କଟକ ଅଫିସ,୨।୮: ଭାଇ ଭଉଣୀଙ୍କର ସ୍ନେହ ସମ୍ପର୍କ ଓ ଭଲ ପାଇବାର ପର୍ବ ରାଖୀପୂର୍ଣ୍ଣିମା। ଭାଇ ହାତରେ ଭଉଣୀ ରାଖୀ ବାନ୍ଧି ଶୁଭମନାସୀ ଥାଏ ଓ ଭଉଣୀକୁ ସୁରକ୍ଷା ଦେବାକୁ ଭାଇ ପ୍ରତିଶ୍ରୁତି ଦିଏ। ଆମ ସଂସ୍କୃତି ଓ ପରମ୍ପରାର ବାର୍ତ୍ତା ବହନ କରିଥାଏ ଏହି ରାଖୀ। କେବଳ ଭାଇ ଭଉଣୀ ନୁହେଁ ଅନେକଙ୍କୁ ସମ୍ପର୍କର ସୂତାଖିଅ ମାଧ୍ୟମରେ ଯୋଡ଼ିିଥାଏ ରାଖୀ। ରାଖୀପୂର୍ଣ୍ଣିମା ଅଳ୍ପ କିଛି ଦିନ ବାକି ଥିବାବେଳେ କଟକ ସହରରେ ଏବେଠୁ ଜମିଲାଣି ରାଖୀ ବେପାର। ଚୌଧୁରୀ ବଜାର, ବକ୍ସି ବଜାର, ରାଣୀହାଟ, ଦୋଳମୁଣ୍ଡାଇ, କଲେଜ ଛକ ଆଦି ସହରର ବିଭିନ୍ନ ସ୍ଥାନରେ ଖୋଲିଛି ରାଖୀର ପସରା। ଭଳିକିଭଳି ବିିଭିନ୍ନ ଡିଜାଇନର ରାଖୀ କିଣିବାକୁ ଗ୍ରାହକଙ୍କ ଭିଡ଼ ମଧ୍ୟ ଲାଗୁଛି। ଚଳିତବର୍ଷ ବଜାରରେ ପ୍ରାୟ ୨୦୦ରୁ ଊର୍ଦ୍ଧ୍ୱ ଭେରାଇଟିର ରାଖୀ ମିଳୁଛି। ନାମ ଯେମିତି ଦାମ୍‌ ବି ସେମିତି। ବ୍ୟବସାୟୀମାନେ ମଧ୍ୟ ଗ୍ରାହକମାନଙ୍କ ମନ ଜିଣିବା ଭଳି ରାଖୀ ଆଣି ଷ୍ଟଲ୍‌ରେ ସଜାଇଛନ୍ତି।
ଚଳିତବର୍ଷ ଷ୍ଟୋନ ରାଖୀ ସମସ୍ତଙ୍କ ଦୃଷ୍ଟିର କେନ୍ଦ୍ରବିନ୍ଦୁ ପାଲଟିଛି। କଲେଜ ଛାତ୍ରୀ, ମହିଳା ଓ ଯୁବତୀମାନଙ୍କର ପ୍ରଥମ ପସନ୍ଦ ଷ୍ଟୋନ ରାଖୀ ବୋଲି ବ୍ୟବସାୟୀ ମତ ଦେଇଛନ୍ତି। କଟକକୁ ସାଧାରଣତଃ କୋଲକାତା, ଦିଲ୍ଲୀ ଓ ଜଟଣୀରୁ ରାଖୀ ଆସିଥାଏ। ସିଲଭର ସିଟି ଭାବେ ପରିଚିତ କଟକରେ ରୁପା ରାଖୀର ଚାହିଦା ବେଶ୍‌ ଅଧିକ ରହିଛି। ଛୋଟ ପିଲାଙ୍କର ଟେଡି ବିୟର, ମୋଟୁ ପତଲୁ ଓ ପୋକମ୍ୟାନ ରାଖୀ ମଧ୍ୟ ବିକ୍ରି ହେଉଛି। ସେହିପରି ରେଶମ ରାଖୀ ସହ ବୁଟି ରାଖୀ, ମାଳି ରାଖୀ ମଧ୍ୟ ଉପଲବ୍ଧ ରହିଛି। ସର୍ବନିମ୍ନ ୨ଟଙ୍କାରୁ ଆରମ୍ଭ କରି ସର୍ବାଧିକ ୫୦୦୦ ଟଙ୍କା ପର୍ଯ୍ୟନ୍ତ ମୂଲ୍ୟର ରାଖୀ ମିଳୁଛି। କେବଳ କଟକ ସହର ନୁହେଁ ରାଜ୍ୟର ବିଭିନ୍ନ ସ୍ଥାନରୁ ବ୍ୟବସାୟୀ ଏଠାକୁ ଆସି ରାଖୀ କ୍ରୟ କରୁଥିବା ଦେଖିବାକୁ ମିଳିଛି। ଚୌଧୁରୀ ବଜାର ରାଖୀ ବ୍ୟବସାୟର ପେଣ୍ଠ ହୋଇଥିବାରୁ ଏଠାରେ ବେପାର ବେଶ୍‌ ଜମିବାରେ ଲାଗିଛି।