ନିଜକୁ ଡାକ୍ତର ପରିଚୟ ଦେଇ ବ୍ୟାଙ୍କରୁ ଉଠାଉଥିଲେ ଋଣ, ବନ୍ଧାହେଲେ ଯୁବକ

କଟକ,୨୦ା୧(କାର୍ତ୍ତିକ ସାହୁ): ନକଲି କାଗଜପତ୍ର ଦ୍ୱାରା ବ୍ୟାଙ୍କରୁ ଋଣ ଉଠାଇ ଅର୍ଥ ଆତ୍ମସାତ୍‌ କରୁଥିବା ଜଣେ ଯୁବକଙ୍କୁ ସଦର ଥାନା ପୋଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ନିଜକୁ ଡାକ୍ତର ବୋଲି ପରିଚୟ ଦେଇ ବ୍ୟାଙ୍କ ଅଧିକାରୀଙ୍କ ନିକଟତର ହୋଇଥିଲେ। ଆଉ ଲକ୍ଷ ଲକ୍ଷ ଟଙ୍କା ଋଣ ଉଠାଇବାରେ ସକ୍ଷମ ହେଉଥିଲେ। ଏହି ଅଭିଯୁକ୍ତ ଜଣକ ହେଲେ ଗୋପାଳପୁର ପାଇକସାହିର ଶ୍ରୀଧର ରାଉତ(୨୯)। ଅଭିଯୁକ୍ତଙ୍କ ନିକଟରୁ ବହୁ ସାମଗ୍ରୀ ପୋଲିସ ଜବତ କରିଛି। ତନ୍ମଧ୍ୟରେ ନକଲି ଆଧାର କାର୍ଡ, ପାନ କାର୍ଡ, ବିଭିନ୍ନ ହସ୍‌ପିଟାଲର ରବର ଷ୍ଟାମ୍ପ, ପାସ୍‌ ବୁକ୍‌, ଚେକ, ଷ୍ଟେଥୋ, ସାଲାରି ସ୍ଲିପ୍‌, ମୋଟର ସାଇକେଲ ଓ ମୋବାଇଲ୍‌ ଫୋନ୍‌ ଆଦି ଜବତ ହୋଇଛି। ଏନେଇ ସଦର ଥାନାରେ କେସ୍‌ ନଂ ୫୦/୨୦୨୪ ରୁଜୁ ହୋଇଛି।
ସୂଚନାନୁସାରେ, ୟୁକୋ ବ୍ୟାଙ୍କ ଫୁଲନଖରା ଶାଖାରୁ ଋଣ ଉଠାଇବା ନିମନ୍ତେ ଅଭିଯୁକ୍ତ ଜଣକ ଉଦ୍ୟମ କରିଥିଲେ। ସେ ନିଜକୁ ସନ୍ଦୀପ ନାମରେ ପରିଚୟ ଦେଇ ସମ୍ପୃକ୍ତ ବ୍ୟାଙ୍କ ଶାଖାକୁ ବହୁବାର ଆସିଥିଲେ। ନିଜର ଏକ ଓଜନଦାର ଭାବମୂର୍ତ୍ତି ସୃଷ୍ଟି କରିବା ପାଇଁ ନିଜକୁ ଡାକ୍ତର ଭାବେ ପରିଚୟ ଦେବା ସହ ବ୍ୟାଙ୍କରେ ସୁସମ୍ପର୍କ ସ୍ଥାପନ କରିପାରିଥିଲେ। ସେ ଏକ ବ୍ୟକ୍ତିଗତ ଋଣ ନେବା ନିମନ୍ତେ ଆବଶ୍ୟକ କାଗଜପତ୍ର ଦାଖଲ କରି ଶାଖାରେ ଆବେଦନ କରିଥିଲେ। ମାତ୍ର କାଗଜପତ୍ରଗୁଡ଼ିକୁ ଯାଞ୍ଚ କରିବା ସେଗୁଡ଼ିକ ନକଲି ବୋଲି ଜଣାପଡ଼ିଥିଲା। ବ୍ୟାଙ୍କ ଶାଖା ପରିଚାଳକ ଅବିନାଶ ସେଠୀ ଏନେଇ ଗତ ୧୯ ତାରିଖ ଦିନ ଥାନାରେ ଏତଲା ଦେଇଥିଲେ। ପୋଲିସ ତଦନ୍ତ ପରେ ସଂପୃକ୍ତ ଯୁବକ ସନ୍ଦୀପ ନୁହେଁ ଶ୍ରୀଧର ରାଉତ ବୋଲି ପୋଲିସ ଜାଣିବାକୁ ପାଇଥିଲା।