ବନ୍ଧୁକ ଦେଖାଇ ନେଇଯାଇଥିଲେ ଦେଢକୋଟିରୁ ଅଧିକ ଟଙ୍କା: ଏବେ ଧରାପଡିଲେ…

କଟକ,୧୩।୨(କାର୍ତ୍ତିକ ସାହୁ): ତିଗିରିଆଠାରେ ଘଟିଥିବା ଷ୍ଟେଟ ବ୍ୟାଙ୍କ ଏଟିଏମ୍‌ ଭ୍ୟାନ୍‌ ଲୁଟ୍‌ ମାମଲାରେ କଟକ ଗ୍ରାମାଞ୍ଚଳ ପୋଲିସ ୭ ଜଣଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନଙ୍କଠାରୁ ନଗଦ ୬୪,୪୫,୪୦୦ଟଙ୍କା, ୬ଟି ମୋବାଇଲ୍‌ ଫୋନ୍‌, ୩ଟି ଛୁରି ଓ ଗୋଟିଏ ଖେଳଣା ପିସ୍ତଲ ଜବତ କରାଯାଇଛି। ଅଭିଯୁକ୍ତମାନେ ହେଲେ ତିଗିରିଆ ଥାନା ପଙ୍କଳ ଗ୍ରାମର କଲିମ ଖାନ୍‌ ଓରଫ ଜଗୁ ଓରଫ ସୁକୁଟା(୨୯), ରୋହଣ ଖାନ ଓରଫ ଡକ୍ଟର ଓରଫ ବାୟା(୨୮), ସାହିଦ୍‌ ଖାନ୍‌(୨୦), ଆଜିମୁଦ୍ଦିନ ଖାନ ଓରଫ ସୁରଜ ଓରଫ ଡନ୍‌, ପଣସ ପଡ଼ିଆର ସେକ୍‌ ସଲିଲ ଓରଫ ଅମଣ(୨୩), ମହମ୍ମଦ ନସରୁଲ୍ଲା ଓରଫ ପୁପୁନ୍‌(୩୩) ଏବଂ ନୂଆପାଟଣା ଗହମରସାହିର ଦୀପୁରଞ୍ଜନ ସେଠୀ ଓରଫ ଛୋଟା(୩୦)।
ସୂଚନା ଅନୁସାରେ, ୨୦୨୩ ନଭେମ୍ବର ୧୦ରେ ସିକ୍ୟୁର ଭାଲ୍ୟୁ କେସ୍‌ ମ୍ୟାନେ୍‌ଜମେଂଟ କମ୍ପାନିର କର୍ମଚାରୀମାନେ ୧,୬୭,୦୦୦,୦୦ ନଗଦ ଟଙ୍କା ଭ୍ୟାନ୍‌ (ଓଡି-0୨-ଏକ୍ସ-୬୭୪୬)ରେ ଲୋଡ୍‌ କରି ତିଗିରିଆରୁ କଟକ ଆସୁଥିଲେ। ଏ ସମସ୍ତ ଟଙ୍କା ତିଗିରିଆ ଅଂଚଳର ବିଭିନ୍ନ ଷ୍ଟେଟବ୍ୟାଙ୍କ ଏଟିଏମ୍‌ରୁ ଅଣାଯାଇଥିଲା। କର୍ମଚାରୀମାନେ ଟଙ୍କା ନେଇ ଆସୁଥିବା ବେଳେ ନୂଆସଡ଼କ-କଳାରଗଡ଼ା ରୋଡ୍‌ର ପୁରୁଣା ରାଇସ୍‌ ମିଲ୍‌ ନିକଟରେ ଅପରାହ୍ଣ ପ୍ରାୟ ୨ଟା ସମୟରେ ଏକ ଡକାୟତ ଦଳ ଭ୍ୟାନ୍‌କୁ ଅଟକାଇଥିଲେ। ସେମାନେ କର୍ମଚାରୀମାନଙ୍କୁ ପିସ୍ତଲ ଓ ଛୁରି ମୁନରେ ଭୟଭୀତ କରି ଟଙ୍କା ଡକାୟତି କରିଥିଲେ। ତତ୍‌ପରେ ସେମାନେ ଘଟଣାସ୍ଥଳରୁ ଏକ ସ୍କର୍ପିଓ ଏବଂ ୨ଟି ମୋଟର ସାଇକେଲରେ ଖସି ପଳାଇବାରେ ସକ୍ଷମ ହୋଇଥିଲେ। ଏନେଇ ତିଗିରିଆ ଥାନାରେ କେସ୍‌ ନଂ ୨୨୬/୨୦୨୩ ରୁଜୁ ହୋଇଥିଲା। ଡିଏସ୍‌ପି ଅଶ୍ୱିନୀ କୁମାର ସାହୁଙ୍କ ନେତୃତ୍ୱରେ ଏକ ସ୍ବତନ୍ତ୍ର ଦଳ ଗଠନ କରି ମାମଲା ତଦନ୍ତ କରାଯାଇଥିଲା। ଘଟଣାର ଗମ୍ଭୀରତାକୁ ଦେଖି କଟକ ଗ୍ରାମାଞ୍ଚଳ ଏସ୍‌ପି ମିହିର କୁମାର ପଣ୍ଡା ତଦନ୍ତକୁ ସିଧାସଳଖ ତଦାରଖ କରିଥିଲେ। ଏଥିସହ ଅତିରିକ୍ତ ଏସ୍‌ପି ଦେବଦତ ବରାଳ କ୍ରମାଗତ ଭାବେ ମାମଲାର ତଦନ୍ତକୁ ମଧ୍ୟ ତଦାରଖ କରୁଥିଲେ। ତେବେ ତଦନ୍ତ ଚାଲୁ ରହିଛି। ଏହି ମାମଲାରେ ଆଉ କେଉଁମାନେ ସାମିଲ ଅଛନ୍ତି ତାହା ତଦନ୍ତ ପରିସରଭୁକ୍ତ ରହିଛି। ଆଗାମୀ ଦିନରେ ଅଭିଯୁକ୍ତମାନଙ୍କ ଗିରଫଦାରି ଆହୁରି ବଢ଼ିବ ବୋଲି ଏସ୍‌ପି ପଣ୍ଡା ସୂଚନା ଦେଇଛନ୍ତି।