Categories: ଖେଳ

ରିଦ୍ଧିମାନ ଆହତ: କିପିଂ କଲେ ପନ୍ତ

ରାଞ୍ଚି,୨୨।୧୦(ପି.ଟି.)- ଚଳିତ ତୃତୀୟ ଟେଷ୍ଟରେ ଦକ୍ଷିଣ ଆଫ୍ରିକାର ଦ୍ୱିତୀୟ ଇନିଂସ ଅବସରରେ ଭାରତୀୟ ଉଇକେଟକିପର ରିଦ୍ଧିମାନ ଶାହା ବାମହାତ ବୁଢ଼ା ଆଙ୍ଗୁଠିରେ ଆଘାତ ପାଇଛନ୍ତି। ତୃତୀୟ ଦିନରେ ସେ ଆହତ ହେବା ପରେ ଅନ୍ତିମ ସେସନରେ ରିଷଭ ପନ୍ତ ତାଙ୍କ ବଦଳରେ ଉଇକେଟ କିପିଂ କରିଥିଲେ। ଇନିଂସର ୨୭ତମ ଓଭରରେ ଅଫ୍‌ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନଙ୍କ ବଲ୍‌କୁ କିପିଂ କରିବା ଅବସରରେ ସେ ଆଘାତ ପାଇଥିଲେ। ଜର୍ଜ ଲିଣ୍ଡ ବଲ୍‌ କଟ୍‌ କରିବାକୁ ପ୍ରୟାସ କରିଥିଲେ। ତେବେ ସେ ବଲ୍‌ ମିସ୍‌ କରିବାରୁ ରିଦ୍ଧିମାନଙ୍କ ବାମ ବୁଢ଼ା ଆଙ୍ଗୁଠିରେ ବାଜିଥିଲା। ଫିଜିଓ ନିତିନ ପଟେଲ ତାଙ୍କୁ ଡ୍ରେସିଂ ରୁମ୍‌କୁ ନେଇଯାଇଥିଲେ। ୨୦୧୭ରେ ଅନ୍ତର୍ଜାତୀୟ କ୍ରିକେଟ କାଉନସିଲ (ଆଇସିସି) ନିୟମ ଲାଗୁ ହେବା ପରେ ପନ୍ତ ଭାରତର ଦ୍ୱିତୀୟ ବଦଳ ଉଇକେଟକିପର ସାବ୍ୟସ୍ତ ହୋଇଛନ୍ତି। ପୂର୍ବରୁ ୨୦୧୮ ଜାନୁୟାରୀରେ ଖେଳାଯାଇଥିବା ଜୋହାନ୍ସବର୍ଗ ଟେଷ୍ଟରେ ପାର୍ଥତ୍ବ ପଟେଲ ବଦଳରେ ଦୀନେଶ କାର୍ତ୍ତିକ କିପିଂ କରିଥିଲେ ଓ କାର୍ତ୍ତିକ ଭାରତର ପ୍ରଥମ ବଦଳ ଉଇକେଟକିପର ସାବ୍ୟସ୍ତ ହୋଇଥିଲେ। ପୂର୍ବରୁ ମଧ୍ୟ ସେ ଆଘାତ ସମସ୍ୟା କାରଣରୁ କାନ୍ଧରେ ଅସ୍ତ୍ରୋପଚାର କରାଇଥିଲେ ଓ ୨୦ମାସ କ୍ରିକେଟରୁ ଦୂରେଇ ରହିଥିଲେ।

Share