Categories: ଖେଳ

ରାୟୁଡୁଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବନି: ବିସିସିଆଇ

ନୂଆଦିଲ୍ଲୀ, ୧୮।୪(ପି.ଟି.)-  ବିଶ୍ୱକପ୍‌ ଦଳରେ ସ୍ଥାନ ନ ପାଇବା ପରେ ମିଡଲ ଅର୍ଡର ବ୍ୟାଟ୍ସମ୍ୟାନ ଅମ୍ବାତି ରାୟୁଡୁ ଟୁଇଟ୍‌ କରି ପରୋକ୍ଷରେ ଚୟନକର୍ତ୍ତାକୁ କଟୁ ସମାଲୋଚନା କରିଥିଲେ। ତେବେ ଏଥିପାଇଁ ରାୟୁଡୁଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ ବୋଲି ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ତରଫରୁ କୁହାଯାଇଛି। ତାଙ୍କୁ ବାସନ୍ଦ କରିବାର କୌଣସି ଯୋଜନା ନାହିଁ ବୋଲି ବୋର୍ଡ କହିଛି। ରାୟୁଡୁଙ୍କୁ ପଛରେ ପକାଇ ଚୟନକର୍ତ୍ତାମାନେ ଅଲରାଉଣ୍ଡର ବିଜୟ ଶଙ୍କରଙ୍କୁ ଦଳରେ ସାମିଲ କରିଥିଲେ। ଫଳରେ ଏଥିରେ ଅସନ୍ତୋଷ ଜାହିର କରି ରାୟୁଡୁ ୩ଡି ଚଷମାରେ ଏଥର ବିଶ୍ୱକପ୍‌ ଦେଖିବି ବୋଲି ପରିହାସ କରି ଟୁଇଟ୍‌ କରିଥିଲେ। ମୁଖ୍ୟ ଚୟନକର୍ତ୍ତା ଏମ୍‌.ଏସ୍‌.କେ. ପ୍ରସାଦ ଶଙ୍କର ଚୟନକୁ ଯଥାର୍ଥ ବୋଲି କହିଥିଲେ ଓ ତାଙ୍କ ପାଖରେ ଥ୍ରି- ଡାଇମେନସନାଲ କ୍ୱାଲିଟି ଅର୍ଥାତ୍‌ ବୋଲିଂ, ବ୍ୟାଟିଂ ଓ ଫିଲ୍ଡିଂରେ ପାରଦର୍ଶିତା ରହିଛି ବୋଲି କହିଥିଲେ। ଖାସ୍‌ ଏଥିପାଇଁ ସେ ଏହି ଚସମା ବ୍ୟବହାର କରିବେ ବୋଲି କହିଥିଲେ। ରାୟୁଡୁଙ୍କ ଟୁଇଟ୍‌ ସମ୍ପର୍କରେ ଆମେ ଅବଗତ ଅଛୁ ବୋଲି ବୋର୍ଡ ତରଫରୁ କୁହାଯାଇଛି। ତେବେ ସେ ସଧାସଳଖ ଚୟନକର୍ତ୍ତାଙ୍କୁ ସମାଲୋଚନା କରିନାହାନ୍ତି ଓ ଏବେ ବିଶ୍ୱକପ୍‌ ଯୋଗୁ ପରିସ୍ଥିତ ବେଶ୍‌ ଉଷ୍ଣ ରହିଛି। ତେଣୁ ଭାବପ୍ରବଣତାକୁ ଆମେ ସମ୍ମାନ ଦେଉଛୁ ବୋଲି ବୋର୍ଡ କହିଛନ୍ତି। ଅବଶ୍ୟ ରାୟୁଡୁଙ୍କ ସମେତ ରିଷଭ ପନ୍ତ, ନୀତିନ ସଇନୀଙ୍କୁ ବିଶ୍ୱକପ୍‌ ଦଳରେ ଷ୍ଟାଣ୍ଡ ବାଇ ଖେଳାଳିଭାବେ ପରେ ସାମିଲ କରାଯାଇଛି। ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ରାୟୁଡୁ ବିଫଳ ହୋଇଥିଲେ। ଫଳରେ ବିଶ୍ୱକପ୍‌ ଦଳରେ ତାଙ୍କୁ ସ୍ଥାନ ମିଳି ନ ଥିଲା। ରାୟୁଡୁଙ୍କ ଏହି ଟୁଇଟ୍‌କୁ ଏପର୍ଯ୍ୟନ୍ତ ୭୬,୦୦୦ ଲାଇକ ଓ ୧୨,୦୦୦ ଟିଟୁଇଟ୍‌ କରାଯାଇଛି।

Share