Categories: ଖେଳ

ରାଜ୍ୟ ସ୍କୁଲ୍ସ ଓପନ୍‌ ଚେସ୍‌: ହର୍ଷିତଙ୍କୁ ଟାଇଟଲ୍‌

ଭୁବନେଶ୍ୱର, ୨୫।୧୧ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା ସେକ୍ରେଟାରୀଏଟ ରିକ୍ରେସନ କ୍ଲବ ଆନୁକୂଲ୍ୟରେ ଅନୁଷ୍ଠିତ ରାଜ୍ୟ ସ୍କୁଲ୍ସ ଓପନ୍‌ ଚେସ୍‌ ଚାମ୍ପିୟନଶିପ୍‌ ରବିବାର ଉଦ୍‌ଯାପିତ ହୋଇଯାଇଛି। ୭ ରାଉଣ୍ଡ ବିଶିଷ୍ଟ ଓପନ୍‌ ବର୍ଗରେ କଟକ ପୁରୁଣା ଷ୍ଟିଓ୍ବାର୍ଟ ସ୍କୁଲର ହର୍ଷିତ ସାହୁ ୭ ପଏଣ୍ଟ ସହ ଚାମ୍ପିୟନ ହୋଇଛନ୍ତି। ସେହିଭଳି ଭୁବନେଶ୍ୱର ଷ୍ଟିଓ୍ବାର୍ଟ ସ୍କୁଲର ତନ୍ମୟ ତ୍ରିପାଠୀ (୬.୫) ଓ କେନ୍ଦ୍ରୀୟ ବିଦ୍ୟାଳୟ ନଂ-୧ର ତ୍ରିଦେବ ତୀର୍ଥଙ୍କର (୬.୦) ଯଥାକ୍ରମେ ଦ୍ୱିତୀୟ ଓ ୩ୟ ସ୍ଥାନ ହାସଲ କରିଥିଲେ। ସେହିଭଳି ୭ ବର୍ଷରୁ କମ୍‌ ବାଳକ ବର୍ଗରେ ପ୍ରତୀକ ରାଉତ ଚାମ୍ପିୟନ ଓ ସ୍ମୃତିରଞ୍ଜନ ସାହୁ ରନର୍ସଅପ୍‌ ହୋଇଥିଲେ। ୭ ବର୍ଷରୁ କମ୍‌ ବାଳିକାରେ ଭୂମିଜା ଦେ ପ୍ରଥମ ସ୍ଥାନ ହାସଲ କରିଥିଲେ। ୯ ବର୍ଷରୁ କମ୍‌ ବାଳକରେ ଆଶୁତୋଷ ବରାଳ ଓ ସୌମ୍ୟରଞ୍ଜନ ସାହୁ, ବାଳିକାରେ ଲକ୍ଷ୍ମୀପ୍ରିୟା ଦାସ ଓ ତମନ୍ନା ତ୍ରିପାଠୀ, ୧୧ ବର୍ଷରୁ କମ୍‌ ବାଳକରେ ଗୌରବ ପଣ୍ଡା ଓ ରିଶିତ ରୋହତକ ପଲାଇ ଏବଂ ବାଳିକାରେ ଅଦ୍‌ଭିକା ଦାସ ଓ ଅଂଶିକା ମହାପାତ୍ର, ୧୩ ବର୍ଷରୁ କମ୍‌ ବାଳକରେ ଅମନ ଅଲି ଓ ମାନବ ନାୟକ ଯଥାକ୍ରମେ ପ୍ରଥମ ଓ ୨ୟ ହୋଇଥିଲେ। ୧୩ ବର୍ଷରୁ କମ୍‌ ବାଳିକାରେ ପ୍ରାପ୍ତି ପଣ୍ଡା ପ୍ରଥମ ହୋଇଥିବାବେଳେ ସ୍ବାନ୍ତନାମୂଳକ ବିଭାଗରେ ଶିଭାଙ୍ଗୀ ମହାପାତ୍ର, ସର୍ବେଶ୍ୱର ମିଶ୍ର, ସାଇରାଜ ସାମଲ ଓ ଭ୍ରିତ୍ତୀ ବେହେରା ଯଥାକ୍ରମେ ପ୍ରଥମରୁ ୪ର୍ଥ ସ୍ଥାନ ମଧ୍ୟରେ ରହିଥିଲେ।
ଉତ୍ସବରେ ମୁଖ୍ୟ ଅତିଥି ଭାବେ ମାନଗୋବିନ୍ଦ ଦଳାଇ ଏବଂ ସମ୍ମାନିତ ଅତିଥି ଭାବେ ନୀଳମାଧବ ଚାନ୍ଦ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଆୟୋଜକ କ୍ଲବର ଯୁଗ୍ମ ସମ୍ପାଦକ ରଞ୍ଜୀତ କୁମାର ମୁଦୁଲି, ମୁଖ୍ୟ ଆର୍ବିଟର ଦେବାଶିଷ ପାଣିଗ୍ରାହୀ ଉପସ୍ଥିତ ରହିଥିଲେ।

Share