Categories: ଖେଳ

ରାଜ୍ୟ କୁସ୍ତି ଉଦ୍‌ଯାପିତ : ଅନୁପମା ଦଙ୍ଗଲରେ ଚାମ୍ପିୟନ

ଭୁବନେଶ୍ୱର, ୨୯।୧୦ (ସ୍ପୋଟର୍‌ସ ବ୍ୟୁରୋ)- ଓଡ଼ିଶା କୁସ୍ତି ଓ ପୁରୀ କୁସ୍ତି ସଂଘର ମିଳିତ ଆନୁକୂଲ୍ୟରେ ୩ ଦିନିଆ ରାଜ୍ୟ କୁସ୍ତି ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି। ଏଥିରେ ଓଡ଼ିଶା ଓଡ଼ିଶା ପୁଲିସରେ କାର୍ଯ୍ୟରତ ଥିବା ତାରକା ସାମରିକ କ୍ରୀଡ଼ାବିତ୍‌ ଅନୁପମା ସ୍ବାଇଁ ଓପନ୍‌ ଓ୍ବେଟ୍‌ ଓ ବୟସ କୁସ୍ତି (ଦଙ୍ଗଲ)ରେ ଚାମ୍ପିୟନ ହୋଇଛନ୍ତି। ମହିଳା ଦଙ୍ଗଲ ଫାଇଟ୍‌ରେ କଟକର ଅଜିଜା ବେଗମ୍‌ ରନର୍ସଅପ୍‌ ହୋଇଛନ୍ତି। ପୁରୁଷ ଦଙ୍ଗଲ ଫାଇଟ୍‌ର ଫାଇନାଲ ସମୟ ଅଭାବରୁ ଅମୀମାଂସିତ ଭାବେ ଶେଷ ହୋଇଛି। ପ୍ରତିଯୋଗିତାରେ ପୁରୀ ଜିଲା ଓଭରଅଲ୍‌ ଚାମ୍ପିୟନ ଓ କଟକ ରନର୍ସଅପ୍‌ ହୋଇଥିଲା। ସେହିଭଳି ପୁରୁଷରେ ପୁରୀ ଓ କଟକ ଏବଂ ମହିଳାରେ କଟକ ଓ ଢେଙ୍କାନାଳ ଯଥାକ୍ରମେ ଚାମ୍ପିୟନ ଓ ରନର୍ସଅପ୍‌ ହୋଇଥିଲେ।
ଏହି ପ୍ରତିଯୋଗିତାରେ ଆୟୋଜକ ପୁରୀ ସମେତ କଟକ, ଖୋର୍ଦ୍ଧା, ସମ୍ବଲପୁର, ଗଞ୍ଜାମ, ଗଜପତି, ବାଲେଶ୍ୱର, ଢେଙ୍କାନାଳ ଓ ଓଡ଼ିଶା ପୁଲିସ ପକ୍ଷରୁ ୧୧୦ଜଣ ପୁରୁଷ ଓ ୬୦ଜଣ ମହିଳା ପ୍ରତିଯୋଗୀ ଅଂଶଗ୍ରହଣ କରିଥିଲେ।
ବିତରଣୀ ଉତ୍ସବରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ଓଡ଼ିଶା କୁସ୍ତି ସଂଘର ସଭାପତି ରାମଚନ୍ଦ୍ର ପାଢ଼ୀ, ସମ୍ପାଦକ ଦେବେନ୍ଦ୍ର ସାହୁ, ସାଧାରଣ ସମ୍ପାଦକ ବିନୋଦ ଚନ୍ଦ୍ର ଦାସ, ପୁରୀ ସଂଘର ସମ୍ପାଦକ ରବି ନାରାୟଣ ପ୍ରତିହାରୀ ପ୍ରମୁଖ ଉପସ୍ଥିତ ରହିଥିଲେ। ନାରାୟଣ ବେହେରା, ଶ୍ୟାମ ସୁନ୍ଦର ମହାପାତ୍ର, ଅମ୍ବାଳିକା ଜେନା, କୃଷ୍ଣଚନ୍ଦ୍ର ପାତ୍ର, ସନ୍ତୋଷ ସାହୁ, ସୋମନାଥ ବେହେରା, ସନ୍ତୋଷ ଦାସ, ଲକ୍ଷ୍ମୀ ପ୍ରସାଦ ପଟ୍ଟନାୟକ, ପ୍ରିତି ପ୍ରକାଶିନୀ ରଥ, କଟକ ଜିଲା ସମ୍ପାଦକ କିଶୋର ଚନ୍ଦ୍ର ବେହେରା, ରାଜ୍ୟ ସଂଘର ସହ ସମ୍ପାଦକ ଭାରତ ଭୂଷଣ ସ୍ବାଇଁ ଓ କାଳିନ୍ଦୀ ମାଳିଆ ପ୍ରମୁଖ ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

Share