Categories: ଖେଳ

ରାଜ୍ୟସ୍ତରୀୟ କ୍ରିକେଟ: ଜୁଭେନାଇଲ୍‌ ଚାମ୍ପିୟନ୍‌

ଅସ୍ତରଙ୍ଗ, ୭।୨- ପୁରୀଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ଡେରୁଣିଆଁ କ୍ଲବ ଆନୁକୂଲ୍ୟରେ ସ୍ଥାନୀୟ ଗୋପବନ୍ଧୁ ଖେଳ ପଡିଆରେ ଗତ ୨୮ ତାରିଖରୁ ଆରମ୍ଭ ହୋଇଥିବା ୩୦ତମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ନାମେଣ୍ଟ ଗୁରୁବାର ଉଦ୍‌ଯାପିତ ହୋଇଛି। ଫାଇନାଲରେ ଭୁବନେଶ୍ୱର କ୍ରାଉନ୍‌ ସ୍ପୋର୍ଟିଂକୁ ହରାଇ କଟକର ଜୁଭେନାଇଲ୍‌ ସ୍ପୋର୍ଟିଂ ଚାମ୍ପିୟନ ହୋଇଛି। ଜୁଭେନାଇଲ୍‌ ପ୍ରଥମେ ବ୍ୟାଟିଂ କରି ୨୫ ଓଭରରେ ୪ ଉଇକେଟ୍‌ ହରାଇ ୧୬୬ରନ୍‌ କରିଥିଲା। ଜବାବରେ କ୍ରାଉନ୍‌ ସ୍ପୋର୍ଟିଂ ୧୫୨ରନରେ ଅଲଆଉଟ ହୋଇଯାଇଥିଲା। ଫଳରେ ଜୁଭେନାଇଲ୍‌ ସ୍ପୋର୍ଟିଂ ଲଗାତର ୩ୟ ଥର ପାଇଁ ଚାମ୍ପିୟନ ହୋଇ ଟାଇଟଲ ଜିତିବାରେ ହ୍ୟାଟ୍ରିକ କରିଛି। ଆନିଲ କୁମାର ପରିଡା ମ୍ୟାନ୍‌ ଅଫ୍‌ ମ୍ୟାଚ ଓ ସୁବ୍ରତ କୁମାର ସାମଲ ମ୍ୟାନ୍‌ ଅଫ୍‌ ସିରିଜ୍‌ ବିବେଚିତ ହୋଇଥିଲେ। ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟଅତିଥି ରାଜ୍ୟ କ୍ରୀଡାମନ୍ତ୍ରୀ ତୁଷାରକାନ୍ତି ବେହେରା,ସମ୍ମାନିତ ଅତିଥି ଅସ୍ତରଙ୍ଗ ବ୍ଲକ ଅଧ୍ୟକ୍ଷ ସ୍ବାଧୀନ ନାୟକ, ନଈଗୁଆଁ ସରପଞ୍ଚ ମାନସ ସାହୁ ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ। ଆୟୋଜକ ଡେରୁଣିଆଁ କ୍ଲବ୍‌ ପକ୍ଷରୁ ଚାମ୍ପିୟନ ଜୁଭେନାଇଲ୍‌ ସ୍ପୋର୍ଟିଂକୁ ଟ୍ରଫି ସହ ୨୦ହଜାର ଏବଂ ରର୍ନସ୍‌ଅପ୍‌ କ୍ରାଉନ୍‌ ସ୍ପୋର୍ଟିଂକୁ ୧୫ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯାଇଥିଲା। ଏହା ବ୍ୟତୀତ ଉତ୍ତମ ଖେଳ ପ୍ରଦର୍ଶନ କରିଥିବା ଖେଳାଳିମାନଙ୍କୁ ଆକର୍ଷଣୀୟ ପୁରସ୍କାର ପ୍ରଦାନ କରାଯାଇଥିଲା। ଫାଇନାଲ ମ୍ୟାଚକୁ ସତ୍ୟବ୍ରତ ମିଶ୍ର ଓ ଓଡିଶା କ୍ରିକେଟ୍‌ ଆସୋସିଏଶନ ପ୍ୟାନେଲ ଅମ୍ପାୟର ନିର୍ମଳ ମିଶ୍ର ପରିଚାଳନା କରିଥିଲେ। ଦୀର୍ଘ ୩୦ବର୍ଷ ଧରି ଗ୍ରାମାଞ୍ଚଳରେ ଏଭଳି ରାଜ୍ୟସ୍ତରୀୟ ପ୍ରତିଯୋଗିତା ହେବାକୁ ନେଇ ଅନୁଷ୍ଠାନର ସମସ୍ତ କର୍ମକର୍ତ୍ତାଙ୍କୁ ଉପସ୍ଥିତ ଅତିଥିମାନେ ପ୍ରଂଶସା କରିଥିଲେ।

Share