ରାଜ୍ୟର ପ୍ରଥମ କାଡାଭେରିକ ଟ୍ରାନ୍ସପ୍ଲାଣ୍ଟ ସଫଳ: ସୁସ୍ଥହୋଇ ଘରକୁ ଫେରିଲେ ଫିରୋଜ

କଟକ ଅଫିସ,୨୫ା୨: ରାଜ୍ୟର ପ୍ରଥମ କାଡାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ ବା ଜଣେ ମସ୍ତିଷ୍କ ମୃତ(ବ୍ରେନ୍‌ ଡେଡ୍‌) ବ୍ୟକ୍ତିଙ୍କ ଶରୀରରୁ କିଡ୍‌ନୀକୁ ନେଇ ଜଣେ ଜୀବିତଙ୍କ ଶରୀରରେ ପ୍ରତିରୋପଣ ଅସ୍ତ୍ରୋପଚାର ସଫଳ ହୋଇଛି। କଟକ ଏସ୍‌ସିବି ମେଡିକାଲରେ କିଡ୍‌ନୀ ପ୍ରତିରୋପଣ ସହ ତିନି ସପ୍ତାହ ପର୍ଯ୍ୟନ୍ତ ଅଭିଜ୍ଞ ଡାକ୍ତରଙ୍କ ତତ୍ତ୍ୱାବଧାନରେ ରହିବା ପରେ ସୁସ୍ଥ ହୋଇ ସୋମବାର ଘରକୁ ଫେରିଛନ୍ତି ବରଗଡ଼ର ଫିରୋଜ ସାହୁ। ତେବେ ପ୍ରତିରୋପଣ ପରବର୍ତ୍ତୀ ସମୟ(ପୋଷ୍ଟ ଟ୍ରାନ୍ସପ୍ଲାଣ୍ଟ ପିରିୟଡ) ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଏବଂ ସମ୍ବେଦନଶୀଳ ଥିବା ଯୋଗୁ ତାଙ୍କୁ ସତର୍କ ରହିବାକୁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି। ଘରକୁ ଫେରିବାବେଳେ କେବଳ ଫିରୋଜ ନୁହନ୍ତି, ତାଙ୍କ ମାଆ ମିଥାଳି ଏବଂ ବାପା ଲୋକେଶ୍ୱରଙ୍କ ଆଖି ଛଳଛଳ ହୋଇଯାଇଥିଲା। ଫିରୋଜଙ୍କୁ ନୂଆ ଜୀବନ ମିଳିଥିବା ଯୋଗୁ ସମସ୍ତେ ଯେମିତି ଖୁସିରେ କାନ୍ଦି ପକାଇଥିଲେ। ଅନ୍ୟପଟେ ପ୍ରଥମ ଥର ପାଇଁ ରାଜ୍ୟରେ ଏଭଳି ଏକ ବିରଳ ଅସ୍ତ୍ରୋପଚାର କରିଥିବା ଡାକ୍ତରମାନେ ମଧ୍ୟ ଭାବବିହ୍ବଳ ହୋଇପଡ଼ିଥିଲେ।
ଗଞ୍ଜାମ ଜିଲା ଦିଗପହଣ୍ଡି ସହର ରାଣୀସାହିର ପ୍ରିୟଙ୍କାରାଣୀ ରାଜୁ(୨୬) ଜାନୁୟାରୀ ୨୬ତାରିଖରେ ତପ୍ତପାଣି ପାଖରେ ସଡ଼କ ଦୁର୍ଘଟଣାରେ ଗୁରୁତର ହୋଇଥିଲେ। ଚିକିତ୍ସା ଲାଗି ତାଙ୍କୁ ଭୁବନେଶ୍ୱରସ୍ଥିତ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଗତ ୩ ତାରିଖ ରାତିରେ ଡାକ୍ତର ତାଙ୍କୁ ମସ୍ତିଷ୍କ ମୃତ(ବ୍ରେନ୍‌ ଡେଡ୍‌) ଘୋଷଣା କରିଥିଲେ। ଏହି ଖବର ପାଇବା ପରେ ପ୍ରିୟଙ୍କାଙ୍କ ସ୍ବାମୀ ଭି. ସମୀର ରାଜୁ ଓ ଶ୍ୱଶୁର ଭି. ଧର୍ମାରାଜୁ ଧୈର୍ଯ୍ୟ ନ ହରାଇ ପ୍ରିୟଙ୍କାଙ୍କ ଅଙ୍ଗଦାନ କରିବାକୁ ନିଷ୍ପତ୍ତି ନେଇଥିଲେ। ଏ ନେଇ ସେମାନେ ଆପୋଲୋ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ। ପରେ ହସ୍ପିଟାଲ ପକ୍ଷରୁ ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ସ୍ବାସ୍ଥ୍ୟ ବିଭାଗକୁ ସୂଚନା ଦିଆଯାଇଥିଲା। ବିଭାଗ ପକ୍ଷରୁ ଏସ୍‌ସିବିର ବିଭାଗୀୟ ଡାକ୍ତରମାନଙ୍କୁ ତୁରନ୍ତ କାଡାଭେରିକ୍‌ ଟ୍ରାନ୍ସପ୍ଲାଣ୍ଟ ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଡାକ୍ତରମାନେ ବିଳମ୍ବିତ ରାତିରେ ଆପୋଲୋ ହସ୍ପିଟାଲରେ ପହଞ୍ଚି ପ୍ରିୟଙ୍କାଙ୍କ ଶରୀରରୁ କିଡ୍‌ନୀ ବାହାର କରି ଏସ୍‌ସିବି ମେଡିକାଲକୁ ଆଣିଥିଲେ। ପରେ ୟୁରୋଲୋଜି ବିଭାଗ ମୁଖ୍ୟ ଡା. ଦତ୍ତେଶ୍ୱର ହୋତାଙ୍କ ନେତୃତ୍ୱରେ ଏକ ଡାକ୍ତରୀ ଟିମ୍‌ ଅସ୍ତ୍ରୋପଚାର କରି ଫିରୋଜଙ୍କ ଶରୀରରେ କିଡ୍‌ନୀ ପ୍ରତିରୋପଣ କରିଥିଲେ। ଏହା ପରଠାରୁ ଫିରୋଜଙ୍କୁ ସ୍ବତନ୍ତ୍ର କ୍ୟାବିନ୍‌ରେ ରଖାଯାଇ ନିୟମିତ ସ୍ବାସ୍ଥ୍ୟ ପରୀକ୍ଷା କରାଯାଉଥିଲା। ଫଳରେ ଧୀରେ ଧୀରେ ସେ ସୁସ୍ଥ ହେବାରେ ଲାଗିଲେ। ପ୍ରତିରୋପଣର ତିନିରୁ ଚାରି ସପ୍ତାହ ପର୍ଯ୍ୟନ୍ତ ଡାକ୍ତରଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଆବଶ୍ୟକ ପଡୁଥିବା ଯୋଗୁ ଫିରୋଜଙ୍କୁ ଏସ୍‌ସିବି ମେଡିକାଲରେ ରଖାଯାଇଥିଲା। ବିଭାଗୀୟ ଡାକ୍ତରମାନଙ୍କ କହିବାନୁଯାୟୀ, ପ୍ରତିରୋପଣ ପରଠୁ ଫିରୋଜଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଦେଖିବାକୁ ମିଳିଥିଲା। ବର୍ତ୍ତମାନ ସେ ସୁସ୍ଥ ଅଛନ୍ତି। ତେବେ ସଂକ୍ରମଣର ଆଶଙ୍କା ଥିବା ଯୋଗୁ ଆସନ୍ତା କିଛି ମାସ ଯତ୍ନ ନେବାକୁ ପରାମର୍ଶ ଦିଆଯାଇଛି। ବିଶେଷକରି ସ୍ବଚ୍ଛ ଓ ପରିଚ୍ଛନ୍ନ ରହିବାକୁ କୁହାଯାଇଛି। ସଂକ୍ରମଣର ସମ୍ଭାବନା ଥିବା ସମସ୍ତ କାର୍ଯ୍ୟରୁ ନିଜକୁ ଦୂରରେ ରଖିବାକୁ ପରାମର୍ଶ ଦିଆଯାଇଛି। ସେହିଭଳି ଖାଦ୍ୟ, ପାନୀୟ, ଔଷଧ ସେବନ ଆଦି ସମ୍ପର୍କରେ ଆବଶ୍ୟକ ପରାମର୍ଶ ଦିଆଯାଇଥିବା ଡାକ୍ତରଙ୍କ ପକ୍ଷରୁ କୁହାଯାଇଛି।

‘ପ୍ରିୟଙ୍କାଙ୍କ ଋଣ ଶୁଝିପାରିବି ନାହିଁ’
ପ୍ରିୟଙ୍କା ମୃତ୍ୟୁବରଣ କରି ମଧ୍ୟ ଅମର ହୋଇଗଲେ। ପ୍ରଥମେ ଯେବେ କିଡ୍‌ନୀ ରୋଗ ଜଣାପଡ଼ିଥିଲା, ମୁଁ ସବୁ ଆଶା ଛାଡ଼ିଦେଇଥିଲି। ମାଆ କିଡ୍‌ନୀ ଦେବାକୁ ପ୍ରସ୍ତୁତ ଥିଲେ ମଧ୍ୟ ଆମର ବ୍ଲଡ୍‌ ଗ୍ରୁପ ଅଲଗା ଥିଲା। ଫଳରେ କିଡ୍‌ନୀ ପ୍ରତିରୋପଣ ପାଇଁ ଆଶଙ୍କା ସୃଷ୍ଟି ହୋଇଥିଲା। ଏଭଳି ସମୟରେ ମୋ’ ପାଇଁ ଭଗବାନଙ୍କ ରୂପରେ ପ୍ରିୟଙ୍କା ଆସିଲେ। ତାଙ୍କ କିଡ୍‌ନୀ ମୋ ଶରୀରରେ ଲାଗିଲା ପରେ ବର୍ତ୍ତମାନ ମୁଁ ସୁସ୍ଥ ଅନୁଭବ କରୁଛି। ପ୍ରିୟଙ୍କା ଓ ତାଙ୍କ ପରିବାରବର୍ଗଙ୍କ ଋଣ ଏଜୀବନରେ ଶୁଝିପାରିବି ନାହିଁ। ସମସ୍ତ ଖର୍ଚ୍ଚ ବହନ କରିଥିବା ରାଜ୍ୟ ସରକାର ଏବଂ କଠିନ ପରିଶ୍ରମ କରିଥିବା ଡାକ୍ତରମାନଙ୍କୁ ଧନ୍ୟବାଦ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?