ରାଜ୍ୟରେ ୯ଲକ୍ଷ ୩୭ହଜାର ପଞ୍ଜୀକୃତ ବେକାରି, ୨୧୦ ନିଯୁକ୍ତିମେଳାରେ ୧ ଲକ୍ଷ ୧୩ ହଜାରଙ୍କୁ ଦିଆଯାଇଛି ନିଯୁକ୍ତି

ଭୁବନେଶ୍ୱର,୨୭।୭(ବ୍ୟୁରୋ): ରାଜ୍ୟରେ ୯ ଲକ୍ଷ ୩୭ ହଜାର ୨୫୧ଜଣ ବେକାର ଯୁବତୀଯୁବକ ରାଜ୍ୟ ସରକାରଙ୍କ ବିଭିନ୍ନ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକରଣ କରିଛନ୍ତି। ୨୧୦ ନିଯୁକ୍ତିମେଳା ଆୟୋଜନ କରାଯାଇ ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୧୩ ହଜାର ୨୫୧ ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ଏଥିସହ ରାଜ୍ୟ ଦକ୍ଷତା ବିକାଶ କର୍ତ୍ତୃପକ୍ଷଙ୍କ ଦ୍ୱାରା ପରିଚାଳିତ ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ମାଧ୍ୟମରେ ୨୦୧୯ ମାର୍ଚ୍ଚ ୩୧ ସୁଦ୍ଧା ୮୫ ହଜାର ୬୮୦ଜଣଙ୍କୁ ତାଲିମ ପ୍ରଦାନ କରାଯାଇ ୧୬ ହଜାର ୭୭୭ଜଣଙ୍କୁ ନିଯୁକ୍ତି ଦିଆଯାଇଛି। ସେହିଭଳି ଗତ ୫ ବର୍ଷ ମଧ୍ୟରେ ୧୨ଟି ସେନାବାହିନୀ ନିଯୁକ୍ତି ରାଲି ମାଧ୍ୟମରେ ୫୦୨୭ଜଣ ନିଯୁକ୍ତି ପାଇଛନ୍ତି। ଶନିବାର ବିଧାନସଭା ପ୍ରଶ୍ନୋତ୍ତର ବେଳେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ହେମାନନ୍ଦ ନାୟକ ଏହି ସୂଚନା ଦେଇଛନ୍ତି।