ରାଜ୍ୟରେ ୩ ନିଜ୍ଜାମୁଦ୍ଦୀନ ଫେରନ୍ତା କରୋନା ପଜିଟିଭ : ୧୦୪ ରେ କଲ୍ କରି ଚିହ୍ନଟ ହେବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ, ଚିକିତ୍ସା ଖର୍ଚ୍ଚ ତୁଲାଇବେ ସରକାର

ଭୁବନେଶ୍ବର, ୪।୪(ବ୍ୟୁରୋ) : ଦିଲ୍ଲୀ ନିଜ୍ଜାମୁଦ୍ଦୀନ ଧର୍ମସଭାରେ ଯୋଗ ଦେଇ ଓଡିଶାକୁ ଫେରିଥିବା ୨୮ ଜଣଙ୍କ ସହ ଯୋଗାଯୋଗ କରଯାଇଛି । ସମସ୍ତଙ୍କର ନମୂନା ପରୀକ୍ଷଣ ପାଇଁ ପଠାଯାଇଥିବା ବେଳେ ୨୫ଙ୍କ ନେଗଟିଭ୍ ଆସିଛି l ୩ ଜଣ କରୋନା ପଜିଟିଭ ଥିବା ସ୍ପଷ୍ଟ ହୋଇଛି l ସେମାନେ କଟକ, ଯାଜପୁର, ପୁରୀ ଅଞ୍ଚଳର। ଆହୁରି ଅଧିକ ଲୋକଙ୍କ ସଂକ୍ରମିତ ହେବାର ଆଶଙ୍କା ରହିଛି । ଏଣୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶନିବାର ଉକ୍ତ ଧର୍ମସଭାକୁ ଯାଇଥିବା ତଥା ତାଙ୍କ ସଂସ୍ପର୍ଶରେ ଆସିଥିବା ପ୍ରତ୍ୟେକ ବ୍ୟକ୍ତି ଙ୍କୁ ୧୦୪ ନମ୍ବରରେ ଫୋନ କରି ତୁରନ୍ତ ଯୋଗାଯୋଗ କରିବାକୁ ଅନୁରୋଧ କରିଛନ୍ତି। ସେମାନେ ନିଜେ ନିଜେ ସ୍ଵେଚ୍ଛାକୃତ ଭାବେ ଚିହ୍ନଟ ହେବାକୁ କୁହାଯାଇଛିl ଆବଶ୍ୟକସ୍ଥଳେ ସରକାର ସେମାନଙ୍କର ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରିବେ । ଯଦି ସେପରି କେହି ବ୍ୟକ୍ତି ଅଛନ୍ତି ତେବେ ସେ ୨୪ ଘଣ୍ଟା ମଧ୍ୟରେ ନିର୍ଭୟରେ ଆଗକୁ ଆସନ୍ତୁ । ଏପରିକି ଉକ୍ତ ବ୍ୟକ୍ତିଙ୍କ ପରିବାର ଲୋକ ଯଥା ମାଆ ଭଉଣୀ ମାନଙ୍କୁ ଲୋକଙ୍କୁ ବୁଝାଇ ଆଗକୁ ଆଣିବାକୁ କହିଛନ୍ତି ବୋଲି ଗୀତଗୋବିନ୍ଦ ସଦନରେ ଶନିବାର ଆୟୋଜିତ ଖବରଦାତା ସମ୍ମିଳନୀରେ ରାଜ୍ୟ ସରକାରଙ୍କ କରୋନା ଭୂତାଣୁ ସଂକ୍ରମଣ ସଚେତନତା କମିଟି ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି।