Categories: ଖେଳ

ରାଇଟ୍‌ ଡର୍ବିଶାୟାର କ୍ରିକେଟ କ୍ଲବ ଅଧ୍ୟକ୍ଷ ନିଯୁକ୍ତ

ଲଣ୍ଡନ,୧୦।୪(ପି.ଟି.)- ପୂର୍ବତନ ଭାରତୀୟ କୋଚ୍‌ ଜନ୍‌ ରାଇଟ୍‌ଙ୍କୁ ଆଉ ଏକ ଗୁରୁଦାୟିତ୍ୱ ମିଳିଛି। ଇଂଲିଶ କାଉଣ୍ଟି କ୍ଲବ ଡର୍ବିଶାୟାର କ୍ରିକେଟ କ୍ଲବର ନୂଆ ଅଧ୍ୟକ୍ଷ ଭାବେ ସେ ନିଯୁକ୍ତ ହୋଇଛନ୍ତି। ନ୍ୟୁଜିଲାଣ୍ଡର ଏହି ପୂର୍ବତନ ଅଧିନାୟକ ସବୁ ଫର୍ମାଟରେ ୯,୦୦୦ରୁ ଊର୍ଦ୍ଧ୍ୱ ରନ୍‌ ସଂଗ୍ରହ କରିଛନ୍ତି। ସେ ହାରୋଲ୍ଡ ରୋଡ୍ସଙ୍କ ଉତ୍ତରାଧିକାରୀ ରୂପେ ନିଯୁକ୍ତ ହୋଇଛନ୍ତି। ୬୫ ବର୍ଷୀୟ ରାଇଟ୍‌ ପ୍ରଥମଶ୍ରେଣୀ କ୍ରିକେଟରେ ୧୦, ୬୩୮ ରନ ସଂଗ୍ରହ କରିଛନ୍ତି। ସେହିପରି ଲିଷ୍ଟ-ଏ’ରେ ସେ ୪,୩୩୧ ରନ ସଂଗ୍ରହ କରିଛନ୍ତି। ଏଥିରେ ୩୧ଟି ଶତକ ସାମିଲ ରହିଛି। ଏଥିରେ ତାଙ୍କର ସର୍ବାଧିକ ବ୍ୟକ୍ତିଗତ ସ୍କୋର ୧୯୦ ରନ ରହିଛି। ୧୯୭୭ରୁ ୧୯୮୮ ମଧ୍ୟରେ ସେ ଏହି ସଫଳତା ହାସଲ କରିଥିଲେ। ନୂଆ ନିଯୁକ୍ତି ନେଇ ରାଇଟ୍‌ ଖୁସି ଜାହିର କରିଛନ୍ତି ଓ ଏହା ମୋ ପାଇଁ ଏକ ବଡ଼ ସମ୍ମାନ ବୋଲି ସେ କହିଛନ୍ତି। ପୂର୍ବରୁ ରାଇଟ୍‌ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଦଳ ମୁମ୍ବାଇ ଇଣ୍ଡିଆନ୍ସ ସହିତ ଜଡିତ ଥିଲେ। ସେ ମଧ୍ୟ ଡର୍ବିଶାୟାର କ୍ଲବର ସ୍ପେଶାଲିଷ୍ଟ ଟି୨୦ କୋଚ୍‌ ଭାବେ ୨୦୧୭ରେ କାର୍ଯ୍ୟ କରିଥିଲେ। ଡର୍ବିଶାୟାର ତରଫରୁ ସେ ଦୀର୍ଘ ଦିନ ଖେଳି ଆସିଛନ୍ତି ଓ କ୍ଲବର ସେ ଅନ୍ୟତମ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ରୂପେ ବିବେଚିତ ହେଉଛନ୍ତି। ଏବେ ସେ କୋଚ୍‌ ରୂପେ କ୍ଲବକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି ଓ ଏହା ବହୁତ ଖୁସିର କଥା। ଦୀର୍ଘ ବର୍ଷ ଧରି କ୍ଲବ ପ୍ରତି ତାଙ୍କର ଯଥେଷ୍ଟ ଅବଦାନ ରହିଛି। କ୍ଲବ୍‌ର ୧୫୦ତମ ବର୍ଷରେ ସେ ଅଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବା ଆମ ପାଇଁ ସୌଭାଗ୍ୟର ବିଷୟ ବୋଲି ଡର୍ବିଶାୟର କୋଚ୍‌ ଇଆନ ମୋର୍ଗାନ କହିଛନ୍ତି।

Share