ରବି ସିଂଙ୍କ ବିୟୋଗରେ ଶୋକପ୍ରକାଶ କଲେ ମୁଖ୍ୟମନ୍ତ୍ରୀ, ରାଷ୍ଟ୍ରୀୟ ମର୍ଯ୍ୟାଦା ସହ କରାଯିବ ଶେଷକୃତ୍ୟ

ଭୁବନେଶ୍ୱର,୨।୨(ବ୍ୟୁରୋ): ବିପ୍ଲବୀ କବି ରବି ସିଂଙ୍କ ପରଲୋକକୁ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକପ୍ରକାଶ କରିଛନ୍ତି। ଟୁଇଟ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ବିପ୍ଲବୀ କବି ରବି ସିଂଙ୍କ ଦେହାନ୍ତ ବିଷୟରେ ଜାଣି ମୁଁ ଦୁଃଖିତ। ଓଡ଼ିଆ ସାହିତ୍ୟ ଜଗତକୁ ସମୃଦ୍ଧ କରିଥିବା ତାଙ୍କ କ୍ରାନ୍ତିକାରୀ ରଚନା ତାଙ୍କୁ ସର୍ବଦା ସ୍ମରଣୀୟ କରି ରଖିବ। ତାଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କ ପ୍ରତି ସମବେଦନା ଜଣାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ଏହାଛଡ଼ା ରାଷ୍ଟ୍ରୀୟ ସମ୍ମାନ ପ୍ରଦର୍ଶନ ସହ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି।

ପ୍ରକାଶ ଯେ, କଟକସ୍ଥିତ ଖପୁରିଆ ବାସଭବନରେ ରବିବାର ଭୋର ସମୟରେ ରବି ସିଂ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ମୃତ୍ୟୁ ବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା। ଦୀର୍ଘଦିନ ଧରି ସେ ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ଥିବା ଜଣାପଡ଼ିଛି। ‘ପଥପ୍ରାନ୍ତର କବିତା’, ‘ଅପ୍ରୀତିକର କବିତା’, ‘ପଦାତିକ’, ‘ବିଷବାଣୀ’, ‘କ୍ଷତ’, ‘ଲାଲ ପାଗୋଡ଼ାର ପ୍ରେତ’, ‘ଭଙ୍ଗା ହାତର କବିତା’, ‘ସର୍ବହରା’ ଭଳି ଏକାଧିକ ପୁସ୍ତକ ସେ ରଚନା କରିଛନ୍ତି। ଓଡ଼ିଶା ସାହିତ୍ୟକୁ ଉଲ୍ଲେଖନୀୟ ଅବଦାନ ପାଇଁ ୧୯୬୧ରେ ସେ ଓଡ଼ିଶା ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ। ଏହାଛଡ଼ା ୨୦୧୭ରେ ତାଙ୍କୁ ଅତିବଡ଼ି ଜଗନ୍ନାଥ ଦାସ ସମ୍ମାନରେ ସମ୍ମାନିତ କରାଯାଇଥିଲା।