ରଥଯାତ୍ରାକୁ କେନ୍ଦ୍ର, ରାଜ୍ୟର ସମର୍ଥନ: ପରମ୍ପରା ବଜାୟ ରହୁ କହିଲେ ସଲିସିଟର ଜେନେରାଲ

ନୂଆଦିଲ୍ଲୀ,୨୨।୬: ବିନା ଭକ୍ତରେ ରଥଯାତ୍ରା କରିବାକୁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସମ୍ମତି ପ୍ରକାଶ କରିଛନ୍ତି। ରଥଯାତ୍ରା ସପକ୍ଷରେ ସୁପ୍ରିମକୋର୍ଟରେ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଉପସ୍ଥାପନ କରିଛନ୍ତି। ବର୍ଷ ବର୍ଷ ଧରି ଚାଲିଥିବା ପରମ୍ପରା ବନ୍ଦ ନ କରାଯାଉ। ମହାପ୍ରଭୁଙ୍କ ଘୋଷ ଯାତ୍ରା ଥରେ ବନ୍ଦ ହେଲେ ୧୨ ବର୍ଷ ଯାଏ ହୋଇପାରିବ ନାହିଁ। ଆସନ୍ତାକାଲି ଯଦି ଜଗନ୍ନାଥ ନ ବାହାରିବେ ତେବେ ୧୨ ବର୍ଷ ଯାଏ ବାହାରିବେ ନାହିଁ ବୋଲି ଯୁକ୍ତିରେ ଉଲ୍ଲେଖ କରିଛନ୍ତି ସଲିସିଟର ଜେନେରାଲ। କେବଳ ନେଗେଟିଭ୍‌ ଟେଷ୍ଟ ସେବାୟତଙ୍କୁ ଯାତ୍ରାରେ ସାମିଲ କରାଯାଉ। ରଥଯାତ୍ରାର ସିଧା ପ୍ରସାରଣ ପାଇଁ ମଧ୍ୟ ପ୍ରସ୍ତାବ ଦିଆଯାଇଛି। କୋଭିଡ ନ ବ୍ୟାପିବା ପାଇଁ ପଦକ୍ଷେପ ନେଇପାରିବେ ରାଜ୍ୟ ସରକାର। ଦିନକ ପାଇଁ ସେଠାରେ କର୍ଫ୍ୟୁ ଜାରି କରାଯାଇପାରିବ ସେ କହିଛନ୍ତି। ରାଜ୍ୟ ସରକାରଙ୍କ ଓକିଲ ହରିଶ ସାଲଭେ ଏହାକୁ ସମର୍ଥନ କରିଛନ୍ତି। ସୂଚନାଯୋଗ୍ୟ, ରଥଯାତ୍ରା ହେବ କି ନାହିଁ ତାର ଶୁଣାଣି ସୁପ୍ରିମକୋର୍ଟରେ ହେବ। କୋଟି କୋଟି ଜଗନ୍ନାଥପ୍ରେମୀ ଏହି ରାୟକୁ ଅପେକ୍ଷା କରି ରହିଛନ୍ତି।

Share