Categories: ଖେଳ

ରଣ୍‌ଜୀ ଟ୍ରଫି: ଓଡ଼ିଶାର କ୍ରମାଗତ ଇନିଂସ ବିଜୟ

କଟକ ଅଫିସ,୨୧ା୧୨-
ଚଳିତ ରଣ୍‌ଜୀ ସିଜନରେ ଓଡ଼ିଶାର ଅଭିଯାନ ଉତ୍ସାହଜନକ ରହିଛି। ପ୍ରଥମ ଦୁଇଟି ମ୍ୟାଚରେ ଦଳକୁ ଇନିଂସ ବିଜୟ ମିଳି ସାରିଲାଣି। ଡ୍ରିମ୍ସ ଗ୍ରାଉଣ୍ଡରେ ଚାଲିଥିବା ଓଡ଼ିଶା-ସର୍ଭିସେସ୍‌ ବିପକ୍ଷ ରଣଜୀ ମ୍ୟାଚ୍‌ ଶୁକ୍ରବାର ଶେଷ ହୋଇଥିବା ବେଳେ ଏଥିରେ ଓଡ଼ିଶା ଇନିଂସ ଓ ୩୧ରନରେ ଜିତିଥିଲା। ୧୯୫ରନର ଇନିଂସ ଖେଳିଥିବା ଦେବାଶିଷ ସାମନ୍ତରାୟଙ୍କୁ ମ୍ୟାନ ଅଫ ଦି ମ୍ୟାଚ୍‌ ଭାବେ ପୁରସ୍କୃତ କରାଯାଇଥିଲା। ପୂର୍ବରୁ ଟୁର୍ନାମେଣ୍ଟରେ ପ୍ରଥମ ମ୍ୟାଚ୍‌ରେ ମଧ୍ୟ ଓଡ଼ିଶା ଛତିଶଗଡ଼ ବିପକ୍ଷରେ ଇନିଂସ ବିଜୟ ହାସଲ କରିଥିଲା।
ସର୍ଭିସେସ୍‌ର ପ୍ରଥମ ଇନିଂସ ୨୭୧ରନରେ ସୀମିତ ରହିବା ପରେ ଓଡ଼ିଶା ସମସ୍ତ ଉଇକେଟ ହରାଇ ୫୪୦ରନ କରିଥିଲା। ଗୁରୁବାର ଷ୍ଟମ୍ପ ଅପସାରଣ ସୁଦ୍ଧା ଦ୍ୱିତୀୟ ଇନିଂସ ବ୍ୟାଟିଂ ଆରମ୍ଭ କରିଥିବା ସର୍ଭିସେସ୍‌ ୩ଉଇକେଟ ହରାଇ ୮୬ରନ କରିଥିଲା। ସର୍ଭିସେସ୍‌ ୧୮୩ରନ ପଛରେ ଥିବା ବେଳେ ବିଜୟ ନିମନ୍ତେ ଓଡ଼ିଶାକୁ ୭ଉଇକେଟ ଆବଶ୍ୟକ ଥିଲା। ଅଧିନାୟକ ରଜତ ପଲିୱାଲ ୬ରନରେ ଓ ରାହୁଲ ସିଂ ୧୪ରନରେ ଅପରାଜିତ ଥିଲେ। ଦଳୀୟ ସ୍କୋର ୯୪ହୋଇଥିବା ବେଳେ ରାହୁଲଙ୍କୁ ୧୬ରନରେ ଦେବାଶିଷଙ୍କ ହାତରେ କ୍ୟାଚ୍‌ ଆଉଟ କରାଇଥିଲେ ରାଜେଶ। ପରେ ରକ୍ଷଣାତ୍ମକ ଶୈଳୀରେ ବ୍ୟାଟିଂ କରୁଥିବା ଅଧିନାୟକ ରଜତ ୨୨ରନରେ ଦେବବ୍ରତ ପ୍ରଧାନଙ୍କ ଶିକାର ପାଲଟିଥିଲେ। ବିକାଶ ହଥୱାଲା(୭୧ରନ) ଓ ଅରୁଣ ବମଲ(୪୦ରନ) ଦ୍ରୁତଗତିରେ ରନ୍‌ ସଂଗ୍ରହ କରିଥିଲେ। ବିକାଶଙ୍କୁ ଅଭିଶେକ ରାଉତ ଓ ଅରୁଣଙ୍କୁ ଶାନ୍ତନୁ ମିଶ୍ର ଆଉଟ କରି ଓଡ଼ିଶା ଶିବିରରେ ବିଜୟ ଆଶା ସଞ୍ଚାର କରିଥିଲେ। ଦେବେନ୍ଦ୍ର ଲୋଚବ ୬ରନରେ, ଦିୱେଶ ପଠାନିଆ ୫ରନରେ, ସାଦବ ନଜାର ୫ରନରେ ଆଉଟ ହୋଇଛନ୍ତି। ସର୍ଭିସେସ ଦ୍ୱିତୀୟ ଇନିଂସରେ ୨୩୮ରନରେ ଅଲଆଉଟ ହୋଇଥିଲା। ଓଡ଼ିଶା ପକ୍ଷରୁ ରାଜେଶ ମହାନ୍ତି ଓ ଅଭିଶେକ ରାଉତ ୩ଟି ଲେଖାଏ ଉଇକେଟ ଅକ୍ତିଆର କରିଥିବା ବେଳେ ଦେବବ୍ରତ ପ୍ରଧାନ ୨ଟି ଓ ଶାନ୍ତନୁ ମିଶ୍ର ଗୋଟିଏ ଉଇକେଟ ପାଇଛନ୍ତି।

Share