Categories: ଖେଳ

ରଣ୍‌ଜୀ ଟ୍ରଫିରେ ପ୍ରଥମଥର ବ୍ୟବହାର ହେବ ଡିଆର୍‌ଏସ୍‌

ରାଜକୋଟ୍‌, ୨୫।୨ (ପି.ଟି.)- ଭାରତୀୟ ଘରୋଇ କ୍ରିକେଟ୍‌ର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କ୍ରିକେଟ୍‌ ପ୍ରତିଯୋଗିତା ରଣ୍‌ଜୀ ଟ୍ରଫିରେ ପ୍ରଥମ ଥର ଲାଗି ଡିସିସନ ରିଭ୍ୟୁ ସିଷ୍ଟମ (ଡିଆର୍‌ଏସ୍‌) ବ୍ୟବହାର କରାଯିବ। ଶନିବାରଠାରୁ ରଣ୍‌ଜୀ ଟ୍ରଫିର ସେମିଫାଇନାଲ ପର୍ଯ୍ୟାୟ ଆରମ୍ଭ ହେବ। ଘରୋଇ ସୌରାଷ୍ଟ୍ର ଓ ଗୁଜରାଟ ମଧ୍ୟରେ ଖେଳାଯିବାକୁ ଥିବା ୨ୟ ସେମିଫାଇନାଲ ମ୍ୟାଚ୍‌ରେ ଡିଆର୍‌ଏସ୍‌ର ପ୍ରୟୋଗ କରାଯିବ। ଗୋଟିଏ ଇନିଂସରେ ପ୍ରତ୍ୟେକ ଦଳକୁ ୪ଟି ଲେଖାଏ ରେଫରାଲ୍ସ ମିଳିବ। କିନ୍ତୁ ଅନ୍ତର୍ଜାତୀୟ ମ୍ୟାଚ୍‌ରେ ଡିଆର୍‌ଏସ୍‌ରେ ବ୍ୟବହାର କରାଯାଉଥିବା ୨ଟି ପ୍ରମୁଖ ଟେକ୍‌ନୋଲୋଜି ହକ୍‌ ଆଇ ଓ ଅଲ୍‌ଟ୍ରା ଏଜ୍‌ ସୁବିଧା ଏଥିରେ ରହିବ ନାହିଁ। ‘ପ୍ରଥମଥର ଲାଗି ରଣ୍‌ଜୀ ଟ୍ରଫିରେ ଅମ୍ପାୟର ଡିସିସନ ରିଭ୍ୟୁ ସିଷ୍ଟମ (ଡିଆର୍‌ଏସ୍‌)କୁ ପ୍ରୟୋଗ କରାଯିବ। ରଣ୍‌ଜୀ ଟ୍ରଫିର ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍‌ରେ ଏହା ଲାଗୁ ହେବ’ ବୋଲି ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏଶନ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି। ଗତ ସପ୍ତାହରେ ବିସିସିଆଇ ଜେନେରାଲ ମ୍ୟାନେଜର ଅଫ୍‌ କ୍ରିକେଟ୍‌ ସବା କରିମ୍‌ କହିଥିଲେ, ଡିଆର୍‌ଏସ୍‌ର ସୀମିତ ବ୍ୟବହାର ଆମେ ରଣ୍‌ଜୀ ଟ୍ରଫିର ସେମିଫାଇନାଲରେ ହିଁ କେବଳ କରିବାକୁ ଚାହୁଁଛୁ। ସୌରାଷ୍ଟ୍ର କ୍ରିକେଟ୍‌ ଆସୋସିଏଶନର ସଭାପତି ଜୟଦେବ ଶାହ ଏହି ନିଷ୍ପତ୍ତିକୁ ସ୍ବାଗତ ଜଣାଇଛନ୍ତି।

Share