Categories: ଖେଳ

ରଣଜୀ ଫାଇନାଲ ମଝିରେ ଅମ୍ପାୟର ବଦଳିଲେ

ରାଜକୋଟ,୧୨।୩-  ବେଙ୍ଗଲ ଓ ସୌରାଷ୍ଟ୍ର ମଧ୍ୟରେ ଏଠାରେ ଚାଲିଥିବା ରଣଜୀ ଟ୍ରଫି କ୍ରିକେଟ ଫାଇନାଲ ଅବସରରେ ଅମ୍ପାୟର ପରିବର୍ତ୍ତନ ହୋଇଛନ୍ତି। ପ୍ରଥମ ଦିବସ ଖେଳ ଅବସରରେ ଫିଲ୍ଡ ଅମ୍ପାୟର ସି. ଶାମସୁଦ୍ଦିନଙ୍କ ତଳିପେଟରେ ବଲ ବାଜିଥିଲା। ଯନ୍ତ୍ରଣା ବଢ଼ିବାରୁ ତାଙ୍କୁ ପଡ଼ିଆ ବାହାରକୁ ନିଆଯାଇଥିଲା। ତାଙ୍କ ଅନୁପସ୍ଥିତିରେ ଫିଲ୍ଡ ଅମ୍ପାୟର ଅନନ୍ଥ ପଦ୍ମନାଭନ ଏକା ମ୍ୟାଚ୍‌ ପରିଚାଳନା କରିଥିଲେ। ଦ୍ୱିତୀୟ ଦିବସ ପ୍ରଥମ ସେସନରେ ସ୍ଥାନୀୟ ଅମ୍ପାୟର ପୀୟୂଷ ଖାକର ସ୍କୋୟାର ଲେଗ୍‌ ଅମ୍ପାୟର କାର୍ଯ୍ୟ ତୁଲାଇଥିଲେ। ଲଞ୍ଚ ବ୍ରେକ୍‌ ପରେ ପଦ୍ମନାଭନଙ୍କ ସହ ପଡ଼ିଆରେ ଯୋଗଦେଇଥିଲେ ତୃତୀୟ ଅମ୍ପାୟର ଏସ. ରବି। ଶାମସୁଦ୍ଦିନ ଟିଭି ଅମ୍ପାୟର ଦାୟିତ୍ୱ ନିର୍ବାହ କରିଥିଲେ। ତୃତୀୟ ଦିବସରେ ଶ୍ୟାମସୁଦ୍ଦିନଙ୍କ ବଦଳ ଅମ୍ପାୟରଭାବେ ଯୋଗ ଦେଇଥିଲେ ଯଶଓ୍ବନ୍ତ ବାର୍ଡେ। ଶ୍ୟାମସୁଦ୍ଦିନ ତଳିପେଟର ଡାହାଣ ପଟରେ ଅଧିକ ଯନ୍ତ୍ରଣା ଅନୁଭବ କରିବାରୁ ଚେକ୍‌ଅପ୍‌ ପାଇଁ ଡାକ୍ତରଖାନା ଯାଇଥିଲେ। ତାଙ୍କୁ ଏକ ସପ୍ତାହ ବିଶ୍ରାମ ପରାମର୍ଶ ଦିଆ ଯାଇଛି ବୋଲି ସୌରାଷ୍ଟ୍ର କ୍ରିକେଟ ଆସୋସିଏଶନର ଜଣେ ମୁଖପାତ୍ର ପ୍ରକାଶ କରିଛନ୍ତି।

Share