Categories: ଖେଳ

ରଣଜୀ ଟ୍ରଫି: ସୌରାଷ୍ଟ୍ର ୪୨୫, ବେଙ୍ଗଲ ୧୩୪/୩

ରାଜକୋଟ, ୧୨।୩- ଏଠାରେ ଚାଲିଥିବା ରଣଜୀ ଟ୍ରଫି ଫାଇନାଲର ତୃତୀୟ ଦିବସ ଖେଳ ବୁଧବାର ଶେଷ ହୋଇଛି। ଅର୍ପିତ ବାସବଦାଙ୍କ ଶତକ ସହାୟତାରେ ସୌରାଷ୍ଟ୍ର ୪୨୫ ରନ କରିଥିବାବେଳେ ତୃତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ବେଳକୁ ବେଙ୍ଗଲ ୩ ଉଇକେଟ ହରାଇ ୧୩୪ ରନ କରିଛି। ୭ ଉଇକେଟ ସୁରକ୍ଷିତ ଥିବାବେଳେ ବେଙ୍ଗଲ ଆହୁରି ୨୯୧ ରନ ପଛରେ ରହିଛି।
ଅର୍ପିତଙ୍କ ୮ମ ଶତକ
ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ସୌରାଷ୍ଟ୍ର ଟପ୍‌ ଅର୍ଡର ବ୍ୟାଟ୍ସମ୍ୟାନଙ୍କ ଧୈର୍ଯ୍ୟପୂର୍ଣ୍ଣ ପ୍ରଦର୍ଶନ ବଳରେ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ହାର୍ଭିକ ଦେଶାଇ (୩୮) ଓ ଅଭି ବାରୋଟ(୫୪) ଓପନିଂ ଯୋଡ଼ିରେ ୨୨୭ ବଲ୍‌ରୁ ୮୨ ରନ ସଂଗ୍ରହ କରିଥିଲେ। ବାସବରାଜ ଜାଡେଜା ୯୨ ବଲ୍‌ରୁ ୫୪ ରନ କରିଥିବାବେଳେ ଅର୍ପିତ ୨୮୭ ବଲ୍‌ ଖେଳି କ୍ୟାରିୟରର ୮ମ ପ୍ରଥମଶ୍ରେଣୀ ଶତକ(୧୦୬ ରନ) ହାସଲ କରିଥିଲେ। ମିଡଲ ଅର୍ଡରରେ ଚେତେଶ୍ୱର ପୂଜାରା ୨୩୭ ବଲ୍‌ରୁ ୬୬ ଓ ଶେଷଭାଗରେ ଧର୍ମେନ୍ଦ୍ରସିନ୍‌ ଜାଡେଜା ୩୩ ରନରେ ଅପରାଜିତ ରହିବାରୁ ପାଖାପାଖି ଅଢ଼େଇ ଦିନ ଖେଳି ସୌରାଷ୍ଟ୍ର ପ୍ରଥମ ଇନିଂସରେ ୪୨୫ ରନ ସ୍କୋର କରିଥିଲା। ବେଙ୍ଗଲର ଆକାଶଦୀପ ୪ଟି, ଶାହାବାଜ ଅହମ୍ମଦ ୩ଟି, ମୁକେଶ କୁମାର ୨ଟି ଓ ଈଶାନ ପୋରେଲ ଗୋଟିଏ ଉଇକେଟ ନେଇଥିଲେ।
ରଣଜୀ ଟ୍ରଫି ଟାଇଟଲ ହାସଲ କରିବାକୁ ହେଲେ ବେଙ୍ଗଲକୁ ପ୍ରଥମେ ପ୍ରଥମ ଇନିଂସରେ ସୌରାଷ୍ଟ୍ରଠାରୁ ଅଧିକ ସ୍କୋର କରିବା ଆବଶ୍ୟକ ହେଉଛି। ୩୫ ରନରେ ଦୁଇ ଓପ୍‌ନରଙ୍କୁ ହରାଇ ଦଳ ପ୍ରାରମ୍ଭିକ ବ୍ୟାଟିଂ ବିପର୍ଯ୍ୟୟ ଲାଭ କରିଥିବାବେଳେ ସୁଦୀପ ଚାଟାର୍ଜୀ ଓ ମନୋଜ ତିଓ୍ବାରୀ ୩ୟ ଉଇକେଟ ଯୋଡ଼ିରେ ୮୯ ରନ ଯୋଗକରି କିଛି ସମୟ ସ୍ଥିତି ସମ୍ଭାଳିଥିଲେ। ତେବେ ଦିବସର ଶେଷଭାଗରେ ମନୋଜଙ୍କ ଉଇକେଟ ହରାଇବାରୁ ବେଙ୍ଗଲ ପୁଣି ଆଶଙ୍କା ମଧ୍ୟରେ ରହିଛି। ୧୧୬ଟି ବଲ୍‌ର ସମ୍ମୁଖୀନ ହୋଇଥିବା ମନୋଜ ୩୫ ରନ କରିଥିବାବେଳେ ପ୍ରତିପକ୍ଷ ଚିରାଗ ଜାନିଙ୍କ ବଲ୍‌ରେ ଏଲବିଡବଲ୍ୟୁ ଆଉଟ ହୋଇ ଯାଇଥିଲେ। ତୃତୀୟ ଦିବସ ଷ୍ଟମ୍ପ୍ସ ବେଳକୁ ସୁଦୀପ ୧୪୫ ବଲ୍‌ରୁ ୪୭ ଓ ଅଭିଜ୍ଞ ରିଦ୍ଧିମାନ ଶାହା ୪୩ ବଲ୍‌ରୁ ୪ ରନ କରି ଅପରାଜିତ ଅଛନ୍ତି। ସୌରାଷ୍ଟ୍ରର ଡି. ଜାଡେଜା, ପ୍ରେରକ ମଙ୍ଗଡ ଓ ଚିରାଗ ଜାନି ଗୋଟିଏ ଲେଖାଏ ଉଇକେଟ ପାଇଛନ୍ତି।
ସଂକ୍ଷିପ୍ତ ସ୍କୋର
ସୌରାଷ୍ଟ୍ର ପ୍ରଥମ ଇନିଂସ: ୪୨୫/ଅଲଆଉଟ(ଅର୍ପିତ-୧୦୬, ପୂଜାରା-୬୬, ବାରୋଟ-୫୪, ବାସବରାଜ-୫୪, ଡି. ଜାଡେଜା-୩୩*, ଆକାଶ-୪/୯୮, ଶାହବାଜ ଅହମ୍ମଦ-୩/୧୦୩, ମୁକେଶ-୨/୧୦୩, ପୋରେଲ-୧/୫୧)।
ବେଙ୍ଗଲ ପ୍ରଥମ ଇନିଂସ: ୧୩୪/୩(ସୁଦୀପ ଚାଟାର୍ଜୀ-୪୭, ମନୋଜ-୩୫, ଡି. ଜାଡେଜା-୧/୪୩, ପ୍ରେରକ-୧/୭, ଚିରାଗ-୧/୧୬)।

Share