Posted inଖେଳ

ରଣଜୀ ଟ୍ରଫି: ଓଡ଼ିଶା ବନାମ ଝାଡ଼ଖଣ୍ଡ: ଇନିଂସ ଅଗ୍ରଣୀ ପାଇଁ ସଂଘର୍ଷ

କଟକ ଅଫିସ,୧୫ା୨-
ବାରବାଟୀ ଷ୍ଟାଡିୟମରେ ଚାଲିଥିବା ଓଡ଼ିଶା-ଝାଡ଼ଖଣ୍ଡ ରଣଜୀ ଟ୍ରଫି କ୍ରିକେଟ ମ୍ୟାଚ୍‌ରେ ଇନିଂସ ଅଗ୍ରଣୀ ପାଇଁ ସଂଘର୍ଷ ଜାରି ରହିଛି। ଓଡ଼ିଶାର ପ୍ରଥମ ଇନିଂସ ୪୩୬ରନ ଜବାବରେ ଶୁକ୍ରବାର ଖେଳ ଶେଷ ସୁଦ୍ଧା ଝାଡ଼ଖଣ୍ଡ ୯ ଉଇକେଟ ହରାଇ ୩୫୫ ରନ କରିଛି। ଝାଡ଼ଖଣ୍ଡ ୮୧ରନ ପଛରେ ଥିବା ବେଳେ ଓଡ଼ିଶା ଇନିଂସ ଅଗ୍ରଣୀଠାରୁ ମାତ୍ର ଗୋଟିଏ ଉଇକେଟ ଦୂରରେ ଅଛି। ଶନିବାର ତଥା ଅନ୍ତିମ ଦିବସରେ ମ୍ୟାଚରୁ ଫଳାଫଳ ବାହାରିବା କଷ୍ଟସାଧ୍ୟ। ତେଣୁ ମ୍ୟାଚ ଡ୍ର ଅଭିମୁଖେ ଗତି କରୁଛି ବୋଲି କୁହାଯାଇପାରିବ। ତେଣୁ କ୍ବାର୍ଟର ଫାଇନାଲରେ ସ୍ଥାନ ସୁରକ୍ଷିତ ପାଇଁ ବିଜୟ ଲକ୍ଷ୍ୟରେ ଥିବା ଓଡ଼ିଶାକୁ କେବଳ ଡ୍ରରେ ସନ୍ତୁଷ୍ଟ ରହିବାକୁ ପଡ଼ିବ। ତେବେ ମୂଲ୍ୟବାନ ପ୍ରଥମ ଇନିଂସ ଅଗ୍ରଣୀ ପାଇଁ ଓଡ଼ିଶା ନିକଟରେ ଭଲ ସୁଯୋଗ ରହିଛି।
ଓଡ଼ିଶା ୪୩୬ ରନରେ ଅଲଆଉଟ ହେବା ପରେ ଝାଡ଼ଖଣ୍ଡ ପ୍ରଥମ ଇନିଂସ ବ୍ୟାଟିଂ ଆରମ୍ଭ କରି ଗୁରୁବାର ଖେଳ ଶେଷ ସୁଦ୍ଧା ୨ ଉଇକେଟ ହରାଇ ୭୧ରନ କରିଥିଲା। କୁମାର ସୂରଜ ୪୨ ଓ ଉତ୍କର୍ଷ ସିଂ ୧୦ରନରେ ଅପରାଜିତ ଥିଲେ। ଶୁକ୍ରବାର ଖେଳ ଆରମ୍ଭର ୫ମ ଓଭରରେ ଉତ୍କର୍ଷ ୧୫ରନ କରିଥିବା ବେଳେ ରନଆଉଟ ହୋଇଥିଲେ। ଅଧିନାୟକ ସୌରଭ ତିୱାରୀ ଓ କୁମାର ସୂରଜଙ୍କ ମଧ୍ୟରେ ୭୯ରନର ଭାଗୀଦାରି ସୃଷ୍ଟି ହୋଇଥିଲା। ଇତିମଧ୍ୟରେ ୭୮ ବଲରୁ ଅର୍ଦ୍ଧଶତକ ଓ ୧୩୦ ବଲରୁ ସୂରଜ ଶତକ ହାସଲ କରିଥିଲେ। ଅଧିନାୟକ ସୌରଭ ଧିମାଗତିରେ ରନ ସଂଗ୍ରହ କରୁଥିବା ଦେଖିବାକୁ ମିଳିଥିଲା। ୧୩୭ ବଲରୁ ୧୦୭ ରନ କରିଥିବା ବେଳେ ସୂରଜଙ୍କୁ ଗୋବିନ୍ଦ ପୋଦ୍ଦାର କ୍ଲିନବୋଲ୍ଡ କରି ଦଳକୁ ଗୁରୁତ୍ୱପୂର୍ଣ୍ଣ ବ୍ରେକଥ୍ରୁ ଦେଇଥିଲେ। ପରେ ୮୪ ବଲରୁ ୨୧ରନ କରିଥିବା ସୌରଭ ଦେବବ୍ରତ ପ୍ରଧାନଙ୍କ ବଲରେ ଏଲବିଡବ୍ଲ୍ୟୁ ହୋଇଥିଲେ। ୧୩ରନ ବ୍ୟବଧାନରେ ଏହି ଦୁଇ ବ୍ୟାଟ୍ସମ୍ୟାନ ପ୍ୟାଭିଲିୟନ ଫେରିଥିଲେ। ୧୮୩ ରନରେ ଦଳ ୫ଟି ଉଇକେଟ ହରାଇଥିଲା। ବ୍ୟାଟିଂ କ୍ରମ ୬ନଂରେ କ୍ରିଜକୁ ଆସିଥିବା ବାମହାତୀ ବ୍ୟାଟ୍ସମ୍ୟାନ ବିରାଟ ସିଂଙ୍କ ବ୍ୟାଟ୍‌ରୁ ବଡ଼ ଶଟ୍‌ ଦେଖିବାକୁ ମିଳିଥିଲା। ଇତିମଧ୍ୟରେ ଉଇକେଟ କିପର ଇଶାନ କିଶାନ ୧୩, ସାହିଲ ରାଜ ୩୦ ଓ ଆଶିଷ କୁମାର ୪ରନରେ ଆଉଟ ହୋଇଥିଲେ। ୧୦ ଚୌକା ଓ ୩ ଛକା ବଳରେ ୮୩ରନ କରି ବିରାଟ ୯ମ ବ୍ୟାଟ୍ସମ୍ୟାନ ଭାବେ ପ୍ୟାଭିଲିୟନ ଫେରିଛନ୍ତି। ଅନ୍ତିମ ଉଇକେଟ ଯୋଡ଼ିରେ ରାହୁଲ ଶୁକ୍ଳା ଓ ଅଜୟ ଯାଦବ ୪୯ରନର ଅପରାଜିତ ଭାଗୀଦାରି ସୃଷ୍ଟି କରିଛନ୍ତି। ଏହି ଦୁଇ ନିମ୍ନକ୍ରମର ବ୍ୟାଟ୍ସମ୍ୟାନ ଶୁକ୍ରବାର ଖେଳର ଅନ୍ତିମ ସେସନ୍‌ରେ ଓଡ଼ିଶା ବୋଲରଙ୍କୁ ନିରାଶ କରିଥିଲେ। ଉଭୟ ସତର୍କତାର ସହ ୧୪ ଓଭର ବ୍ୟାଟିଂ କରିଛନ୍ତି। ରାହୁଲ ୨୫ ଓ ଅଜୟ ୨୧ ରନରେ ଅପରାଜିତ ଅଛନ୍ତି। ଓଡ଼ିଶା ପକ୍ଷରୁ ସୂର୍ଯ୍ୟକାନ୍ତ ପ୍ରଧାନ ୩ଟି, ବସନ୍ତ ମହାନ୍ତି ଓ ଦେବବ୍ରତ ପ୍ରଧାନ ୨ଟି ଲେଖାଏ ଏବଂ ଗୋବିନ୍ଦ ପୋଦ୍ଦାର ଗୋଟିଏ ଉଇକେଟ ଅକ୍ତିଆର କରିଛନ୍ତି।
ସଂକ୍ଷିପ୍ତ ସ୍କୋର
ଓଡ଼ିଶା ପ୍ରଥମ ଇନିଂସ: ୪୩୬/ଅଲଆଉଟ(ଦେବାଶିଷ ସାମନ୍ତରାୟ-୧୫୬, ବିପ୍ଳବ ସାମନ୍ତରାୟ-୭୪, ଅନୁରାଗ ଷଡ଼ଙ୍ଗୀ-୬୫, ଗୋବିନ୍ଦ ପୋଦ୍ଦାର-୩୧, ଦେବବ୍ରତ ପ୍ରଧାନ-୨୬, ଆଶୁଷ କୁମାର-୬/୭୯, ଅଜୟ ଯାଦବ-୧/୯୨, ରାହୁଲ ଶୁକ୍ଳା-୧/୧୦୧, ସାହିଲ ରାଜ-୧/୪୭, ଉତ୍କର୍ଷ ସିଂ-୧/୧୦୯)।
ଝାଡ଼ଖଣ୍ଡ ପ୍ରଥମ ଇନିଂସ: ୩୫୫/୯(କୁମାର ସୂରଜ-୧୦୭, ବିରାଟ ସିଂ-୮୩, ସାହିଲ ରାଜ-୩୦, ରାହୁଲ ଶୁକ୍ଳା-୨୫*, ଅଜୟ ଯାଦବ-୨୧*, ସୂର୍ଯ୍ୟକାନ୍ତ ପ୍ରଧାନ-୩/୮୬, ବସନ୍ତ ମହାନ୍ତି-୨/୫୨, ଦେବବ୍ରତ ପ୍ରଧାନ-୨/୮୫, ଗୋବିନ୍ଦ ପୋଦ୍ଦାର-୧/୮୦)।

କ୍ବାର୍ଟର ଦୌଡ଼ରେ…
ଚଳିତ ସିଜନରେ ଓଡ଼ିଶା କ୍ବାର୍ଟର ଫାଇନାଲର ନିକଟତର ହୋଇଛି। ୨ବର୍ଷର ବ୍ୟବଧାନ ପରେ ପୁଣିଥରେ ଓଡ଼ିଶା କ୍ବାର୍ଟରରେ ପ୍ରବେଶ କରିବାର ସୁଯୋଗ ରହିଛି। ତେବେ ଏଲିଟ୍‌ ଗ୍ରୁପ-ସିରୁ ୩ଟି ଦଳ କ୍ବାର୍ଟର ଫାଇନାଲ ପାଇଁ ପ୍ରମୁଖ ଆଶାୟୀ ରହିଛନ୍ତି। ଏହି ୩ ଦଳ ହେଲେ ଜମ୍ମୁ-କଶ୍ମୀର, ଓଡ଼ିଶା ଓ ସର୍ଭିସେସ୍‌। ୨ ଦଳକୁ ମିଳିବ କ୍ବାର୍ଟର ଫାଇନାଲ ଟିକେଟ୍‌। ୩ଟି ଯାକ ଦଳ ଲିଗ ପର୍ଯ୍ୟାୟର ଅନ୍ତିମ ମ୍ୟାଚ୍‌ ଖେଳୁଥିବା ବେଳେ ଅଧିକ ପଏଣ୍ଟ ପାଇବାକୁ ନେଇ ଉଦ୍ୟମ କରୁଥିବା ଦେଖିବାକୁ ମିଳୁଛି। କୌଣସି ବି ଦଳ ନିର୍ଣ୍ଣାୟକ ମ୍ୟାଚ୍‌ରେ ଦମ୍‌ଦାର ପ୍ରଦର୍ଶନ କରିପାରିନାହାନ୍ତି। ୮ଟି ମ୍ୟାଚ୍‌ରୁ ୩୫ ପଏଣ୍ଟ ହାସଲ କରି ଓଡ଼ିଶା ଏଲିଟ ଗ୍ରୁପ-ସିର ଦ୍ୱିତୀୟ ସ୍ଥାନରେ ରହିଛି। ସମାନ ସଂଖ୍ୟକ ମ୍ୟାଚ୍‌ରୁ ୩୯ ପଏଣ୍ଟ ହାସଲ କରି ଜମ୍ମୁ-କଶ୍ମୀର ଶୀର୍ଷରେ ଥିବା ବେଳେ ୩୩ ପଏଣ୍ଟ ପାଇ ସର୍ଭିସେସ୍‌ ୩ୟ ସ୍ଥାନରେ ରହିଛି। ଓଡ଼ିଶା-ଝାଡ଼ଖଣ୍ଡ ମ୍ୟାଚ୍‌ ଡ୍ର ହେବ ବୋଲି ଆଶା କରାଯାଉଛି। ଆଉ ଗୋଟିଏ ଦିନର ଖେଳ ବାକିଥିବା ବେଳେ କୌଣସି ଦଳ ବିଜୟୀ ହେବାର ଚିତ୍ର ସ୍ପଷ୍ଟ ହେଉନି। ସେହିପରି ଜମ୍ମୁଠାରେ ଚାଲିଥିବା ଜମ୍ମୁ-କଶ୍ମୀର ଓ ହରିୟାଣା ମ୍ୟାଚ୍‌ ରେ ଉଭୟ ଦଳ ପାଇଁ ରହିଛି ବିଜୟ ସୁଯୋଗ। ହାତରେ ୫ ଉଇକେଟ ଥିବାବେଳେ ହରିୟାଣା ଚତୁର୍ଥ ଦିବସରେ ବିଜୟ ନିମନ୍ତେ ୧୨୧ରନ ଆବଶ୍ୟକ କରୁଛି। ଜମ୍ମୁ-କଶ୍ମୀର ମଧ୍ୟ ବିଜୟ ପଏଣ୍ଟ ହାସଲ କରି ଏକତରଫା ଭାବେ କ୍ବାର୍ଟରରେ ସ୍ଥାନ ସୁରକ୍ଷିତ କରିବ ବୋଲି କହିବା ସମ୍ଭବ ନୁହେଁ। କ୍ବାର୍ଟରର ଅନ୍ୟ ଏକ ଆଶାୟୀ ସର୍ଭିସେସ୍‌ ଦଳ ରାୟପୁରଠାରେ ଘରୋଇ ଛତିଶଗଡ଼ ବିପକ୍ଷରେ ମ୍ୟାଚ୍‌ ଖେଳୁଛି। ଛତିଶଗଡ଼ ଦ୍ୱିତୀୟ ଇନିଂସରେ ୧ ଉଇକେଟ ବିନିମୟରେ ୩୨୫ ରନ କରିବା ସହ ୧୦୬ ରନର ଅଗ୍ରଣୀ ହାସଲ କରିଛି। ଏଣୁ ଉକ୍ତ ମ୍ୟାଚ୍‌ର ଫଳାଫଳ ମଧ୍ୟ ନିର୍ଣ୍ଣୟ ହେବା କଷ୍ଟକର ହୋଇପଡ଼ିଛି।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

୩.୨ ଓଭର-୦ ରନ୍‌-୭ ଉଇକେଟ୍‌: ଡେବ୍ୟୁ ମ୍ୟାଚ୍‌ରେ ଇତିହାସ ରଚିଲେ ଏହି କ୍ରିକେଟର୍‌

ବାଲି,୨୬।୪: ଇଣ୍ଡୋନେସିଆର ବାଲିରେ ଖେଳାଯାଇଥିବା ଅନ୍ତର୍ଜାତୀୟ ମହିଳା ଟି-୨୦ ମ୍ୟାଚରେ ବିଶ୍ୱ ରେକର୍ଡ ହାସଲ କରିଛନ୍ତି ଇଣ୍ଡୋନେସିଆର ବୋଲର ରୋହମାଲିଆ। ଏହି ୧୭ ବର୍ଷୀୟା ଅଫ...

ଆରସିବିର ବିଜୟ ପରେ ବଦଳିଗଲା ପଏଣ୍ଟ୍‌ ଟେବୁଲ୍‌: ଅରେଞ୍ଜ୍‌-ପର୍ପଲ କ୍ୟାପ୍‌ ରେସ୍‌ ବି ହେଲା ରୋଚକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ସନରାଇଜର୍ସ ହାଇଦ୍ରାବାଦକୁ ୩୫ ରନରେ ପରାସ୍ତ କରିଛି। ଏହି ସିଜିନ୍‌ରେ ଏହା ଆରସିବିର ଦ୍ୱିତୀୟ...

ଶେଷରେ ରିଙ୍କୁ ସିଂଙ୍କ ମନବାଞ୍ଛା ପୂରଣ କଲେ କୋହଲି

ନୂଆଦିଲ୍ଲୀ,୨୬।୪: ଆଇପିଏଲରେ ଅନେକ ରୋଚକ ଘଟଣା ଦେଖିବାକୁ ମିଳେ। ସେହିଭଳି ବର୍ତ୍ତମାନ କିଛି ଦିନ ଧରି କୋଲକାତା ନାଇଟ ରାଇଡର୍ସର ରିଙ୍କୁ ସିଂ ଏବଂ ବିରାଟ...

ଏବେ ବି ଆରସିବିର ପ୍ଲେ ଅଫ୍‌ ଆଶା ଜୀବନ୍ତ: ଜାଣନ୍ତୁ କ’ଣ ରହିଛି ସମୀକରଣ

ହାଇଦ୍ରାବାଦ,୨୬।୪: ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫ ରନ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ପରାସ୍ତ କରିଛି । ଫାଫ ଡୁ ପ୍ଲେସିସ୍ଙ୍କ ନେତୃତ୍ୱରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ୩୫...

ଆଜି ଶାନ୍ତିରେ ଟିକେ ଶୋଇବି, କାହିଁକି ଏମିତି କହିଲେ ଆର୍‌ସିବି ଅଧିନାୟକ

ହାଇଦ୍ରାବାଦ,୨୬।୪: ଆଇପିଏଲ ୨୦୨୪ର ୪୧ତମ ମ୍ୟାଚ ହାଇଦ୍ରାବାଦର ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଇଥିଲା। ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଏବଂ ରୟାଲ ଚ୍ୟାଲେଞ୍ଜର୍ସ...

୧୦ ସିଜନ…୪୦୦ପ୍ଲସ ରନ…,ଇତିହାସ ରଚିଲେ କୋହଲି, ଆଇପିଏଲରେ ଏମିତି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ

ନୂଆଦିଲ୍ଲୀ,୨୫।୪: ବିରାଟ କୋହଲି ଆଇପିଏଲ ୨୦୨୪ରେ ଭଲ ବ୍ୟାଟିଂ କରୁଛନ୍ତି। କୋହଲି ତାଙ୍କ ନାମରେ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷ ମ୍ୟାଚରେ ଏକ ବଡ଼ ସଫଳତା ହାସଲ...

ପନ୍ତଙ୍କ ପରେ ଦ୍ୱିତୀୟ ୱିକେଟ୍ କିପର କିଏ ? ହାର୍ଦ୍ଦିକଙ୍କ ପାଇଁ ଚିନ୍ତାର କାରଣ ଖରାପ ଫର୍ମ; ଅକ୍ସର, ଆବେଶ, ବିଷ୍ଣୋଇଙ୍କ ମଧ୍ୟରୁ ଜଣେ

ମୁମ୍ବାଇ,୨୫।୪: ଟି -୨୦ ବିଶ୍ୱକପରେ ଭାରତର ୱିକେଟ୍ କିପର କିଏ ହେବେ? ବର୍ତ୍ତମାନ ଭାରତୀୟ ପ୍ରଶଂସକଙ୍କ ମାନେ ଏହା ସବୁଠୁ ବଡ଼ ପ୍ରଶ୍ନ। ଦୁର୍ଘଟଣାରୁ ଫେରିବା...

‘ଆମେ ୬ ବଲ୍‌ରେ ୬ ଛକା ମାରିବୁ’

ଲକ୍ଷ୍ନୌ,୨୫।୪: ସମାଜବାଦୀ ପାର୍ଟୀ(ଏସ୍‌ପି) ମୁଖ୍ୟ ଅଖିଳେଶ ଯାଦବ ଗୁରୁବାର କନୈାଜ ଲୋକ ସଭା ଆସନରୁ ନାମାଙ୍କନପତ୍ର ଦାଖଲ କରିଛନ୍ତି। ଏହାପରେ ସେ ଭାଜପା ପ୍ରାର୍ଥୀ ସୁବ୍ରତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri