Categories: ଖେଳ

ରଜତଙ୍କ ପୁନଃ ଅବସ୍ଥାନ ନେଇ ଓମ୍ବୁଡ୍ସମ୍ୟାନଙ୍କ ନିର୍ଦ୍ଦେଶକୁ ପ୍ରତ୍ୟାଖ୍ୟାନ

ନୂଆଦିଲ୍ଲୀ,୧୯।୧୧(ପି.ଟି.)- ଅଧ୍ୟକ୍ଷ ହିସାବରେ ବରିଷ୍ଠ ପତ୍ରକାର ରଜତ ଶର୍ମାଙ୍କ ପୁନଃ ଅବସ୍ଥାନ ନେଇ ଓମ୍ବୁଡ୍ସମ୍ୟାନ ଦେଇଥିବା ନିର୍ଦ୍ଦେଶକୁ ଦିଲ୍ଲୀ ଆଣ୍ଡ ଡିଷ୍ଟ୍ରିକ୍ଟ କ୍ରିକେଟ ଆସୋସିଏଶନ (ଡିଡିସିଏ) ଆପେକ୍ସ କାଉନସିଲ ପ୍ରତ୍ୟାଖାନ କରିଛି। ରଜତ ଶନିବାର ଡିଡିସିଏ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଥିଲେ। ଚାପରେ କାର୍ଯ୍ୟ କରିବାରେ ଅସୁବିଧା ହେଉଥିବାରୁ ସେ ପଦ ଛାଡିଥିଲେ। ତେବେ ଡିଡିସିଏ ଓମ୍ବୁଡ୍ସମ୍ୟାନ ରବିବାର ରଜତଙ୍କ ଇସ୍ତଫାକୁ ଗ୍ରହଣ କରି ନ ଥିଲେ ଓ ତାଙ୍କୁ ପୁଣି ପଦ ସମ୍ଭାଳିବାକୁ ନିର୍ଦ୍ଦେଶ ଦେଇଥିଲେ। ଏଥିସହିତ ସେ ଆସନ୍ତା ୨୭ ତାରିଖରେ ଏ ନେଇ ଔପଚାରିକ ଭାବେ ଶୁଣାଣି କରିବାକୁ ସମ୍ମତି ପ୍ରକାଶ କରିଥିଲେ। ତେବେ ତାଙ୍କର ଏହି ନିଷ୍ପତ୍ତିକୁ ସ୍ବାଗତ କରାଯାଇ ନ ଥିଲା। ଆପେକ୍ସ କାଉନସିଲର ୧୫ ଜଣ ସଦସ୍ୟଙ୍କ ମଧ୍ୟରୁ ୯ ଜଣ ବିଭିନ୍ନ କାରଣ ଦର୍ଶାଇ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲେ। ଆପଣଙ୍କ ପୁନଃ ଯୋଗଦାନ କୌଣସି କାମକୁ ନୁହଁ ବୋଲି କାଉନସିଲ ରଜତଙ୍କୁ ଚିଠି ଲେଖ ଜଣାଇଛି। ଉଲ୍ଲେଖଥାଉ କି, ରଜତ ଶର୍ମାଙ୍କ ସହିତ କ୍ରିକେଟ ଉପଦେଷ୍ଟା କମିଟି (ସିଏସି)ର ଦୁଇ ସଦସ୍ୟ ସୁନୀଲ ଭାଲସନ ଓ ୟଶପାଲ ଶର୍ମା, ମୁଖ୍ୟ କାର୍ଯ୍ୟନିର୍ବାହୀ ରବି ଚୋପ୍ରା ମଧ୍ୟ ଇସ୍ତଫା ଦେଇଥିଲେ। ତେବେ ଚୋପ୍ରା ସୋମବାର କାର୍ଯ୍ୟରେ ପୁଣି ଯୋଗ ଦେଇଥିଲେ।

Share