ଅମରପାଲି,୩୧।୮( ପୀତାମ୍ବର ସାହୁ): ଯୌତୁକ ଦାବିକୁ କେନ୍ଦ୍ର କରି ଜଣେ ବିବାହିତା ମହିଳାଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ନେଇ ବୀରମହାରାଜପୁର ଥାନାରେ ଅଭିଯୋଗ ହୋଇଛି। ଏହି ଘଟଣାରେ ମୃତକଙ୍କ ସ୍ବାମୀଙ୍କ ସମେତ ପରିବାରର ଅନ୍ୟ ସଦସ୍ୟଙ୍କ ନାମରେ ମାମଲା ରୁଜୁ ହୋଇଥିବାବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି।
ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ଥାନା ଅନ୍ତର୍ଗତ ହିଙ୍ଗମା ପଞ୍ଚାୟତର ଗୁରପଙ୍ଗା ଗ୍ରାମରେ ଏଭଳି ଅଭିଯୋଗ ଆସିଛି। ମୃତକ ହେଲେ ଝିଲି କର୍ଣ୍ଣ (୨୮)। ଏନେଇ ମୃତକଙ୍କ ବାପା ଉଲୁଣ୍ଡା ବ୍ଲକ କାଦୋଦର ପଞ୍ଚାୟତ ଅନ୍ତର୍ଗତ ବିରସିଂପୁର ଗ୍ରାମର ପଞ୍ଚୁ କର୍ଣ୍ଣ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।
ଅଭିଯୋଗ ଅନୁଯାୟୀ, ୨୦୧୮ ମସିହାରେ ଝିଲିଙ୍କ ସହ ଗୁରପଙ୍ଗା ଗ୍ରାମର ମନୋଜ ପ୍ରଧାନଙ୍କ ବୈଦିକ ରୀତିନୀତିରେ ବିବାହ ହୋଇଥିଲା। ବିବାହ ପରଠାରୁ ଝିଲିଙ୍କ ସ୍ବାମୀ , ଶ୍ୱଶୁର ଓ ପରିବାର ଲୋକେ ଯୌତୁକ ଦାବି କରି ତାଙ୍କୁ ବିଭିନ୍ନ ସମୟରେ ନିର୍ଯାତନା ଦେଇ ଆସୁଥିବା ଅଭିଯୋଗରେ ଦର୍ଶାଯାଇଛି।
ଗତ ୨୮ ତାରିଖରେ ଝିଲିଙ୍କୁ ବିଷ ପିଆଇ ହତ୍ୟା କରାଯାଇଥିବା ପଞ୍ଚୁ କର୍ଣ୍ଣ ତାଙ୍କ ଅଭିଯୋଗରେ ଉଲ୍ଲେଖ କରିଛନ୍ତି। ଝିଲିଙ୍କ ଅବସ୍ଥା ଗୁରୁତର ହେବା ପରେ ପ୍ରଥମେ ତାଙ୍କୁ ସୋନପୁର ମେଡିକାଲକୁ ନିଆଯାଇଥିଲା। ସେଠାରେ ଅବସ୍ଥା ଅଧିକ ଗୁରୁତର ଥିବାରୁ ତାଙ୍କୁ ବୁର୍ଲାସ୍ଥିତ ଭୀମସାରକୁ ସ୍ଥାନାନ୍ତର କରାଯାଇଥିଲା। ତେବେ ସେଠାରେ ଗତ ୨୯ରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।
ଏନେଇ ରବିବାର ଅପରାହ୍ନରେ ମୃତକଙ୍କ ବାପା ପଞ୍ଚୁ କର୍ଣ୍ଣ ବୀରମହାରାଜପୁର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ମୃତକଙ୍କ ସ୍ବାମୀ ମନୋଜ ପ୍ରଧାନଙ୍କ ସମେତ ଧନ ପ୍ରଧାନ, ନିଧି ପ୍ରଧାନ, ଅମୂଲ୍ୟ ପ୍ରଧାନ, ରୂପକାନ୍ତି ପ୍ରଧାନ, ମୀନା ପ୍ରଧାନ, ଅଞ୍ଜଳି ପ୍ରଧାନ, କାର୍ତ୍ତିକ ପ୍ରଧାନ ଓ ନୁରା ପ୍ରଧାନଙ୍କ ନାମରେ ମାମଲା ରୁଜୁ ହୋଇଛି। ମହିଳାଙ୍କ ଅଭିଯୁକ୍ତ ସ୍ବାମୀଙ୍କ ସମେତ ମୋଟ ୧୦ ଜଣଙ୍କ ବିରୋଧରେ ମାମଲା ହୋଇଥିବା ଅଭିଯୋଗରେ ଉଲ୍ଲେଖ ରହିଛି।
ଅଭିଯୋଗ ପାଇବା ପରେ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବୀରମହାରାଜପୁର ଥାନା ଅଧିକାରୀ ଯଯାତି କେଶରୀ ସାହୁ ପ୍ରକାଶ କରିଛନ୍ତି।

