Categories: ଖେଳ

ମୟଙ୍କ ବୈଦ ଏଣ୍ଡୁରୋମାନ ଟ୍ରାଇଥଲନ ଶେଷ କରିବାରେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ, ୧୭ | ୯- ଏଣ୍ଡୁରୋମାନ ଟ୍ରାଇଥଲନ ଶେଷ କରିବାରେ ପ୍ରଥମ ଭାରତୀୟ ହେବାର ସୌଭାଗ୍ୟ ଲାଭ କରିଛନ୍ତି ମୟଙ୍କ ବୈଦ। ଏହି ବିରଳ ସଫଳତା ହାସଲ କରିବାରେ ସେ ବିଶ୍ୱର ୪୪ତମ ଏବଂ ଏସିଆର ପ୍ରଥମ ବ୍ୟକ୍ତି। ଇଂଲଣ୍ଡରୁ ଫ୍ରାନ୍ସ ୨୮୯ ମାଇଲରୁ ଊର୍ଦ୍ଧ୍ୱ ଦୂରତା ବିଶିଷ୍ଟ ଏହି ଟ୍ରାଇଥଲନ୍‌ ନିଜ ସାମର୍ଥ୍ୟରେ ଶେଷ କରିବାକୁ ହୋଇଥାଏ। ଏଥିରେ ରନିଂ, ସୁଇମିଂ ଏବଂ ସାଇକ୍ଲିଂ ତିନୋଟି ବିଭାଗ ରହିଛି। ଏହି ଟ୍ରାଇଥଲନର ପୂର୍ବ ରେକର୍ଡ ବେଲଜିୟମର ଜୁଲିଏନ୍‌ ଡେନେୟରଙ୍କ ନାମରେ ରହିଥିଲା। ସେ ୫୨ ଘଣ୍ଟା ଏବଂ ୩୦ ମିନିଟ୍‌ ସମୟ ନେଇଥିଲେ। ବୈଦ କିନ୍ତୁ ଏହି ଦୂରତାକୁ ଅତିକ୍ରମ କରିବା ଲାଗି ୫୦ ଘଣ୍ଟା ଓ ୨୪ ମିନିଟ୍‌ ସମୟ ନେଇଥିଲେ। ଲଣ୍ଡନର କେଣ୍ଟ୍‌ ଉପକୂଳସ୍ଥିତ ମାର୍ବଲ ଆର୍କଠାରୁ ଡୋଭର ପର୍ଯ୍ୟନ୍ତ ୧୪୦ କିଲୋମିଟର ଦୌଡ଼ ସହ ଏହି ଟ୍ରାଇଥଲନ ଆରମ୍ଭ ହୋଇଥାଏ। ପରେ ସନ୍ତରଣରେ ଫ୍ରେଞ୍ଚ ଉପକୂଳ ପର୍ଯ୍ୟନ୍ତ ୩୩.୮ କିଲୋମିଟର ଦୀର୍ଘ ଚ୍ୟାନେଲ ଅତିକ୍ରମ କରିବାକୁ ପଡ଼ିଥାଏ। ଏହାପରେ କାଲାଇସ୍‌ଠାରୁ ପ୍ୟାରିସ୍‌ର ଆର୍କ ଡି’ ଟ୍ରିଓମ୍ଫ୍‌ ପର୍ଯ୍ୟନ୍ତ ସାଇକ୍ଲିଂରେ ଅତିକ୍ରମ କରିବାକୁ ହୋଇଥାଏ। ବୈଦ ଏକ ସାକ୍ଷାତ୍‌କାରରେ କହିଛନ୍ତି, ଏହା ହେଉଛି ବିଶ୍ୱର ଅନ୍ୟତମ କଠିନ ପ୍ରତିଯୋଗିତା। ସନ୍ତରଣ ଏବଂ ସାଇକ୍ଲିଂ ପର୍ଯ୍ୟାୟ ସବୁଠାରୁ କଷ୍ଟକର।

Share