Categories: ଖେଳ

ମ୍ୟାଗ୍ନସ କାର୍ଲସେନ ଚାମ୍ପିୟନ

ଚେନ୍ନାଇ, ୧୬।୬-ବିଶ୍ୱ ଚାମ୍ପିୟନ ମ୍ୟାଗ୍ନସ କାର୍ଲସେନ ଠିକ୍‌ ସମୟରେ ଉପଯୁକ୍ତ ଗୋଟି ଚାଳନା କରି ଅନ୍‌ଲାଇନ୍‌ କ୍ଲଚ ଅନ୍ତର୍ଜାତୀୟ ଚେସ୍‌ ଟାଇଟଲ ହାସଲ କରିଛନ୍ତି। ଏକଦା ଆଶଙ୍କା ମଧ୍ୟରେ ରହିଥିବା ଏହି ନରଓ୍ବେ ଚେସ୍‌ ତାରକା ଧୈର୍ଯ୍ୟ ଓ ବୁଦ୍ଧିମତ୍ତାର ପରିଚୟ ଦେଇ ଫାଇନାଲରେ ଆମେରିକା ଗ୍ରାଣ୍ଡମାଷ୍ଟର ଫାବିଆନୋ କାରୁଆନାଙ୍କୁ ୯.୫-୮.୫ ପଏଣ୍ଟରେ ପରାସ୍ତ କରିଛନ୍ତି। ମୁକାବିଲା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ହୋଇଥିଲା। କେହି କାହାରିକୁ ଛାଡ଼ିବା ପରିସ୍ଥିତିରେ ନ ଥିଲେ। ୧୧ତମ ଗେମ୍‌ରେ କାର୍ଲସେନ ଅସୁରକ୍ଷିତ ଅବସ୍ଥାରେ ରହିଥିଲେ ଏବଂ ହାରି ଯାଇଥିଲେ। ତେବେ ୧୨ତମ ଗେମ୍‌ ବେଳକୁ ସ୍ଥିତି ପରିବର୍ତ୍ତନ ହୋଇ ଯାଇଥିଲା। ବିଶ୍ୱର ନମ୍ବରଓ୍ବାନ ଖେଳାଳିଭାବେ ନିଜକୁ ପ୍ରମାଣିତ କରିଥିଲେ ଏହି ସୁପର ଗ୍ରାଣ୍ଡମାଷ୍ଟର। ସେ ଟାଇଟଲ ଜିତିବା ସହ ଶ୍ରେଷ୍ଠ ଖେଳାଳି ପୁରସ୍କାର ହାସଲ କରିଥିଲେ। ”୧୨ତମ ଗେମ୍‌ ବେଳକୁ ମୁଁ ହାଲୁକା ହୋଇ ଯାଇଥିଲି। କାରଣ ମୋ ହାତରେ ଆଉ ଏକ ସୁଯୋଗ ଅଛି ବୋଲି ଜାଣିଥିଲି। ୧୧ତମ ଗେମ୍‌ ଯେପରି ଆଗକୁ ବଢ଼ିଥିଲା ମୁଁ ହାରିଯିବି ବୋଲି ଜାଣି ପାରିଥିଲି। ତେବେ ମ୍ୟାଚରେ କଡ଼ା ଟକ୍କର ହୋଥିଲା। ୧୨ତମ ଗେମ୍‌ରେ କାରୁଆନାଙ୍କୁ ଚାପରେ ରଖିଲେ ମୁଁ ଜିତିପାରିବି ବୋଲି ହୃଦ୍‌ବୋଧ ହୋଇଥିଲା। ଯୋଜନାବଦ୍ଧଭାବେ ଖେଳିଥିଲି। ତାହା କାମ ଦେଇଥିଲା ଏବଂ ମୁଁ ବିଜୟ ହାସଲ କରିଥିଲି“ ବୋଲି କାର୍ଲସେନ ପ୍ରକାଶ କରିଛନ୍ତି।
ଜୁନ ୬ରୁ ଆରମ୍ଭ ହୋଇଥିବା ଏହି ପ୍ରତିଯୋଗିତା ୧୪ରେ ଶେଷ ହୋଇଥିଲା। ଏଥିରେ ବିଶ୍ୱର ଶ୍ରେଷ୍ଠ ୮ ଖେଳାଳି ଭାଗ ନେଇଥିଲେ। କାର୍ଲସେନ ଓ କାରୁଆନାଙ୍କ ବ୍ୟତୀତ ଆମେରିକାର ଜେଫ୍ରି ଜିଅଙ୍ଗ, ଫ୍ରାନ୍ସର ମାକ୍ସିମେ ଭାଚିଏର-ଲାଗ୍ରାଭେ, ଫିଲିପାଇନ୍ସର ଓ୍ବେସଲି ସୋ, କ୍ୟୁବାର ଲେଇନେର ଡୋମିନଗୁଜ୍‌, ରୁଷିଆର ଆଲେକଜାଣ୍ଡର ଗ୍ରିଶ୍ଚୁକ୍‌ ଓ ଆମେରିକାର ଲେଭନ ଆରୋନିଆନ ଭାଗ ନେଇଥିଲେ। ପ୍ରତିଯୋଗିତାର ୫ ଓ ୬ ଗେମ୍‌ରେ ୨ ପଏଣ୍ଟ ଲେଖାଏ ଏବଂ ୧୧ ଓ ୧୨ତମ ଗେମ୍‌ରେ ବିଜେତାଙ୍କୁ ୩ ପଏଣ୍ଟ ଲେଖାଏ ଦିଆ ଯାଇଥିଲା। କାର୍ଲସେନ ପ୍ରଥମ ଦୁଇ ଗେମ୍‌ ଡ୍ର ରଖିଥିବାବେଳେ ତୃତୀୟରେ ବିଜୟୀ ହୋଇଥିଲେ ଏବଂ ୪ର୍ଥରେ ପରାଜିତ ହୋଇଥିଲେ। ୫ମ ଗେମ୍‌କୁ ଜିତି ସେ ସଫଳ ପ୍ରତ୍ୟାବର୍ତ୍ତନ କରିଥିଲେ ହେଁ ୬ଷ୍ଠ ଗେମ୍‌ରେ ହାରିବାରୁ ମୁକାବିଲା ୪-୪ ସ୍ଥିତିରେ ରହିଥିଲା। ୭ମ ଗେମ୍‌ରେ ବିଜୟୀ ହୋଇଥିଲେ ଏବଂ ୮ମ ଗେମ୍‌କୁ ଡ୍ର ରଖିଥିଲେ। ୯ମ ଗେମ୍‌ରେ ହାରି ଯାଇଥିଲେ ହେଁ ୧୦ମ ଗେମ୍‌ରେ ବିଜୟୀ ହୋଇଥିଲେ। ତେବେ ୧୧ତମ ଗେମ୍‌ରେ ହାରିଯିବାରୁ ପ୍ରତିପକ୍ଷ କାରୁଆନାଙ୍କ ପାଇଁ ସୁଯୋଗ ସୃଷ୍ଟିହୋଇଥିଲା। ୧୨ତମ ଗେମ୍‌କୁ ଅତିକମ୍‌ରେ ଡ୍ର ରଖିପାରିଥିଲେ କାରୁଆନା ଚାମ୍ପିୟନ ହୋଇଥାନ୍ତେ। ମାତ୍ର ଶେଷ ଗେମ୍‌ରେ ବିଜୟୀ ହୋଇ ମୂଲ୍ୟବାନ ୩ ପଏଣ୍ଟ ହାସଲ କରି ମ୍ୟାଚ ଜିତିଥିଲେ କାର୍ଲସେନ।

Share