ମୋ ଗେହ୍ଲା ଝିଅ, ନିର୍ଭୟ କଢ଼ି କାର୍ଯ୍ୟକ୍ରମ: ଅଷ୍ଟମ ଶ୍ରେଣୀ ଛାତ୍ରୀ ମାମାଲି ବ୍ରାଣ୍ଡ ଆମ୍ବାସଡର

ଛତ୍ରପୁର,୪ା୧୨(ଡି.ଏନ.ଏ.)-ଗଞ୍ଜାମ ଜିଲାରେ ମୋ’ ଗେହ୍ଲାଝିଅ ଓ ନିର୍ଭୟ କଢ଼ି କାର୍ଯ୍ୟକ୍ରମ ସଫଳତାର ସହ କାର୍ଯ୍ୟକାରୀ ହେଉଛି। କନ୍ୟା ସନ୍ତାନ ଜନ୍ମ ଦେଉଥିତ୍ବା ମା’ମାନଙ୍କୁ ସମ୍ବର୍ଦ୍ଧନା ଦେବା ଠାରୁ ଆରମ୍ଭ କରି ଦଶମ ଓ ଦ୍ୱାଦଶ ଶ୍ରେଣୀରେ ଟପ୍‌ରେ ଥିବା ଛାତ୍ରୀ ଓ ବାଲ୍ୟ ବିବାହକୁ ମନା କରିଥିବା ନାବାଳିକାଙ୍କୁ ପ୍ରଶାସନ ସମ୍ବର୍ଦ୍ଧିତ କରୁଛି। ସୋରଡା ଅଞ୍ଚଳର ଅଷ୍ଟମ ଶ୍ରେଣୀ ଛାତ୍ରୀ ମାମାଲି ଅଧିକାରୀ ବାଲ୍ୟ ବିବାହକୁ ନ ମାନି ସାହସ ଜୁଟାଇ ପାଠ ପଢିବା ପାଇଁ ଜିଲାପାଳଙ୍କ ନିକଟରେ ନିଜ ଇଚ୍ଛା ପ୍ରକାଶ କରିଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇଥିଲ। ମଙ୍ଗଳବାର ଛତ୍ରପୁରସ୍ଥିତ ଋଷିକୁଲ୍ୟା ସମ୍ମିଳନୀ ଗୃହରେ ମୋ ଗେହ୍ଲା ଝିଅ ଓ ନିର୍ଭୟ କଢି କାର୍ଯ୍ୟକ୍ରମରେ ଏଥିପାଇଁ ମାମାଲିଙ୍କୁ ପ୍ରଶାସନ ସମ୍ବର୍ଦ୍ଧିତ କରିଛି। ଏଥିସହ ମାମାଲିଙ୍କୁ ମୋ ଗେହ୍ଲା ଝିଅ ଓ ନିର୍ଭୟ କଢି କାର୍ଯ୍ୟକ୍ରମ ପାଇଁ ଜିଲାରେ ବ୍ରାଣ୍ଡ ଆମ୍ବାସଡର କରାଯାଇଥିବା ଜିଲାପାଳ ବିଜୟ ଅମୃତା କୁଲାଙ୍ଗେ କହିଛନ୍ତି। ତାଙ୍କୁ ହଷ୍ଟେଲରେ ରଖାଯାଇ ପାଠପଢା ବ୍ୟବସ୍ଥା କରାଯିବ ବୋଲି ଜିଲାପାଳ ସୂଚନା ଦେଇଛନ୍ତି।
ଏହି କାର୍ଯ୍ୟକ୍ରମ ଅବସରରେ ଜିଲାରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିବା ୨୧ ଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା ା ବାଲ୍ୟ ବିବାହକୁ କିଭଳି କିଶୋରୀମାନେ ମନା କରିବେ ତାହା ସଚେତନ କରିବାକୁ ଜିଲାପାଳ ଗୁରୁତ୍ୱାରୋପ କରିଛନ୍ତି। ବିଦ୍ୟାଳୟରେ କିଶୋରୀମାନଙ୍କ ସହ ଏ ସମ୍ପର୍କରେ ଆଲୋଚନା କରିବାକୁ ହେବ ବୋଲି କୁହାଯାଇଛି। ସ୍ବାସ୍ଥ୍ୟ, ସ୍କୁଲ ଓ ଗଣଶିକ୍ଷା ଏବଂ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ମିଳିତ ଭାବେ କାମ କଲେ ସମସ୍ତ କାର୍ଯ୍ୟ ସଫଳ ହେବ ବୋଲି ଜିଲାପାଳ କହିଥିଲେ ା ଜିଲା ଶିକ୍ଷା ଅଧିକାରୀ ସନାତନ ପଣ୍ଡା, ସମଗ୍ର ଶିକ୍ଷା ଅଭିଯାନର ଡିପିସି ବିନୀତା ସେନାପତି, ଜିଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ରେଡ୍ଡୀ, ଶିଶୁ କଲ୍ୟାଣ କମିଟି ସଦସ୍ୟ ହରିହର ପାଢୀ, ଜିଲା ଶିଶୁ ସୁରକ୍ଷା ଅଧିକାରୀ ସୁବୋଧ ଷଡଙ୍ଗୀ, ଶରତ ଚନ୍ଦ୍ର ମହାରଣା ପ୍ରମୁଖ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।