Categories: ଖେଳ

ମୋହନବାଗାନ ଆଇ-ଲିଗ୍‌ ଚାମ୍ପିୟନ ଘୋଷିତ: ବାକି ମ୍ୟାଚ୍‌ ବାତିଲ ନେଇ ଲିଗ୍‌ କମିଟିର ପ୍ରସ୍ତାବ ଗୃହୀତ

ନୂଆଦିଲ୍ଲୀ,୨୧।୪ (ପି.ଟି.): ଦେଶର ଅନ୍ୟତମ ପ୍ରମୁଖ ପୁଟବଲ ପ୍ରତିଯୋଗିତା ଆଇ- ଲିଗ୍‌ର ଚାମ୍ପିୟନ ଦଳ ସଂକ୍ରାନ୍ତରେ ଘୋଷଣା କରାଯାଇଛି। ମୋହନ ବାଗାନକୁ ଏଥର ଆଇ- ଲିଗ୍‌ ଚାମ୍ପିୟନ ଭାବେ ଅଲ ଇଣ୍ଡିଆ ଫୁଟବଲ ଫେଡେରେଶନ (ଏଆଇଏଫ୍‌ଏଫ୍‌) ଘୋଷଣା କରିଛି। ଏଆଇଏଫ୍‌ଏଫ୍‌ କାର୍ଯ୍ୟକାରୀ ପ୍ୟାନେଲ ଏନେଇ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଲିଗ୍‌ କମିଟିର ସୁପାରିସ୍‌କୁ ଏହି ପ୍ୟାନେଲ ଗ୍ରହଣ କରିଛି। କୋଭିଡ-୧୯ ସଂକ୍ରମଣକୁ ଦୃଷ୍ଟିରେ ରଖି ଆଇ- ଲିଗ୍‌ରେ ବାକିଥବା ୨୮ଟି ମ୍ୟାଚ୍‌କୁ ବାତିଲ କରିବାକୁ କମିଟି ସୁପାରିସ୍‌ କରିଥିଲା। ଶେଷରେ ଏହାକୁ ଗ୍ରହଣ କରିନିଆଯାଇଛି। ଫଳରେ ପଏଣ୍ଟ ତାଲିକା ଶୀର୍ଷରେ ଥିବା ମୋହନ ବାଗାନ କ୍ଲବ ଚାମ୍ପିୟନ ବୋଲି ଘୋଷଣା କରାଯାଇଛି। ଖେଳାଳି, ଅଫିସିଆଲ ଓ ପ୍ରଶଂସକଙ୍କ ସ୍ବାସ୍ଥ୍ୟ ଓ ନିରାପତ୍ତାକୁ ଦୃଷ୍ଟିରେ ରଖି ଏଆଇଏଫଏଫ୍‌ ଏଭଳି ନିଷ୍ପତ୍ତି ନେଇଛି।

କରୋନା ଭାଇରସ ସଂକ୍ରମଣ ପାଇଁ ଏବେ ସାରା ଦେଶରେ ଫୁଟବଲ ସମେତ ଅନ୍ୟାନ୍ୟ କ୍ରୀଡ଼ା କେବେ ଆରମ୍ଭ ସେ ନେଇ ଅନିଶ୍ଚିତତା ସୃଷ୍ଟି ହୋଇଛି। ଫଳରେ ଲିଗ୍‌ କମିଟି ବାକି ସବୁ ମ୍ୟାଚ୍‌ ବାତିଲ କରିବାକୁ ପ୍ରସ୍ତାବ ଦେଇଥିଲା। ଫଳରେ ଆଇ- ଲିଗ୍‌ର ୨୦୧୯-୨୦ ସେସନକୁ ଶେଷ ହେଲା ଓ ମୋହନବାଗାନକୁ ଚାମ୍ପିୟନ ବୋଲି ଘୋଷଣା କରାଯାଇଛି। ଚାମ୍ପିୟନ ଦଳର ପୁରସ୍କାର ରାଶିକୁ ବାଦ୍‌ ଦେଲେ ବାକି ପୁରସ୍କାର ରାଶିକୁ ଅଂଶଗ୍ରହଣ କରିଥିବା ବାକି ୧୦ ଦଳ ମଧ୍ୟରେ ସମାନ ଭାବେ ବାଣ୍ଟି ଦିଆଯିବ ବୋଲି କୁହାଯାଇଛି। ତେବେ କୌଣସି ଖେଳାଳିଙ୍କୁ ବାଦ୍‌ ଦିଆଯିବ ନାହିଁ ଓ କାହାକୁ ବ୍ୟକ୍ତିଗତ ଭାବେ ପୁରସ୍କୃତ କରାଯିବ ନାହିଁ ବୋଲି ସ୍ପଷ୍ଟ କରାଯାଇଛି। ବର୍ତ୍ତମାନ ଚଳିତ ସେସନ୍‌ର ସବୁ ଯୁବ ଲିଗ୍‌ ଯଥା, ସବୁ ଜୁନିୟର ଲିଗ୍‌, ଜୁନିୟର ଲିଗ୍‌, ଏଲାଇଟ ଲିଗ୍‌, ୧୭ ବର୍ଷରୁ କମ୍‌ ଖେଲୋ ଇଣ୍ଡିଆ ବାଳିକା ଲିଗ୍‌କୁ ଶେଷ କରାଯାଇଛି ଓ ଏହା ୨୦୨୦-୨୧ ସେସନ୍‌ରେ ନୂଆ କରି ଆରମ୍ଭ ହେବ ବୋଲି କୁହାଯାଇଛି। ୨୦୨୦-୨୧ ସେସନ କ୍ୱାଲିଫିକେଶ ପାଇଁ ସେକେଣ୍ଡ ଡିଭିଜନ କ୍ଲବଗୁଡିକୁ ନେଇ ଏକ ଅପେକ୍ଷାକୃତ ଛୋଟିଆ ଟୁର୍ନାମେଣ୍ଟ ଆୟୋଜନ କରିବାକୁ ଏଆଇଏଫ୍‌ଏଫ୍‌ ମନସ୍ଥ କରିଛି। ତେବେ ଏ ନେଇ ଏସିଆନ ଫୁଟବଲ କନଫେଡେରେଶନ (ଏଏଫ୍‌ସି) ସହିତ ଆଲୋଚନା କରାଯିବ ବୋଲି ଏଆଇଏଫ୍‌ଏଫ୍‌ ତରଫରୁ କୁହାଯାଇଛି।

Share