Categories: ଖେଳ

ମୋହନବାଗାନର ଆଇ-ଲିଗ୍‌ ରେକର୍ଡ

ନୂଆଦିଲ୍ଲୀ, ୭ା୩ (ପି.ଟି.)-ଚଳିତ ଆଇ-ଲିଗ୍‌ ସିଜନରେ ମୋହନବାଗାନ ନିଜ ରେକର୍ଡକୁ ଭଙ୍ଗ କରିଛି। କ୍ରମାଗତ ୧୩ଟି ମ୍ୟାଚରେ ଅପରାଜେୟ ରହି ଏହି ସଫଳତା ହାସଲ କରିଛି। ପୂର୍ବରୁ ଏହି ଦଳ ୨୦୦୮-୦୯ ସିଜନରେ କରିମ୍‌ ବେଞ୍ଚେରିଫାଙ୍କ ଅଧୀନରେ ଏବଂ ପରେ ୨୦୧୪-୧୫ ସିଜନରେ ସଞ୍ଜୟ ସେନ୍‌ଙ୍କ ଅଧୀନରେ ଦୁଇଥର କ୍ରମାଗତ ୧୨ଥର ଅପରାଜେୟ ରହି ଟୁର୍ନାମେଣ୍ଟରେ ରେକର୍ଡର ଅଧିକାରୀ ହୋଇଥିଲା। ମୋହନବାଗାନ ଏଥର ଆଇଜଲ ଏଫ୍‌ସି ବିପକ୍ଷ ମ୍ୟାଚ ଡ୍ର’ ସହ ଏହାର ଅଭିଯାନ ଆରମ୍ଭ କରିଥିଲା। ପରେ ହୋମ୍‌ ଗ୍ରାଉଣ୍ଡରେ ଚର୍ଚ୍ଚିଲ ବ୍ରଦର୍ସ ବିପକ୍ଷ ମ୍ୟାଚ ୨-୪ ଗୋଲ୍‌ରେ ହାରିଯାଇଥିଲା। କିନ୍ତୁ ଏହାର ୩ ଦିନ ପରେ ନିଜ ଗ୍ରାଉଣ୍ଡରେ ଟିଆର୍‌ୟୁ ଏଫ୍‌ସି ବିପକ୍ଷରେ ୪-୦ ଗୋଲରେ ବିଜୟ ସହ ଦଳ ଟୁର୍ନାମେଣ୍ଟକୁ ପ୍ରତ୍ୟାବର୍ତ୍ତନ କରିଥିଲା। ଏହାପରଠାରୁ ଦଳ କ୍ରମାଗତ ୧୩ଟି ମ୍ୟାଚରେ ଅପରାଜେୟ ରହିଥିଲା। ଏହି ଦଳ ଚଳିତ ସିଜନରେ ନିଜର ଆଉ ଏକ ରେକର୍ଡ ଭାଙ୍ଗିବା ଲକ୍ଷ୍ୟରେ ଥିଲା। ମାତ୍ର ସଫଳ ହୋଇ ପାରିନ ଥିଲା। ୨୦୦୮-୦୯ ସିଜନରେ କରିମ୍‌ ବେଞ୍ଚେରିଫାଙ୍କ ଅଧୀନରେ ଦଳ କ୍ରମାଗତ ୯ଟି ବିଜୟ ସହ ଏକ ରେକର୍ଡ କରିଥିଲା। ମାତ୍ର ଗୁରୁବାର ଚେନ୍ନାଇ ସିଟି ବିପକ୍ଷ ମ୍ୟାଚ ୧-୧ରେ ଡ୍ର ରଖିବା ଦ୍ୱାରା ଏହାର କ୍ରମାଗତ ବିଜୟ ସଂଖ୍ୟା ୭ରେ ସୀମିତ ହୋଇ ଯାଇଥିଲା। କୋଲକାତାର ଏହି ଶକ୍ତିଶାଳି ଦଳ ମଙ୍ଗଳବାର କଳିଙ୍ଗ ଷ୍ଟାଡିୟମରେ ପୂର୍ବତନ ଚାମ୍ପିୟନ ଆଇଜଲ ଏଫ୍‌ସି ସହିତ ମୁକାବିଲା କରିବ।

Share