Posted inଜାତୀୟ

ମୋଦିଙ୍କ ମିଶନ ସଫଳ କରାଇଲେ ଶାହ

ନୂଆଦିଲ୍ଲୀ,୬ା୮: ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ହଟାଇବା ସହ ଏହାକୁ ଦୁଇଭାଗ କରିବା ଲାଗି ଜୁନ୍‌ ତୃତୀୟ ସପ୍ତାହରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅବଗଣନା ଆରମ୍ଭ କରିଥିଲେ। ଏଥିପାଇଁ ସେ ପିଏମ୍‌ଓରେ ଯୁଗ୍ମ ସଚିବ ଥିବା ୧୯୮୭ ବ୍ୟାଚ୍‌ର ଛତିଶଗଡ କ୍ୟାଡର ଆଇଏଏସ୍‌ ଅଫିସର ବି.ଭି.ଆର୍‌. ସୁବ୍ରମଣ୍ୟମଙ୍କୁ ଜମ୍ମୁ-କଶ୍ମୀରର ନୂଆ ମୁଖ୍ୟ ଶାସନ ସଚିବ ଭାବେ ନିଯୁକ୍ତି ଦେଇଥିଲେ। ସମ୍ପୂର୍ଣ୍ଣ କଶ୍ମୀର ମିଶନର ଦାୟିତ୍ୱ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ୍‌ ଶାହଙ୍କୁ ଦିଆଯାଇଥିବାବେଳେ ଏହାର ଆଇନଗତ କାର୍ଯ୍ୟକାରିତା ଦିଗ ଉପରେ ସମୀକ୍ଷା ଦାୟିତ୍ୱ ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ଓ ତାଙ୍କର ଏକ କୋର୍‌ ଟିମ୍‌କୁ ଦିଆଯାଇଥିଲା।
ପାର୍ଲାମେଣ୍ଟର ବଜେଟ ଅଧିବେଶନ ଆରମ୍ଭ ପୂର୍ବରୁ ଶାହ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ଜମ୍ମୁ-କଶ୍ମୀରକୁ ଦୁଇଭାଗ କରିବା ନେଇ କେନ୍ଦ୍ରର ସଂକଳ୍ପ ସମ୍ପର୍କରେ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ) ମୁଖ୍ୟ ମୋହନ ଭାଗବତଙ୍କୁ ଅବଗତ କରାଇଥିଲେ। ଆଇନଗତ ପରାମର୍ଶ ପରେ ଶାହ ଉପତ୍ୟକାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦାୟିତ୍ୱ ନେଇ ଜାତୀୟ ସୁରକ୍ଷା ପରାମର୍ଶଦାତା(ଏନ୍‌ଏସ୍‌ଏ) ଅଜିତ ଡୋଭାଲଙ୍କ ସହ ଦୁଇଥର ବୈଠକ କରିଥିଲେ। ଡୋଭାଲଙ୍କୁ ଶ୍ରୀନଗରରେ ୩ ଦିନ ରହି ସୁରକ୍ଷା ବ୍ୟବସ୍ଥାର ତଦାରଖ କରିଥିଲେ। ଶେଷରେ ଜୁଲାଇ ୨୬ରେ ଅମରନାଥ ଯାତ୍ରା ବାତିଲ କରିବାକୁ ନିଷ୍ପତ୍ତି ନିଆଗଲା ଏବଂ ଉପତ୍ୟକାରୁ ତୀର୍ଥଯାତ୍ରୀ ଓ ପର୍ଯ୍ୟଟକମାନଙ୍କୁ ତୁରନ୍ତ ଫେରିଯିବା ପାଇଁ ଆଡଭାଇଜରି ଜାରି କରାଗଲା। ଏଥିସହିତ ସମ୍ଭାବ୍ୟ ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ଅତିରିକ୍ତ ୧୦୦ କମ୍ପାନୀ ଯବାନ ଜମ୍ମୁ-କଶ୍ମୀର ପଠାଗଲା।
ଗ୍ରାଉଣ୍ଡ ଜିରୋରେ ବିଭିନ୍ନ ସୁରକ୍ଷା ପଦକ୍ଷେପ ସମ୍ପର୍କିତ ବ୍ଲ୍ୟୁ-ପ୍ରିଣ୍ଟ ଜମ୍ମୁ-କଶ୍ମୀର ମୁଖ୍ୟ ଶାସନ ସଚିବଙ୍କୁ ଦିଆଯାଇଥିଲା। ସେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଓ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସହ ବରାବର ସମ୍ପର୍କରେ ରହିଥିଲେ। ୧୧ ଦିନ ପୂର୍ବରୁ ଜମ୍ମୁ-କଶ୍ମୀରର ଅଧିକାରୀମାନଙ୍କୁ ଅଗଷ୍ଟ ୫ ଡେଡ୍‌ଲାଇନ୍‌ ଦିଆଯାଇଥିଲା। ସେହି ଅନୁଯାୟୀ ରବିବାର ସନ୍ଧ୍ୟା ସୁଦ୍ଧା ୪୩ ହଜାର ଅର୍ଦ୍ଧସାମରିକ ବାହିନୀ ରାଜ୍ୟର ବିଭିନ୍ନ ସ୍ଥାନରେ ମୁତୟନ ହୋଇଥିଲେ। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବା ଆଶଙ୍କାରେ ଅତିରିକ୍ତ ୬୦ ଜଣ ଅତିରିକ୍ତ ସ୍ବତନ୍ତ୍ର ଏକ୍‌ଜିକ୍ୟୁଟିଭ୍‌ ମାଜିଷ୍ଟ୍ରେଟଙ୍କୁ ନିୟୋଜିତ କରାଯାଇଥିଲା ଏବଂ ରବିବାର ରାତିରୁ ମୋବାଇଲ ଓ ବ୍ରଡ୍‌ବ୍ୟାଣ୍ଡ୍‌ ସେବା ବନ୍ଦ କରିଦେବାକୁ ନିଷ୍ପତ୍ତି ନିଆଯାଇଥିଲା। ଗିରଫ ବ୍ୟକ୍ତିମାନଙ୍କୁ ରଖିବା ପାଇଁ ୬ଟି ଅସ୍ଥାୟୀ ଜେଲ୍‌ର ବ୍ୟବସ୍ଥା କରାଯାଇଥିଲା।
ସେପଟେ ରାଜ୍ୟ ସଭାରେ ସମର୍ଥନ ଯୋଗାଡ଼ କରିବା ଦାୟିତ୍ୱ ଶାହ ଏମ୍‌ପି ଅନିଲ୍‌ ବାଲୁନି ଓ ଭୂପେନ୍ଦ୍ର ଯାଦବଙ୍କୁ ଦେଇଥିଲେ। ଏହି ଟିମ୍‌ ଟିଡିପି ସଦସ୍ୟଙ୍କ ମଧ୍ୟରେ ଦଳବଦଳ କରାଇବା ସହ ସମାଜବାଦୀ ପାର୍ଟି ଏମ୍‌ପି ନୀରଜ ଶେଖର, ସୁରେନ୍ଦ୍ର ନାଗର, ସଞ୍ଜୟ ସେଠ୍‌ ଏବଂ କଂଗ୍ରେସ ଏମ୍‌ପି ସଞ୍ଜୟ ସିଂଙ୍କୁ ରାଜ୍ୟ ସଭାରୁ ଇସ୍ତଫା ଦେବାର ବ୍ୟବସ୍ଥା କରାଇଥିଲେ। ଏଥିସହିତ ଅନୁଚ୍ଛେଦ ୩୭୦ ଉଚ୍ଛେଦ ଓ ରାଜ୍ୟ ବିଭାଜନ ପ୍ରସ୍ତାବକୁ ସମର୍ଥନ ଜଣାଇବା ପାଇଁ ବିଏସ୍‌ପି ନେତା ସତୀଶ ମିଶ୍ରଙ୍କୁ ଉକ୍ତ ଟିମ୍‌ ରାଜି କରାଇଥିଲା।

କଶ୍ମୀର ଗଲେ ଡୋଭାଲ


୩୭୦ ଉଚ୍ଛେଦ ପରେ ସୁରକ୍ଷା ସ୍ଥିତି ଅନୁଧ୍ୟାନ ପାଇଁ ଏନ୍‌ଏସ୍‌ଏ ଅଜିତ ଡୋଭାଲ ଶ୍ରୀନଗର ଗସ୍ତ କରିଛନ୍ତି। ଜମ୍ମୁ-କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଜମ୍ମୁ-କଶ୍ମୀର ଓ ଲଦାଖରେ ବିଭକ୍ତ କରାଯାଇଛି। କଶ୍ମୀର ଯିବା ପୂର୍ବରୁ ଡୋଭାଲ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ଅନୁଷ୍ଠିତ ସୁରକ୍ଷା ସମ୍ପର୍କିତ କ୍ୟାବିନେଟ କମିଟି ବୈଠକର ଯୋଗଦେଇଥିଲେ। ଏଥିରେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହ ମଧ୍ୟ ଉପସ୍ଥିତ ଥିଲେ। ଅମରନାଥ ଯାତ୍ରା ପୂର୍ବରୁ ଜୁନ୍‌ରେ ଡୋଭାଲଙ୍କ ଅଧ୍ୟକ୍ଷତାରେ ଉଚ୍ଚସ୍ତରୀୟ ବୈଠକ ବସି କଶ୍ମୀରର ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

କେଉଁମାନେ ସମର୍ଥନ ଦେଲେ

ଜମ୍ମୁ-କଶ୍ମୀରରୁ ଅନୁଚ୍ଛେଦ ୩୭୦ ଏବଂ ୩୫ଏ ଉଚ୍ଛେଦ ହୋଇଛି। ଏଥିସହିତ ଉକ୍ତ ରାଜ୍ୟକୁ ଦୁଇଟି କେନ୍ଦ୍ରଶାସିତ ଅଞ୍ଚଳରେ ବିଭକ୍ତ କରାଯାଇଛି। ସରକାରଙ୍କ ଏହି ନିଷ୍ପତ୍ତିକୁ ବିଭିନ୍ନ ଦଳ ପକ୍ଷରୁ ସମର୍ଥନ ମିଳିଛି। ତେବେ ଭାଜପାର ଏକମାତ୍ର ସହଯୋଗୀ ନୀତୀଶ କୁମାରଙ୍କ ଜେଡିୟୁ ସରକାରଙ୍କ ପ୍ରସ୍ତାବର ବିରୋଧ କରିଥିଲା। ସରକାରଙ୍କ ନିଷ୍ପତ୍ତିକୁ ବିଜୁ ଜନତା ଦଳ (ବିଜେଡି), ବିଏସ୍‌ପି, ଆମ୍‌ ଆଦ୍‌ମୀ ପାର୍ଟି, ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି, ଏଆଇଏଡିଏମ୍‌କେ, ଶିବସେନା, ଆଇଏନ୍‌ଏଲ୍‌ଡି ସମର୍ଥନ ଜଣାଇଥିବାବେଳେ କଂଗ୍ରେସ, ଡିଏମ୍‌କେ, ସମାଜବାଦୀ ପାର୍ଟି, ନ୍ୟାଶନାଲ୍‌ କନ୍‌ଫରେନ୍ସ (ଏନ୍‌ସି) ଏବଂ ପିଡିପି ଆଦି ଦଳ ବିରୋଧ କରିଥିଲେ।
ଆଜି ବାସ୍ତବ ଅର୍ଥରେ ଜମ୍ମୁ-କଶ୍ମୀର ଭାରତର ଅଂଶବିଶେଷ ହେଲା ବୋଲି ବିଜେଡି ଏମ୍‌ପି ପ୍ରସନ୍ନ ଆଚାର୍ଯ୍ୟ କହିଥିଲେ। ବିଜେଡି ସରକାରଙ୍କ ପ୍ରସ୍ତାବକୁ ସମର୍ଥନ କରୁଛି। ଏହା ଏକ ଆଞ୍ଚଳିକ ଦଳ ହେଲେ ମଧ୍ୟ ଆମ ପାଇଁ ରାଷ୍ଟ୍ର ପ୍ରଥମ ବୋଲି ରାଜ୍ୟ ସଭାରେ ଆଚାର୍ଯ୍ୟ କହିଥିଲେ।
ବିଏସ୍‌ପି ଅନୁଚ୍ଛେଦ ୩୭୦ ଓ ଅନ୍ୟାନ୍ୟ ବିଲ୍‌କୁ ପୂର୍ଣ୍ଣ ସମର୍ଥନ କରୁଛି ବୋଲି ଏହାର ଏମ୍‌ପି ସତୀଶ ଚନ୍ଦ୍ର ମିଶ୍ର କହିଥିଲେ। ଏହା ସରକାରଙ୍କର ଏକ ଐତିହାସିକ ନିଷ୍ପତ୍ତି ବୋଲି ଓ୍ବାଇଏସ୍‌ଆର୍‌ କଂଗ୍ରେସ ପାର୍ଟି ପକ୍ଷରୁ କୁହାଯାଇଛି। ଏହି ଐତିହାସିକ ପରିବର୍ତ୍ତନ ଆଣିଥିବାରୁ ତାଙ୍କ ଦଳ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅମିତ୍‌ ଶାହଙ୍କୁ ଖୋଲା ହୃଦୟରେ ପ୍ରଶଂସା କରୁଛି ବୋଲି ଏମ୍‌ପି ବିଜୟସାଇ ରେଡ୍ଡୀ କହିଥିଲେ। ତେବେ ଜେଡିୟୁ ଅଧ୍ୟକ୍ଷ ନୀତୀଶ କୁମାର ଜୟପ୍ରକାଶ ନାରାୟଣ, ରାମ ମନୋହର ଲୋହିଆ ଏବଂ ଜର୍ଜ ଫର୍ନାଣ୍ଡିଜ୍‌ଙ୍କ ପରମ୍ପରାରେ ଚାଲୁଥିବାରୁ ଆମ ଦଳ ବିଲ୍‌କୁ ସମର୍ଥନ ଦେବ ନାହିଁ । ଅନୁଚ୍ଛେଦ ୩୭୦ ଉଚ୍ଛେଦ ହେବା ଜେଡିୟୁ ଚାହେଁ ନାହିଁ ବୋଲି ଦଳର ବରିଷ୍ଠ ନେତା କେ.ସି. ତ୍ୟାଗୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜିଆ ଖାଉଛି ମାଛକୁ

ଗାଡ଼ିଆରେ ବନିଶିରେ ମାଛ ଧରାଯାଉଥିବାର ଏକ ଦୃଶ୍ୟକୁ ଅବତାରଣା କରାଯାଉ। ଜଣେ ବ୍ୟକ୍ତି ବାଉଁଶ ଛଡ଼ିରେ ସୂତା ଲଗାଇ ସେଥିରେ କଣ୍ଟା ଓହଳାଇ ଥାଏ। ସୂତାକୁ...

ଧାନରେ ଇନ୍‌ପୁଟ୍‌ ଆସିଷ୍ଟାଣ୍ଟ ହ୍ରାସ, ବଢ଼ିଲା ଅସନ୍ତୋଷ

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଖରିଫ୍‌ ଧାନ ସଂଗ୍ରହ ପ୍ରକ୍ରିୟା ଚାଲିଛି। ଆଉ ୨ଦିନ ପରେ ଜିଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ ୩ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ...

ଭୁବନେଶ୍ୱର ଗଣବଳାତ୍କାର ପରେ ମହିଳା କମିଶନ ସଦସ୍ୟଙ୍କ ଅଜବ ଯୁକ୍ତି, ଝିଅମାନେ ରାତି ୮ଟା ପରେ…

ଭୂବନେଶ୍ୱର,୧୬।୧୨: ଧଉଳୀ ସ୍ଥିତ ଦୟାନଦୀ ପଠାରେ ଜଣେ ନାବାଳିକା ଗଣବଳାତ୍କାରର ଶିକାର ହେବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଲାଗି ରହିଛି। ଏହି ଘଟଣାର...

ଦିଲ୍ଲୀ ସରକାରଙ୍କ ପ୍ରାଣମୁର୍ଚ୍ଛା ଉଦ୍ୟମ, ପ୍ରଦୂଷଣ ରୋକିବାକୁ ‘ତନ୍ଦୁର’ ଉପରେ ଲାଗିଲା ବ୍ୟାନ

ନୂଆଦିଲ୍ଲୀ,୧୬।୧୨: ଦିଲ୍ଲୀରେ ବାୟୁ ପ୍ରଦୂଷଣ ସଙ୍କଟଜନକ ସ୍ତରରେ ପହଞ୍ଚିବା ପରେ ରାଜ୍ୟ ସରକାର ଅଧିକ କଡ଼ା କଟକଣା ଲାଗୁ କରିଛନ୍ତି। ରୁଟି ଏବଂ ଅନ୍ୟାନ୍ୟ ଖାଦ୍ୟ...

ଧୋନୀଙ୍କ ଟିମକୁ ଯିବା କଥା ଶୁଣି ବହିଲା ଲୁହର ଧାର, ୧୪.୨ କୋଟି ଟଙ୍କାରେ ନିଲାମ ଖବର…

ନୂଆଦିଲ୍ଲୀ,୧୬।୧୨: ଆଇପିଏଲ୍ ୨୦୨୬ ନିଲାମିରେ ମହେନ୍ଦ୍ର ସିଂ ଧୋନିଙ୍କର ଜଣେ ବଡ଼ ଫ୍ୟାନ୍ ତଥା ୱିକେଟକିପର-ବ୍ୟାଟର୍ କାର୍ତ୍ତିକ ଶର୍ମାଙ୍କ ପାଇଁ ଚେନ୍ନାଇ ସୁପର କିଙ୍ଗ୍ସ (CSK)...

ସ୍ବାମୀଙ୍କୁ ଛାଡ଼ି ପ୍ରେମିକଙ୍କ ସହ ଫେରାର ହୋଇଯାଇଥିଲେ, ପ୍ରତାରଣା ପରେ ଫେରିଲେ…ତା’ ପରେ ଯାହା ହେଲା ଜାଣିଲେ…

ଇନ୍ଦୌର,୧୬।୧୨: ମଧ୍ୟପ୍ରଦେଶର ଇନ୍ଦୌରର ଚନ୍ଦନନଗର ଥାନା ଅଞ୍ଚଳରେ ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି। ଜଣେ ମହିଳା ପ୍ରେମର ଫାଶରେ ପଡ଼ି ନିଜ ସ୍ବାମୀଙ୍କୁ...

IPL ନିଲାମ: ଫିଟିଲା ଭାଗ୍ୟ, ତୃତୀୟ ରାଉଣ୍ଡରେ ପୃଥ୍ୱୀ ଶ’ଙ୍କୁ କିଣିଲା ଏହି ଟିମ୍

ଆବୁଧାବି,୧୬।୧୨: କ୍ୟାରିଅରରେ ବଡ଼ ଧରଣର ଅବନତି ଦେଇ ଗତି କରୁଥିବା ୨୬ ବର୍ଷୀୟ ମହାରାଷ୍ଟ୍ରର ଓପନିଂ ବ୍ୟାଟ୍ସମ୍ୟାନ୍ ପୃଥ୍ୱୀ ଶ’ଙ୍କୁ ଆଇପିଏଲ୍ ୨୦୨୬ ମିନି-ନିଲାମରେ ପୁଣି...

ଗୁଜରାଟରେ ‘ରୋଲିଂ ପେପର’ ଉପରେ କଟକଣା: ନିଶା ସେବନ ରୋକିବା ପାଇଁ ସରକାରଙ୍କ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧୬।୧୨: ଯୁବପିଢ଼ିଙ୍କ ମଧ୍ୟରେ ବଢୁଥିବା ନିଶା ସେବନକୁ ରୋକିବା ଉଦ୍ଦେଶ୍ୟରେ ଗୁଜରାଟ ସରକାର ମଙ୍ଗଳବାର ରାଜ୍ୟରେ ‘ରୋଲିଂ ପେପର’, ‘ସ୍ମୋକିଂ କୋନ୍’, ପ୍ୟାକେଜ୍ଡ ରୋଲିଂ କିଟ୍...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri