ମେଣ୍ଢରାଜପୁର ବସ୍‌ ଦୁର୍ଘଟଣା ମାମଲା: ଓଏଚ୍‌ଆର୍‌ସିଙ୍କ ରିପୋର୍ଟ ତଲବ

କଟକ ଅଫିସ, ୧୧ା୨- ଗଞ୍ଜାମ ଜିଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ମେଣ୍ଢରାଜପୁର ଠାରେ ଗତ ରବିବାର ବସ୍‌ ଦୁର୍ଘଟଣାରେ ୧୦ଜଣ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବାବେଳେ ଅନେକେ ଆହତ ହୋଇଥିଲେ। ଏହି ଘଟଣାର ଉପଯୁକ୍ତ ତଦନ୍ତ ଓ ମୃତାହତଙ୍କୁ କ୍ଷତିପୂରଣ ପ୍ରଦାନ ଦାବିରେ ଆଇନଜୀବୀ ତଥା ମାନବାଧିକାର କର୍ମୀ ପ୍ରବୀର କୁମାର ଦାସ ରାଜ୍ୟ ମାନବାଧିକାର କମିଶନ(ଓଏଚ୍‌ଆର୍‌ସି)ରେ ଏକ ପିଟିଶନ୍‌ ଦାଖଲ କରିଥିଲେ । ପରେ ଏହି ଘଟଣାରେ ହସ୍ତକ୍ଷେପ କରିଛନ୍ତି ଓଏଚ୍‌ଆର୍‌ସି। ଓଏଚ୍‌ଆର୍‌ସି ଅଧ୍ୟକ୍ଷ ଜଷ୍ଟିସ ବି.ପି. ଦାସ ଏବଂ ସଦସ୍ୟ ଅସୀମ ଅମିତାଭ ଦାଶଙ୍କୁ ନେଇ ଗଠିତ ଖଣ୍ଡପୀଠ ପ୍ରତ୍ୟେକ ଆହତଙ୍କୁ ୨୫ ହଜାର ଟଙ୍କା କ୍ଷତିପୂରଣ ଏକ ସପ୍ତାହ ମଧ୍ୟରେ ପ୍ରଦାନ ସହ ଉପଯୁକ୍ତ ଚିକିତ୍ସା ଯୋଗାଇଦେବାକୁ ରାଜ୍ୟ ସ୍ବାସ୍ଥ୍ୟ ବିଭାଗର ମେଡ଼ିକାଲ ଶିକ୍ଷା ଓ ପ୍ରଶିକ୍ଷଣ ନିର୍ଦ୍ଦେଶକ(ଡିଏମ୍‌ଇଟି)ଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷରେ ରବିବାର ବାଲେଶ୍ୱର ଜିଲା ବାଲିଆପାଳ ବ୍ଲକ ଅଧୀନ ଡଗରା ବେଳାଭୂମିକୁ ଯାଉଥିବା ଏକ ବସ୍‌ ମଧ୍ୟ ୧୧ କେଭି ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସିଯାଇଥିଲା। ହେଲେ ବସ୍‌ ଚାଳକଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଡଧରଣର ଅଘଟଣ ଘଟି ନ ଥିଲା। ଉଭୟ ଘଟଣାକୁ ନେଇ ଉଦ୍‌ବେଗ ପ୍ରକାଶ ପାଇଛି। ସାଉଥ୍‌କୋ ଏବଂ ନେସ୍କୋ କର୍ତ୍ତୃପକ୍ଷ, ରାଜ୍ୟ ଶକ୍ତି ବିଭାଗ ଏବଂ ବାଣିଜ୍ୟ ଓ ପରିବହନ ବିଭାଗର ସଚିବଙ୍କୁ ଓଏଚ୍‌ଆର୍‌ସି ରିପୋର୍ଟ ତଲବ କରିଛନ୍ତି। ମାନବାଧିକାର କର୍ମୀ ଦାସଙ୍କ ପିଟିଶନ୍‌କୁ ବିଚାରକୁ ନେଇ ମଙ୍ଗଳବାର ଓଏଚ୍‌ଆର୍‌ସିଙ୍କ ପକ୍ଷରୁ ଉପରୋକ୍ତ ନିର୍ଦ୍ଦେଶ ଦିଆଯାଇଛି। ଅପରପକ୍ଷେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ପ୍ରତି ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କା ଅନୁକମ୍ପା ରାଶି ଘୋଷଣା ଓ ଆହତ ଯାତ୍ରୀଙ୍କ ମାଗଣା ଚିକିତ୍ସା ବ୍ୟବସ୍ଥାକୁ ଓଏଚ୍‌ଆର୍‌ସି ପ୍ରଶଂସା କରିଛନ୍ତି।