Categories: ଖେଳ

ମେଣ୍ଡିସଙ୍କ ଶତକ: ଦ୍ୱିତୀୟ ଟେଷ୍ଟ ଡ୍ର

ହରାରେ, ୧ା୨ (ଏଏଫ୍‌ପି)-ଶ୍ରୀଲଙ୍କା ବ୍ୟାଟ୍ସମ୍ୟାନ କୁସାଲ ମେଣ୍ଡିସ (୧୧୬*)ଙ୍କ ଅପରାଜିତ ଶତକ ଯୋଗୁ ଶ୍ରୀଲଙ୍କା ସ୍ଥାନୀୟ ହରାରେ ସ୍ପୋଟର୍‌ସ କ୍ଲବଠାରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚକୁ ଡ୍ର ରଖିପାରିଛି। ଏହି ମ୍ୟାଚ ଜିତି ଦୁଇ ମ୍ୟାଚ ବିଶିଷ୍ଟ ସିରିଜକୁ ୧-୧ ବରାବର ସ୍ଥିତିକୁ ଆଣିବା ଲାଗି ଘରୋଇ ଦଳର ପ୍ରୟାସ ବ୍ୟର୍ଥ ହୋଇଛି। ଏହି ଭେନ୍ୟୁରେ ଗତ ସପ୍ତାହରେ ଅନୁଷ୍ଠିତ ପ୍ରଥମ ଟେଷ୍ଟରେ ଶ୍ରୀଲଙ୍କା ୧୦ ଉଇକେଟରେ ବିଜୟ ଲାଭ କରିଥିଲା। ଫଳରେ ଭ୍ରମଣକାରୀ ଦଳ ସିରିଜକୁ ୧-୦ରେ ଜିତିନେଇଛି। ଶୁକ୍ରବାର ସକାଳେ ଜିମ୍ବାଓ୍ବେ ମାତ୍ର ଗୋଟିଏ ବଲ୍‌ ସାମ୍ନା କରିଥିଲା। ଅଧିନାୟକ ସିନ୍‌ ଓ୍ବିଲିୟମ୍ସ ଏକ ଛକା ମାରି ଅର୍ଦ୍ଧଶତକ ହାସଲ କରିବା ପରେ ଦଳ ଏହାର ଦ୍ୱିତୀୟ ଇନିଂସ ଘୋଷଣା କରିଥିଲା। ୩୬୧ ରନର ବିଜୟ ଲକ୍ଷ୍ୟ ପିଛା କରିବାବେଳେ ଶ୍ରୀଲଙ୍କା ଦିମୁଥ କରୁଣାରତ୍ନେ, ଓସାଣ୍ଡା ଫର୍ନାଣ୍ଡୋ (୪୭) ଏବଂ ଆଞ୍ଜେଲୋ ମାଥ୍ୟୁସଙ୍କ ଉଇକେଟ ହରାଇଥିଲା। ମାତ୍ର ମେଣ୍ଡିସଙ୍କ ୭ମ ଟେଷ୍ଟ ଶତକ ଯୋଗୁ ଦଳ ମ୍ୟାଚ ଡ୍ର ରଖିବାରେ ସକ୍ଷମ ହୋଇଥିଲା। ମେଣ୍ଡିସ ତାଙ୍କ ୧୧୬ ରନର ଇନିଂସରେ ୨୩୩ ବଲ୍‌ ସାମ୍ନା କରିଥିଲେ। ସେ ୧୩ ଚୌକା ଓ ଗୋଟିଏ ଛକା ଲଗାଇଥିଲେ। ଶ୍ରୀଲଙ୍କା ଅନ୍ତିମ ଦିବସ ଖେଳ ଶେଷ ସୁଦ୍ଧା ୩ ଉଇକେଟରେ ୨୦୪ ରନ କରିଥିଲା। ବିଜୟଠାରୁ ୧୫୭ ରନ ପଛରେ ରହିଯାଇଥିଲା।
ସଂକ୍ଷିପ୍ତ ସ୍କୋର
ଜିମ୍ବାଓ୍ବେ ପ୍ରଥମ ଇନିଂସ: ୪୦୬
ଶ୍ରୀଲଙ୍କା ପ୍ରଥମ ଇନିଂସ: ୨୯୩
ଜିମ୍ବାଓ୍ବେ ଦ୍ୱିତୀୟ ଇନିଂସ: ୨୪୭/୭, ଘୋଷଣା
ଶ୍ରୀଲଙ୍କା ଦ୍ୱିତୀୟ ଇନିଂସ: ୨୦୪/୩

Share