Categories: ଖେଳ

ମେଘନା ମହିଳା, ମିକ୍ସଡ ଡବଲ୍ସ ସେମିଫାଇନାଲରେ

ଭ୍ଲାଡିଭୋସ୍ତକ (ରୁଷିଆ), ୨୦ା୭ (ପି.ଟି.)- ଭାରତୀୟ ବ୍ୟାଡ୍‌ମିଣ୍ଟନ ଖେଳାଳି ମେଘନା ଜାକାମପୁଡିଙ୍କ ପାଇଁ ଶୁକ୍ରବାର ଥିଲା ଏକ ଭଲ ଦିନ। ଏଠାରେ ଚାଲିଥିବା ୭୫,୦୦୦ ଆମେରିକୀୟ ଡଲାର ପୁରସ୍କାର ବିଶିଷ୍ଟ ରଷିଆନ ଓପନ୍‌ ବିଡବ୍ଲ୍ୟୁଏଫ୍‌ ଟୁର୍‌ ସୁପର ୧୦୦ ଟୁର୍ନାମେଣ୍ଟରେ ଉଭୟ ମିକ୍ସଡ ଏବଂ ମହିଳା ଡବଲ୍ସ ସେମିଫାଇନାଲରେ ପ୍ରବେଶ କରିଛନ୍ତି। ମିକ୍ସଡ ଡବଲ୍ସରେ ମେଘନା ଏବଂ ଧ୍ରୁବ କାପିଲା ରୁଷୀୟ ଯୋଡ଼ି ମାକସିମ୍‌ ମାକାଲୋଭ ଏବଂ ଏକାଟରିନା ରିଆଜାଣ୍ଟସେଭାଙ୍କୁ ୨୧-୩, ୨୧-୧୨ରେ ହରାଇ ଦେଇଛନ୍ତି। ଅଷ୍ଟମ ସିଡ୍‌ ଭାରତୀୟ ଯୋଡ଼ି ବର୍ତ୍ତମାନ ୭ମ ସିଡ୍‌ ଇଣ୍ଡୋନେସିଆର ଆଦନାନ୍‌ ମୌଲାନା ଏବଂ ମିଚେଲି ଖ୍ରିଷ୍ଟିନେ ବାନ୍ଦାସୋଙ୍କ ସହିତ ମୁକାବିଲା କରିବେ। ସେହିପରି ମହିଳା ଡବଲ୍ସରେ ମେଘନା ଓ ତାଙ୍କ ପାର୍ଟନର ପୂର୍ବିଶା ଏସ. ରାମ୍‌୍‌ ଅନ୍ୟ ଏକ ସ୍ଥାନୀୟ ଯୋଡ଼ି ଭିକ୍ଟୋରିଆ କୋଜିରେଭା ଏବଂ ମାରିଆ ସୁଖୋଭାଙ୍କୁ ୨୧-୧୯, ୨୧-୧୧ରେ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି। ଟପ୍‌ ସିଡ୍‌ ଯୋଡ଼ି ବର୍ତ୍ତମାନ ଚତୁର୍ଥ ସିଡ୍‌ ଜାପାନର ମିକି କାଶିହାରା ଏବଂ ମିୟୁକି କାଟୋଙ୍କୁ ଭେଟିବେ।
ଋତୁପର୍ଣ୍ଣା ପରାସ୍ତ
ଅନ୍ୟପକ୍ଷରେ ଋତୁପର୍ଣ୍ଣା ଦାସ ଏବଂ ସିରିଲ ବର୍ମା ସେମାନଙ୍କ ସିଙ୍ଗଲ୍ସ କ୍ୱାର୍ଟରଫାଇନାଲ ମ୍ୟାଚରେ ପରାସ୍ତ ହୋଇଛନ୍ତି। ପୂର୍ବତନ ଜାତୀୟ ଚାମ୍ପିୟନ ଋତୁପର୍ଣ୍ଣା ଟପ୍‌ ସିଡ୍‌ ତଥା ସ୍କଟଲାଣ୍ଡର କିର୍ଷ୍ଟି ଗିଲ୍‌ମୋରଙ୍କଠାରୁ ୧୦-୨୧, ୨୧-୧୬, ୧୬-୨୧ରେ ହାରିଯାଇଛନ୍ତି। ସେହିପରି ସିରିଲ ଇଣ୍ଡୋନେସିଆର ଈଶାନ ମୌଲାନା ମୁସ୍ତୋଫାଙ୍କଠାରୁ ୧୧-୨୧, ୨୭-୨୯ରେ ପରାସ୍ତ ହୋଇଛନ୍ତି।

Share