Categories: ଖେଳ

ମୁରଲୀଧରନଙ୍କ ସମକକ୍ଷ ହେଲେ ଅଶ୍ୱିନ

ଇନ୍ଦୋର, ୧୪।୧୧- ଭାରତର ଅଭିଜ୍ଞ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନ ଘରୋଇ ମାଟିରେ ଦ୍ରୁତତ୍ତମ ୨୫୦ ଟେଷ୍ଟ ଉଇକେଟ୍‌ ହାସଲ କରିବାରେ ଶ୍ରୀଲଙ୍କାର କିମ୍ବଦନ୍ତୀ ବୋଲର ମୁଥିଆ ମୁରଲୀଧରନଙ୍କ ସହ ସମକକ୍ଷ ହୋଇଛନ୍ତି। ଘରୋଇ ମାଟିରେ ୨୫୦ ଉଇକେଟ୍‌ ଅକ୍ତିଆର କରିବା ପାଇଁ ମୁରଲୀଧରନ ୪୨ ଟେଷ୍ଟର ସହାୟତା ନେଇଥିଲେ। ଅଶ୍ୱିନ ମଧ୍ୟ ସମାନ ସଂଖ୍ୟକ ମ୍ୟାଚ୍‌ ଖେଳି ଏହି ମାଇଲଖୁଣ୍ଟ ସ୍ପର୍ଶ କରି ମୁରଲୀଧରନଙ୍କ ଯୁଗ୍ମଭାବେ ଏହି ତାଲିକାରେ ଶୀର୍ଷରେ ରହିଛନ୍ତି। ସ୍ଥାନୀୟ ହୋଲ୍‌କାର କ୍ରିକେଟ୍‌ ଷ୍ଟାଡିୟମରେ ଗୁରୁବାରଠାରୁ ଘରୋଇ ଭାରତ ଓ ବାଂଲାଦେଶ ମଧ୍ୟରେ ଆରମ୍ଭ ହୋଇଥିବା ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ୍‌ ଅବସରରେ ଅଶ୍ୱିନ ଏହି କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବାଂଲାଦେଶ ଇନିଂସର ୩୭ତମ ଓଭରର ପ୍ରଥମ ବଲରେ ଅଧିନାୟକ ମୋମିନୁଲ ହକ୍‌ଙ୍କୁ କ୍ଲିନ ବୋଲ୍ଡ କରି ଅଶ୍ୱିନ ଭାରତରେ ୨୫୦ତମ ଟେଷ୍ଟ ଉଇକେଟ୍‌ ଅକ୍ତିଆର କରିଥିଲେ। ଘରୋଇ ମାଟିରେ ଏହି ମାଇଲଖୁଣ୍ଟ ସ୍ପର୍ଶ କରିବାରେ ଅଶ୍ୱିନ ୩ୟ ଭାରତୀୟ ବୋଲର ହେବାର ସୌଭାଗ୍ୟ ଲାଭ କରିଛନ୍ତି। ପୂର୍ବରୁ ଅନୀଲ କୁମ୍ବଲେ ଓ ହରଭଜନ ସିଂ ୨୫୦ ଉଇକେଟ୍‌ କ୍ଲବରେ ସାମିଲ ହୋଇଛନ୍ତି।

Share