Categories: ଖେଳ

ମୁମ୍ବାଇ ଇଣ୍ଡିଆନ୍ସରୁ ପପୁଙ୍କୁ ଡାକରା

କଟକ ଅଫିସ,୨୦ା୧୦-
ଓଡ଼ିଶା ସିନିୟର କ୍ରିକେଟ ଦଳର ବାମହାତୀ ଅର୍ଥୋଡକ୍ସ ପପୁ ରାୟଙ୍କୁ ମୁମ୍ବାଇ ଇଣ୍ଡିଆନ୍ସ ଦଳରୁ ଡାକରା ଆସିଛି। ଭାରତୀୟ ପ୍ରିମିୟର ଲିଗ୍‌(ଆଇପିଏଲ)ର ସର୍ବାଧିକ ଟାଇଟଲ ବିଜୟୀ ଦଳ ମୁମ୍ବାଇ ଇଣ୍ଡିଆନ୍ସ ପକ୍ଷରୁ ଆସନ୍ତା ୨୩ ଓ ୨୪ ତାରିଖରେ ଦୁଇଟି ଅଭ୍ୟାସ ମ୍ୟାଚ୍‌ ମୁମ୍ବାଇରେ ଖେଳାଯିବ। ଏଥିରେ ପପୁ ଅଂଶ ଗ୍ରହଣ କରିବେ। ଶୁକ୍ରବାର ପପୁଙ୍କୁ ମୁମ୍ବାଇ ଇଣ୍ଡିଆନ୍ସର ଜଣେ ଅଧିକାରୀ ଫୋନ ଯୋଗେ କଥା ହେବା ସହ ଅଭ୍ୟାସ ମ୍ୟାଚ୍‌ରେ ଯୋଗଦେବାକୁ ଆମନ୍ତ୍ରଣ କରିଛନ୍ତି। ଅଭ୍ୟାସ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କଲେ ପପୁ ରାଜ୍ୟର ୩ୟ ଖେଳାଳି ଭାବେ ଆଇପିଏଲରେ ଭାଗ ନେବାର ଗୌରବ ହାସଲ କରିବେ। ଏହା ପୂର୍ବରୁ ବିପ୍ଳବ ସାମନ୍ତରାୟ ଡେକାନ ଚାଜର୍ସ, ସନରାଇଜର୍ସ ହାଇଦ୍ରାବାଦ ପକ୍ଷରୁ ଓ ହଳଧର ଦାସ ଡେକାନ୍‌ ଚାଜର୍ସ ଦଳରୁ ଆଇପିଏଲରେ ଦେଖିବାକୁ ମିଳିଛନ୍ତି। ଏବେ ରାଜ୍ୟ ସିନିୟର ଦଳର ଅଲରାଉଣ୍ଡର ଅଭିଷେକ ରାଉତ ମଧ୍ୟ ଆଇପିଏଲ ଖେଳିଛନ୍ତି। ହେଲେ ସେ ମହାରାଷ୍ଟ୍ର ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ବେଳେ ଆଇପିଏଲରେ ସୁଯୋଗ ପାଇଥିଲେ। ଅଭ୍ୟାସ ମ୍ୟାଚ୍‌ରେ ଭଲ ପ୍ରଦର୍ଶନ କରିବାକୁ ଚେଷ୍ଟା କରିବି ବୋଲି ପପୁ ନିଜ ପ୍ରତିକ୍ରିୟାରେ କହିଛନ୍ତି। ବାମହାତୀ ସ୍ପିନର ପପୁଙ୍କ ଘର ଯାଜପୁରରେ। ଗତ ୨୦୧୮-୧୯ରେ ସେ ରାଜ୍ୟ ପକ୍ଷରୁ ରଣଜୀ ସିଜନରେ ପଦାର୍ପଣ କରିଥିଲେ। ପଦାର୍ପଣ ସିରିଜରେ ତାଙ୍କ ପ୍ରଦର୍ଶନ ଉତ୍କୃଷ୍ଟ ରହିଥିଲା। ସେହିବର୍ଷ ଦେଓଧର ଟ୍ରଫିରେ ପପୁଙ୍କୁ ଇଣ୍ଡିଆ-ସି ପକ୍ଷରୁ ଖେଳିବାର ସୁଯୋଗ ମିଳିଥିଲା। ୨ଟି ମ୍ୟାଚ୍‌ ଖେଳି ମୋଟ ୬ଟି ଉଇକେଟ ଦଖଲ କରିଥିଲେ ପପୁ। ଏହାଛଡ଼ା ଇଂଲଣ୍ଡ ବିପକ୍ଷରେ ବୋର୍ଡ ସଭାପତି ଏକାଦଶ ଦଳରେ ମଧ୍ୟ ପପୁ ପ୍ରତିନିଧିତ୍ୱ କରିଛନ୍ତି। ରାଜ୍ୟ ସିନିୟର ଦଳରେ ଏବେ ସେ ଜଣେ ନିୟମିତ ଖେଳାଳି ତଥା ଭରସାଯୋଗ୍ୟ ସ୍ପିନ ବୋଲର। ଗତ ବିଜୟ ହଜାରେ ଟ୍ରଫିରେ ୭ଟି ମ୍ୟାଚ୍‌ ଖେଳି ପପୁ ୭ଟି ଉଇକେଟ ଦଖଲ କରିଥିଲେ।

Share