Categories: ଖେଳ

ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ହକି ଇଣ୍ଡିଆ ଦେଲା ୨୧ ଲକ୍ଷ

ନୂଆଦିଲ୍ଲୀ,୯।୪ (ପି.ଟି.)- କୋଭିଡ୍‌-୧୯ ମହାମାରୀ ମୁକାବିଲା ପାଇଁ ହକି ଇଣ୍ଡିଆ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିକୁ ୨୧ ଲକ୍ଷ ଟଙ୍କା ପ୍ରଦାନ କରିଛି। ଏ ନେଇ ବୁଧବାର ହକି ଇଣ୍ଡିଆ ସୂଚନା ଦେଇଛି। ଓଡ଼ିଶାରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧିକୁ ଦୃଷ୍ଟିରେ ରଖି ହକି ଇଣ୍ଡିଆ କାର୍ଯ୍ୟକାରୀ ବୋର୍ଡ ସର୍ବସମ୍ମତି କ୍ରମେ ଏହି ନିଷ୍ପତ୍ତି ନେଇଛି। କରୋନା ଭାଇରସ ସଂକ୍ରମଣରେ ଏପର୍ଯ୍ୟନ୍ତ ଭାରତରେ ୧୫୦ ଓ ସାରା ବିଶ୍ୱରେ ୮୦,୦୦୦ ଲୋକ ପ୍ରାଣ ହରାଇଲେଣି। ଏହି ୨୧ ଲକ୍ଷ ଟଙ୍କାର ସହାୟତା କରୋନା ଭାଇରସ ଲଢେଇରେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିବ ବୋଲି ହକି ଇଣ୍ଡିଆ ଅଧ୍ୟକ୍ଷ ମହମ୍ମଦ ମୁସ୍ତାକ ଅହମ୍ମଦ କହିଛନ୍ତି।
କରୋନା ଭାଇରସ ସଂକ୍ରମଣକୁ ରୋକିବା ପାଇଁ ଓଡ଼ିଶା ସରକାର ପାରୁ ପର୍ଯ୍ୟନ୍ତ ଚେଷ୍ଟା କରୁଛି। ହକି ଇଣ୍ଡିଆ ଏହି ଲଢେଇରେ ସାମାନ୍ୟ ସହାୟତା ପ୍ରଦାନ କରିଛି। ଓଡ଼ିଶାର ଜନସାଧାରଣ ଭାରତୀୟ ହକିକୁ ସବୁବେଳେ ସମର୍ଥନ କରିଆସିଛି। ହକିର ଉନ୍ନତିରେ ଓଡ଼ିଶାର ଭୂମିକା ମଧ୍ୟ ବହୁତ ରହିଛି ବୋଲି ଅହମ୍ମଦ କହିଛନ୍ତି। ହକି ଇଣ୍ଡିଆ ସାଧାରଣ ସମ୍ପାଦକ ମଧ୍ୟ ସମାନ ମତ ପୋଷଣ କରିଛନ୍ତି। ଉଲ୍ଲେଖଥାଉ କି, ହକି ଇଣ୍ଡିଆ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ କେୟାର୍ସ ଫଣ୍ଡକୁ ୧ କୋଟି ଟଙ୍କା ପ୍ରଦାନ କରିଥିଲା।

Share