Categories: ଖେଳ

ମୁକ୍ତିଙ୍କ କ୍ଲିନିକ୍‌ରେ ସର୍ଦ୍ଦାର, ଧରମବୀର

ଭୁବନେଶ୍ୱର, ୧୯।୧୨(କ୍ରୀଡ଼ା ପ୍ରତିନିଧି)- କେବଳ ଓଡ଼ିଶାର ନୁହେଁ, ଭାରତର ଅନ୍ୟତମ ପ୍ରତିଷ୍ଠିତ ଫିଜିଓ ମୁକ୍ତି ପ୍ରସାଦ ଦାଶଙ୍କ ପାଇଁ ବୁଧବାର ସନ୍ଧ୍ୟା ଆଣିଥିଲା ସ୍ମରଣୀୟ ମୁହୂର୍ତ୍ତ। ସହିଦ ନଗରସ୍ଥିତ ତାଙ୍କ ଗ୍ଲୋବାଲ ଫିଜିଓ ସେଲ୍‌ରେ ପହଞ୍ଚତ୍ଥିଲେ ଭାରତୀୟ ହକି ଦଳର ଦୁଇ ତାରକା ଖେଳାଳି ସର୍ଦ୍ଦାର ସିଂ ଓ ଧରମବୀର ସିଂ। ସମ୍ପ୍ରତି କଳିଙ୍ଗ ଷ୍ଟାଡିୟମରେ ଚାଲିଥିବା ସର୍ବଭାରତୀୟ ପୋଲିସ ହକି ଟୁର୍ନାମେଣ୍ଟରେ ଖେଳିବା ପାଇଁ ଉଭୟ ଖେଳାଳି ଓଡ଼ିଶା ଭୁବନେଶ୍ୱର ଆସିଛନ୍ତି। ସର୍ଦ୍ଦାର ହରିୟାଣା ଓ ଧରମବୀର ପଞ୍ଜାବ ପୋଲିସ ପକ୍ଷରୁ ଟୁର୍ନାମେଣ୍ଟରେ ପ୍ରତିନିଧିତ୍ୱ କରୁଛନ୍ତି। ଆହତ ଜନିତ ସମସ୍ୟାର କିଛି ପରାମର୍ଶ ନେବାପାଇଁ ଏବଂ ବ୍ୟକ୍ତିଗତ ସାକ୍ଷାତପାଇଁ ଉଭୟ ଖେଳାଳି ମୁକ୍ତିଙ୍କ କ୍ଲିନିକ୍‌ରେ ପହଞ୍ଚତ୍ଥିବା ଜଣାଯାଇଛି। ଏହା ମୁକ୍ତିଙ୍କୁ ବେଶ୍‌ ଉଲ୍ଲସିତ କରିଥିଲା। ସେତେବେଳେ କ୍ଲିନିକ୍‌ରେ ଉପସ୍ଥିତ ଥିବା ଓଡ଼ିଶାର ଅନ୍ତର୍ଜାତୀୟ ମହିଳା କ୍ରିକେଟର ରଶନାରା ପରବିନ ଓ ଚିକିତ୍ସାଧିନଥିବା ଅନ୍ୟ ବ୍ୟକ୍ତିମାନେ ଏହି ଦୁଇ ତାରକା ଖେଳାଳିଙ୍କ ଉପସ୍ଥିତିରେ ନିଆରା ଅନୁଭୂତି ଲାଭ କରିଥିଲେ। ଏହି ଅବସରରେ ମୁକ୍ତିଙ୍କ କ୍ଲିନିକ୍‌ରେ ଚିକିତ୍ସିତ ହେଉଥିବା ବ୍ୟକ୍ତିମାନେ ସର୍ଦ୍ଦାର ଓ ଧରମବୀରଙ୍କ ସହ ଫଟୋ ଉଠାଇବାର ସୁଯୋଗକୁ ହାତଛଡ଼ା କରି ନ ଥିଲେ। ମୁକ୍ତିପ୍ରସାଦ ଭାରତୀୟ ଜୁନିୟର ହକି ଦଳର ଫିଜିଓ ଥିବାବେଳେ ଧରମବୀର ଖେଳୁଥିଲେ। ତେଣୁ ଅତୀତର ସ୍ମୃତି ଧରମବୀରଙ୍କୁ ମୁକ୍ତିଙ୍କ କ୍ଲିନିକ୍‌ ପର୍ଯ୍ୟନ୍ତ ଟାଣି ଆଣିଥିଲା। ”କିମ୍ବଦନ୍ତୀ ହକି ଖେଳାଳି ସର୍ଦ୍ଦାର ଆହତ ଜନିତ ସମସ୍ୟା ସମ୍ପର୍କିତ କେତେକ ପରାମର୍ଶ ନେବାକୁ ମୋ ନିକଟକୁ ଆସିଥିଲେ। ଧରମବୀର କିନ୍ତୁ କେବଳ ସାକ୍ଷାତ ପାଇଁ କ୍ଲିନିକ୍‌ରେ ପହଞ୍ଚତ୍ଥିଲେ। ରଶନାରା ସେହି ସମୟରେ କ୍ଲିନିକ୍‌ରେ ଥିଲେ। ତେଣୁ ଏକାବେଳେ ୩ ଜଣଯାକ ଅନ୍ତର୍ଜାତୀୟ ଖେଳାଳିଙ୍କ ଉପସ୍ଥିତି ମୋତେ ବେଶ୍‌ ଉତ୍ସାହିତ କରିଥିଲା। ମୁଁ ଦୁଇ ହକି ତାରକାଙ୍କୁ ଭୁବନେଶ୍ୱରକୁ ସ୍ବାଗତ କରିଥିଲି। ସେମାନଙ୍କ ଉପସ୍ଥିତି ମୋ ପାଇଁ ଅନନ୍ୟ ଅନୁଭୂତି ଥିଲା“ ବୋଲି ମୁକ୍ତି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି।

Share