Categories: ଖେଳ

ମିଥାଲ ରାଜଙ୍କ କୃତୀତ୍ୱ

ଭଦୋଦରା, ୧୦।୧୦ (ପି.ଟି.)- ଭାରତୀୟ ମହିଳା କ୍ରିକେଟ୍‌ ଦଳର ଅଧିନାୟିକା ମିଥାଲି ରାଜ ବୁଧବାର ଏକ ବିରଳ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ବିଶ୍ୱର ପ୍ରଥମ ମହିଳା କ୍ରିକେଟର୍‌ ଭାବେ ମିଥାଲି ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଦୁଇ ଦଶନ୍ଧି ଖେଳିବାର ରେକର୍ଡ କରିଛନ୍ତି। ବୁଧବାର ଏଠାରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକା ମହିଳା କ୍ରିକେଟ୍‌ ଦଳ ବିପକ୍ଷରେ ଅନୁଷ୍ଠିତ ପ୍ରଥମ ଦିନିକିଆ ମ୍ୟାଚ୍‌ ଅବସରରେ ସେ ଏହି ସଫଳତା ପାଇଛନ୍ତି। ୩୬ ବର୍ଷୀୟା ମିଥାଲି ୧୯୯୯ ଜୁନ୍‌ ୨୬ରେ ଆୟର୍ଲାଣ୍ଡ ବିପକ୍ଷରେ ଖେଳି ଅନ୍ତର୍ଜାତୀୟ କ୍ୟାରିୟର ଆରମ୍ଭ କରିଥିଲେ। ବୁଧବାର ମ୍ୟାଚ୍‌ ସହ ସେ ଦିନିକିଆ କ୍ରିକେଟ୍‌ରେ ୨୦ ବର୍ଷ ୧୦୫ ଦିନ ପୂରଣ କରିଛନ୍ତି। ଫଳରେ ବିଶ୍ୱରେ ଏକମାତ୍ର ମହିଳା କ୍ରିକେଟର୍‌ ଭାବେ ମିଥାଲି ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ସମୟ ଧରି ଖେଳିଛନ୍ତି। ଦିନିକିଆ କ୍ରିକେଟ୍‌ରେ ମିଥାଲି ବର୍ତ୍ତମାନ ସୁଦ୍ଧା ୨୦୪ ମ୍ୟାଚ୍‌ ଖେଳି ସାରିଛନ୍ତି। ସର୍ବାଧିକ ଦିନିକିଆ ଖେଳିଥିବା ମହିଳା କ୍ରିକେଟର୍‌ଙ୍କ ମଧ୍ୟରେ ସେ ଶୀର୍ଷରେ ରହିଥିବାବେଳେ ଇଂଲଣ୍ଡର ଚାର୍ଲୋଟ୍ଟେ ଏଡ୍‌ଓ୍ବାଡର୍‌ସ (୧୯୧), ଝୁଲଣ ଗୋସ୍ବାମୀ (୧୭୮) ଓ ଅଷ୍ଟ୍ରେଲିଆର ଆଲେକ୍ସ ବ୍ଲାକଓ୍ବେଲ୍‌ (୧୪୪) ଯଥାକ୍ରମେ ପଛକୁ ରହିଛନ୍ତି। ଗତ ମାସରେ ମିଥାଲି ଟି୨୦ରୁ ଅବସର ଗ୍ରହଣ କରିଥିଲେ।

Share