Categories: ଖେଳ

ମିକ୍ସଡ ଡବଲ୍ସରୁ ଭାରତକୁ ୩ୟ ସ୍ବର୍ଣ୍ଣ

କଟକ ଅଫିସ,୨୨।୭- ରାଜ୍ୟଗୋଷ୍ଠୀ ଟେବୁଲ ଟେନିସର ୨୧ତମ ସଂସ୍କରଣରେ ଭାରତ ମିକ୍ସଡ ଡବଲ୍ସ ଇଭେଣ୍ଟରୁ ତୃତୀୟ ସ୍ବର୍ଣ୍ଣ ପଦକ ହାସଲ କରିଛି । ଜବାହରଲାଲ ନେହେରୁ ଇନଡୋର ଷ୍ଟାଡିୟମରେ ଚାଲିଥିବା ପ୍ରତିଯୋଗିତାର ମିକ୍ସଡ ଡବଲରେ ଜ.ି ସାଥିୟାଁ ଓ ଅର୍ଚ୍ଚନା କାମଥଙ୍କ ଯୋଡ଼ି ରବିବାର ଚାମ୍ପିୟନ ହୋଇଛନ୍ତି । ପୂର୍ବରୁ ଦଳଗତ ଇଭେଣ୍ଟରେ ଭାରତ ଉଭୟ ପୁରୁଷ ଓ ମହିଳା ବର୍ଗରେ ସ୍ବର୍ଣ୍ଣ ପଦକ ଜିତିଥିଲା ।
ସିଙ୍ଗାପୁରର ପେଙ୍ଗ ୟୁ ଏନ କୋଏନ ଓ ଗୋଇ ରୁଇ ଜୁଆନଙ୍କୁ ଫାଇନାଲ ମୁକାବିଲାରେ ସାଥିୟାଁ-ଅର୍ଚ୍ଚନା ୧୧-୧, ୧୧-୭ ଓ ୧୧-୪ ଗେମରେ ସିଧାସଳଖ ପରାସ୍ତ କରି ଏହି ସଫଳତା ପାଇଛନ୍ତି । ପୂର୍ବରୁ ସେମିଫାଇନାଲରେ ସାଥିୟାଁ-ଅର୍ଚ୍ଚନା ଭାରତର ଅନ୍ୟଏକ ଯୋଡ଼ି ହରମିତ ଦେଶାଇ-ଆହିକା ମୁଖାର୍ଜୀଙ୍କୁ ୧୧-୨, ୧୧-୨, ୧୧-୯ରେ ହରାଇ ଫାଇନାଲରେ ପ୍ରବେଶ କରିଥିଲେ । ଶରଥ କମଲ-ଶ୍ରୀଜା ଆକୁଲାଙ୍କ ଯୋଡ଼ି ସେମିଫାଇନାଲରୁ ବାଦ ପଡ଼ିଥିଲା। ଫଳରେ ସେମିଫାଇନାଲରେ ପରାଜିତ ଦୁଇ ଯୋଡ଼ିଙ୍କୁ ବ୍ରୋଞ୍ଜ ପଦକ ମିଳିଛି। ପୁରୁଷ ଡବଲ୍ସରେ ଭାରତର ଦୁଇ ଯୋଡ଼ି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏହି ଦୁଇ ଯୋଡ଼ି ହେଲେ ଶରଥ କମଲ-ଜି ସାଥିୟାଁ ଓ ଆଣ୍ଟୋନୀ ଅମଲରାଜ-ମାନଭ ଠାକର । ସୋମବାର ଖେଳାଯିବାକୁ ଥିବା ଫାଇନାଲରେ ଶରଥ-ସାଥିୟାଁ ସିଙ୍ଗାପୁରକୁ ଓ ଆଣ୍ଟୋନୀ-ମାନଭ ଇଂଲଣ୍ଡ ପ୍ରତିଦ୍ୱନ୍ଦୀଙ୍କୁ ଭେଟିବେ। ମହିଳା ଡବଲ୍ସରେ ପୂଜା ସହସ୍ରବୁଦ୍ଧି-କ୍ରୀତିକା ସିଂ ରୟ, ଶ୍ରୀଜା ଆକୁଲା-ମୌସୁମୀ ପଲ, ସୁତୀର୍ଥ ମୁଖାର୍ଜ-ଆହିକା ମୁଖାର୍ଜୀ ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଟପସିଡେଡ ଖେଳାଳି ମାଧୁରିକା ପାଟେକର-ଅର୍ଚ୍ଚନା କାମଥ ସିଙ୍ଗାପୁର ପ୍ରତିଦ୍ୱନ୍ଦୀଙ୍କଠାରୁ ହାରି ସେମି ଦୌଡ଼ରୁ ବାଦ ପଡ଼ିଛନ୍ତି । ରବିବାର ଖେଳାଯାଇଥିବା ପୁରୁଷ ସିଙ୍ଗିଲ୍ସ କ୍ବାର୍ଟରଫାଇନାଲରେ ଜି ସାଥିୟାଁ ୧୧-୭, ୧୧-୮, ୧୧-୮, ୧୧-୬ରେ ନାଇଜେରିଆର ବୋଡେ ଆବିଦୁନଙ୍କୁ, ହରମିତ ଦେଶାଇ ୧୧-୪, ୧୧-୮, ୬-୧୧, ୧୧-୭, ୧୧-୮ ଗେମରେ ସୁସ୍ମିତ ଶ୍ରୀରାମଙ୍କୁ ପରାସ୍ତ କରି ସେମିଫାଇନାଲରେ ପ୍ରବେଶ କରିଛନ୍ତି । ଏହି ଇଭେଣ୍ଟର କ୍ବାର୍ଟର ଫାଇନାଲରେ ଶରଥ କମଲ ସିଙ୍ଗାପୁରର ପାଙ୍ଗ ୟୁ ଏନ କୋଏନଙ୍କଠାରୁ ପରାସ୍ତ ହୋଇ ନିରାଶ କରିଛନ୍ତି। ମହିଳା ସିଙ୍ଗିଲ୍ସ ଇଭେଣ୍ଟରେ ଭାରତୀୟ ଖେଳାଳିଙ୍କ ପତିଆରା ଦେଖିବାକୁ ମିଳିଛି । ଏହି ବିଭାଗର କ୍ବାର୍ଟର ଫାଇନାଲରେ ଆହିକା ମୁଖାର୍ଜୀ, ଶ୍ରୀଜା ଆକୁଲା, ମାଧୁରିକା ପାଟେକର ବିଜୟୀ ହୋଇ ସେମିରେ ପ୍ରବେଶ କରିଛନ୍ତି । ଅର୍ଚ୍ଚନା କାମଥ ଇଂଲଣ୍ଡର ପ୍ରତିଦ୍ୱନ୍ଦୀଙ୍କଠାରୁ ପରାସ୍ତ ହୋଇଛନ୍ତି ।

Share