ମାଲକାନଗିରିରେ ଲୁଣ ମିଳୁ ନ ଥିବା ଗୁଜବ: ଡାକବାଜି ଯନ୍ତ୍ର ଦ୍ୱାରା ସଚେତନ କଲା ପ୍ରଶାସନ; ଦୋକାନୀଙ୍କୁ କରାଗଲା ତାଗିଦ

କୋରୁକୋଣ୍ଡା, ୨୨।୫(ଡି.ଏନ୍‌.ଏ.): ମାଲକାନଗିରି ଜିଲାର ବିଭିନ୍ନ ସ୍ଥାନରେ ଲୁଣ ପରି ଅତି ଆବଶ୍ୟକୀୟ ସାମଗ୍ରୀର ଅଭାବ ଥିବା ଗୁଜବ ସୃଷ୍ଟି ହୋଇଛି। ଏହାକୁ ନେଇ ଲୁଣର କଳାବଜାରୀ ସହ ଦରବୃଦ୍ଧି କରି ବିକି ବ୍ୟବସାୟୀ ମାଲାମାଲ ହେଉଛନ୍ତି। ଏ ନେଇ ଅଭିଯୋଗ ପରେ ଜିଲାର କୋରୁକୋଣ୍ଡା ବ୍ଲକ ବିଡିଓ ଦାଶରଥି ସରାବୁଙ୍କ ନିର୍ଦ୍ଦେଶକ୍ରମେ ବ୍ଲକ ଯୋଗାଣ ନିରୀକ୍ଷକ ବ୍ୟୋମକେଶ ମାଝୀ ବ୍ଲକ ୧୨ଟି ପଞ୍ଚାୟତ ଏବଂ ବାଲିମେଳା ଏନ୍‌ଏସି ବୁଲି ଦେଖିଛନ୍ତି। ସେହିଭଳି ଡାକବାଜି ଯନ୍ତ୍ର ମାଧ୍ୟମରେ ଜିଲାରେ ଲୁଣର ଅଭାବ ଥିବା ଗୁଜବକୁ ମିଥ୍ୟା ଓ ଆବଶ୍ୟକ ପରିମାଣର ଲୁଣ ମହୁଜୁଦ ଥବା କହିଛନ୍ତି। ଏଣୁ ଆବଶ୍ୟକତା ଅନୁଯାୟୀ ଲୁଣ କିଣିବା ଆବଶ୍ୟକ। ଅଯଥା ଲୁଣ ଘରେ ମହଜୁଦ ନ ରଖିବା ନିମନ୍ତେ ଜନସାଧାରଣଙ୍କୁ ଅବଗତ କରାଯାଇଛି। ସମସ୍ତ ଦୋକାନରେ ଖୁଚୁରା ଲୁଣ କିଲୋ ପ୍ରତି ୧୦ଟଙ୍କା ଓ ପାଇକାରିରେ ଲୁଣ କିଲୋ ପିଛା ୮.୪୦ ଟଙ୍କା ଧାର୍ଯ୍ୟ କରାଯାଇ ପ୍ରତି ଦୋକାନ ସମ୍ମୁଖରେ ଲୁଣର ମୂଲ୍ୟ ସାରଣୀ କରି ଲେଖିବା ସହ ଦୋକାନ ମାଲିକଙ୍କୁ କଳାବଜାରି ନ କରିବା ନିମନ୍ତେ ତାଗିଦ କରାଯାଇଛି। ଏହି ନିୟମକୁ ଖିଲାପ କଲେ କିମ୍ବା ଯେକୌଣସି ଅତି ଆବଶ୍ୟକୀୟ ସାମଗ୍ରୀର କଳାବଜାରି ହେଉଥିବା ଜଣାପଡିଲେ ଦୋକାନୀଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବ୍ଲକ ଯୋଗାଣ ନିରୀକ୍ଷକ ମାଝୀ ସୂଚନା ଦେଇଛନ୍ତି।