Categories: ଖେଳ

ମହିଳା ସିଙ୍ଗଲ୍ସ: ମୁଗୁରୁଜା, କରବର, ହାଲେପଙ୍କ ଅଗ୍ରଗତି

ମେଲବୋର୍ନ, ୨୬।୧(ଏଏଫ୍‌ପି)- ମହିଳା ସିଙ୍ଗଲ୍ସରେ ମଧ୍ୟ ସିଡେଡ ଖେଳାଳିମାନେ ଅଗ୍ରଗତି କରି ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଦୁଇଥର ଗ୍ରାଣ୍ଡସ୍ଲାମ ଟାଇଟଲ ହାସଲ କରିଥିବା ୨୬ ବର୍ଷୀୟା ସ୍ପେନ୍‌ର ଗର୍ବାଇନ୍‌ ମୁଗୁରୁଜା ଚତୁର୍ଥ ରାଉଣ୍ଡରେ ନବମ ସିଡ୍‌ କିକି ବେର୍ଟେନ୍ସଙ୍କୁ ଭେଟିବେ। ମୁଗୁରୁଜା ଶନିବାର ତୃତୀୟ ରାଉଣ୍ଡରେ ୬-୧, ୬-୨ ସେଟ୍‌ରେ ପଞ୍ଚମ ସିଡ୍‌ ୟୁକ୍ରେନ୍‌ର ଏଲିନା ଭିଟୋଲିନାଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ବେର୍ଟେନ୍ସ ୬-୨, ୭-୬ ସେଟ୍‌ରେ କାଜାଖସ୍ଥାନର ଜାରିନା ଡିୟାସଙ୍କୁ ହରାଇ ଚତୁର୍ଥ ରାଉଣ୍ଡକୁ ଉଠିଛନ୍ତି। ସେହିପରି ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ୧୭ତମ ସିଡ୍‌ ଜର୍ମାନୀର ଆଞ୍ଜେଲିକ କରବର ଓ ୩୦ତମ ସିଡ୍‌ ରୁଷିଆର ଅନାଷ୍ଟାସିଆ ପାଭଲ୍ୟୁଚେଙ୍କୋଭା ପରସ୍ପରକୁ ଭେଟିବା ସ୍ପଷ୍ଟ ହୋଇଛି। କରବର ତୃତୀୟ ରାଉଣ୍ଡ ମୁକାବିଲାରେ ୬-୨, ୬-୭,୬-୩ ସେଟ୍‌ରେ ଇଟାଲିରେ କାମିଲା ଜିଓର୍ଜିଙ୍କୁ ହରାଇ ଓ ପାଭଲ୍ୟୁଚେଙ୍କୋଭା ୭-୬, ୭-୬ ସେଟ୍‌ରେ ଦ୍ୱିତୀୟ ସିଡ କାରୋଲିନା ପ୍ଲିସ୍କୋଭାଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଅନ୍ୟପଟେ ଚତୁର୍ଥ ସିଡ୍‌ ରୋମାନିଆର ସିମୋନା ହାଲେପ ଓ ୧୬ତମ ସିଡ୍‌ ବେଲଜିୟମ ଏଲିସ ମର୍ଟେନ୍ସ ଚତୁର୍ଥ ରାଉଣ୍ଡରେ ମୁହଁାମୁହିଁ ହେବେ। ହାଲେପ୍‌ ୬-୧, ୬-୪ ସେଟ୍‌ରେ କାଜାଖସ୍ଥାନର ୟୁଲିୟା ପୁଟିନସେଭାଙ୍କୁ ଓ ମର୍ଟେନ୍ସ ୬-୧, ୬-୭, ୬-୦ ସେଟ୍‌ରେ ଆମେରିକାର କାଥେରାଇନ ବେଲିସଙ୍କୁ ହରାଇ ଅଗ୍ରଗତି କରିଛନ୍ତି। ମହିଳା ସିଙ୍ଗଲ୍ସର ଅନ୍ୟ ଏକ ଚତୁର୍ଥ ରାଉଣ୍ଡ ମ୍ୟାଚ୍‌ରେ ୨୮ତମ ସିଡ୍‌ ଇସ୍ତୋନିଆର ଆନେଟ କୋଣ୍ଟାଭେଟ୍‌ ଓ ପୋଲାଣ୍ଡର ଆଇଗା ସ୍ବିଆଟେକ୍‌ ପରସ୍ପରକୁ ଭେଟିବେ। କୋଣ୍ଟାଭେଟ୍‌ ୬-୦, ୬-୧ ସେଟ୍‌ରେ ଷଷ୍ଠ ସିଡ୍‌ ସୁଇଜରଲାଣ୍ଡର ବେଲିଣ୍ଡା ବେନ୍‌କିକଙ୍କୁ ହରାଇ ବିପର୍ଯ୍ୟୟ ଘଟାଇବା ସହ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ସେହିପରି ସ୍ବିଆଟେକ୍‌ ୭-୫, ୬-୩ ସେଟ୍‌ରେ ୧୯ତମ ସିଡ୍‌ କ୍ରୋଏସିଆର ଡୋନା ଭେକିକ୍‌ଙ୍କୁ ହରାଇ ଚତୁର୍ଥ ରାଉଣ୍ଡରେ ପ୍ରବେଶ କରିଛନ୍ତି। ଶୁକ୍ରବାର ଡିଫେଣ୍ଡିଂ ଚାମ୍ପିୟନ ଜାପାନର ନାଓମି ଓସାକା, ଅଷ୍ଟମ ସିଡ ସେରେନା ଓ୍ବିଲିୟମ୍ସ ଓ ଦଶମ ସିଡ ମାଡିନସନ କେଜ୍‌ ତୃତୀୟ ରାଉଣ୍ଡରେ ପରାସ୍ତ ହୋଇ ବିପର୍ଯ୍ୟୟର ସମ୍ମୁଖୀନ ହେବା ସହ ଟୁର୍ନାମେଣ୍ଟରୁ ବିଦାୟ ନେଇଛନ୍ତି।

Share