ମହାନଦୀ ପାରି ହେବାବେଳେ ବୁଡି ଗଲା ଡଙ୍ଗା: ପହଁରି ପହଁରି କୂଳରେ ଲାଗିଲେ ଶ୍ରମିକ

ମହାକାଳପଡା,୧୯।୬(ଡି.ଏନ୍‌.ଏ)-କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ରାମନଗର ପିତାପାଟ ନିକଟରେ ଶୁକ୍ରବାର ଏକ ଅଭାବନୀୟ ଘଟଣା ଘଟିଛି। ମହାନଦୀ ପାରି ହୋଇ ପାରାଦୀପକୁ କାମ କରିବାକୁ ଯାଉଥିବାବେଳେ ଏକ ଡଙ୍ଗା ବୁଡି ଯାଇଛି। ଫଳରେ ଉକ୍ତ ଡଙ୍ଗାରେ ଥିବା ୫ଜଣ ଶ୍ରମିକ ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡ଼ିଛି।
ଘଟଣାରୁ ଜଣାପଡ଼ିଛି, ଏକ ହୁଲି ଡଙ୍ଗାରେ ବିପଦପୂର୍ଣ୍ଣ ଭାବେ ଆଜି ସକାଳେ ୫ ଜଣ ଶ୍ରମିକ ମହାନଦୀରେ ପାରି ହେଉଥିବାବେଳେ କୂଳଠାରୁ ମାତ୍ର ୫୦ ମିଟର ଦୂରରେ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା। ଫଳରେ ଡଙ୍ଗାରେ ବସିଥିବା ଶ୍ରମିକମାନେ ପହଁରି ପହଁରି କୂଳକୁ ଆସି ଯାଇଥିଲେ। ଡଙ୍ଗାରେ ଗୋଟିଏ ବାଇକ ଥିବାବେଳେ ବାଇକଟି ବୁଡିଯାଇଛି। ପରେ ସ୍ଥାନୀୟ ଲୋକଙ୍କ ଦ୍ୱାରା ବାଇକକୁ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି। ଖବରପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି।