ମହାନଦୀରେ ଗୋପୀନାଥ ମନ୍ଦିର ଦଧିନଉତି ଦୃଶ୍ୟମାନ ଘଟଣା: ମନ୍ଦିରର ସ୍ଥିତି ଅନୁଧ୍ୟାନ ସହ ନମୁନା ନେଲେ ବିଶେଷଜ୍ଞ ଟିମ୍‌

ଭୁବନେଶ୍ୱର, ୧୭।୬(ବ୍ୟୁରୋ)/ ନୟାଗଡ଼ ଅଫିସ: ନୟାଗଡ଼ ଜିଲା ଭାପୁର ବ୍ଲକ୍‌ ଅନ୍ତର୍ଗତ ମହାନଦୀ ଗର୍ଭରେ ବୁଡ଼ି ରହିଛି ୫୦୦ବର୍ଷ ତଳର ଗୋପୀନାଥ ମନ୍ଦିର। ପାଣି ଉପରକୁ ମନ୍ଦିରର ଦଧିନଉତି ଦୃଶ୍ୟମାନ ହେଉଥିବାବେଳେ ମଙ୍ଗଳବାର ଏକ ବିଶେଷଜ୍ଞ ଟିମ୍‌ ସେଠାରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଆଇଆଇଟି ଭୁବନେଶ୍ୱରର ଡ. ରାଜୀବ ଲୋଚନ ମିଶ୍ର, ଉତ୍ତରପ୍ରଦେଶ ରୋହିଲଖଣ୍ଡ ବିଶ୍ୱବିଦ୍ୟାଳୟର ପ୍ରତ୍ନତତ୍ତ୍ୱବିତ୍‌ ପ୍ରଫେସର ଅନୁପ ରଞ୍ଜନ ମିଶ୍ରଙ୍କ ସହ ଜିଲାପାଳ ପୋମା ଟୁଡୁ, ଡିଏଫ୍‌ଓ ଧନରାଜ ଏଚ୍‌ଡି, ଭାପୁର ବ୍ଲକ ବିଡିଓ ସତ୍ୟ ସୁନ୍ଦର ରାଉତ, ଉପାଧ୍ୟକ୍ଷ ଗୟାଧର ପରିଡ଼ା ପ୍ରମୁଖ ଡଙ୍ଗାରେ ମନ୍ଦିର ନିକଟକୁ ଯାଇଥିଲେ। ବହୁ ସମୟ ଧରି ମନ୍ଦିର ସମ୍ପର୍କରେ ତଥ୍ୟ ସଂଗ୍ରହ କରିଥିଲା ବିଶେଷଜ୍ଞ ଟିମ୍‌। ଏଠାରୁ ମାଟି ଖୋଳି ନମୁନା ସଂଗ୍ରହ କରିବା ସହ ମନ୍ଦିରଟି କେଉଁ ପରିସ୍ଥିତିରେ ମହାନଦୀ ଗର୍ଭରେ ବିଲୀନ ହୋଇଥିଲା, ସେ ନେଇ ଗବେଷଣା ଆରମ୍ଭ କରିଛନ୍ତି। ମହାନଦୀ ଭିତରେ ମନ୍ଦିର ତିଆରି ହୋଇଥିଲା ନାଁ କାଳକ୍ରମେ ଏହା ପୋତି ହୋଇଯିବା ପରେ ଏହା ଉପରେ ନଦୀ ପ୍ରବାହିତ ହୋଇଥିଲା ଏଭଳି ଅନେକ ପ୍ରସଙ୍ଗକୁ ଖୋଜି ପାଇବାକୁ ଲାଗିଛି ବିଶେଷଜ୍ଞ ଟିମ୍‌।
ସେପଟେ ଗ୍ରାମବାସୀମାନେ ଏହି ମନ୍ଦିରର ପୁନରୁଦ୍ଧାର କରିବା ସହିତ ପର୍ଯ୍ୟଟନ ସ୍ଥଳୀର ମାନ୍ୟତା ଦେବା ପାଇଁ ଦାବି କରୁଛନ୍ତି। ଏ ସମ୍ପର୍କରେ ଜିଲାପାଳ କହିଛନ୍ତି, ବର୍ତ୍ତମାନ ପାଣି ଅଧିକ ହୋଇଯାଇଛି। ସେମିତି କିଛି କରିହେବ ନାହିଁ। ତଥାପି ଜିଲା ପ୍ରଶାସନ ପକ୍ଷରୁ ସବୁପ୍ରକାର ସହଯୋଗ ଯୋଗାଇ ଦିଆଯିବ। ଏନେଇ ସରକାରଙ୍କ ସହିତ ଆଲୋଚନା କରାଯାଇ ନିଷ୍ପତ୍ତି ନିଆଯିବ।
ସୂଚନାଯୋଗ୍ୟ, ଗତ କିଛିଦିନ ତଳେ ଇନ୍‌ଟାକ୍‌ ପକ୍ଷରୁ ଏହି ମନ୍ଦିରକୁ ଠାବ କରାଯାଇଥିଲା। ମନ୍ଦିରର କାରୁକାର୍ଯ୍ୟ ଓ ନିର୍ମାଣ ଶୈଳୀ ତଥା ସ୍ଥାନୀୟ କିମ୍ବଦନ୍ତୀ ଅନୁସାରେ ତାହା ବହୁ ପୁରାତନର ବୋଲି ଜଣାପଡ଼ିଛି।