ମହରଗରୁ ଯାଇ କାନ୍ତାରରେ

ନାମକରଣ କରିବାରେ ଆମ ଦେଶର ସରକାର ବହୁ ଆଗରେ ରହିଛନ୍ତି। କଂଗ୍ରେସ ସମୟରେ ସବୁକିଛି ଗାନ୍ଧୀ ପରିବାର ନାମରେ କରାଯାଉଥିଲା। ଦିଲ୍ଲୀର ପାଲାମ ବିମାନ ବନ୍ଦରକୁ ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନ ବନ୍ଦର ଓ କନ୍ନଟ ପ୍ଲେସ୍‌କୁ ରାଜୀବ ଗାନ୍ଧୀ ଚୌକ୍‌ ଭାବେ ନାମିତ କରିବାଠାରୁ ଆରମ୍ଭ କରି ଦେଶବ୍ୟାପୀ ରାସ୍ତା, ଛକ, ଖେଳପଡ଼ିଆ, ପ୍ରମୋଦ ଉଦ୍ୟାନ, ଶିକ୍ଷାନୁଷ୍ଠାନ ଭଳି ପ୍ରାୟ ସବୁକିଛି କେତେକ ରାଜନୈତିକ ବ୍ୟକ୍ତିଙ୍କ ନାମରେ ନାମିତ ହେଉଥିବା ବେଳେ ଏବେ ଏକ ନୂଆ ଢାଞ୍ଚା ଆରମ୍ଭ ହୋଇଛି। ମୋଦି ସରକାର କ୍ଷମତାସୀନ ହେବାଠାରୁ ବିଭିନ୍ନ ଯୋଜନାକୁ ଆକର୍ଷଣୀୟ ନାମ ଦିଆଯାଇ ସେଗୁଡ଼ିକୁ ଜନସାଧାରଙ୍କ ଦ୍ୱାରା ଗ୍ରହଣୀୟ କରିବାର ଚେଷ୍ଟା ହେଉଛି। ଅବଶ୍ୟ ପୂର୍ବ କଂଗ୍ରେସ ସରକାର ଅମଳର କେତୋଟି ଯୋଜନାର ନାମ ପରିବର୍ତ୍ତନ କରାଯାଇଛି, ଯଥା-ରାଜୀବ ଗାନ୍ଧୀ ଗ୍ରାମୀଣ ବିଦ୍ୟୁତୀକରଣ ଯୋଜନାକୁ ଦୀନ୍‌ଦୟାଲ ଉପାଧ୍ୟାୟ ଗ୍ରାମଜ୍ୟୋତି ଯୋଜନା କରାଯାଇଛି। ଏହିଭଳି ଆହୁରି ଅନେକ ପୁରୁଣା କାର୍ଯ୍ୟକ୍ରମର ନାମ ପରିବର୍ତ୍ତନ କରାଯାଇଥିବା ବେଳେ ମୌଳିକ କାର୍ଯ୍ୟରେ କୌଣସି ପରିବର୍ତ୍ତନ ବା ଉନ୍ନତି ଦେଖିବାକୁ ମିଳୁନାହିଁ।
ସବୁଠାରୁ କୌତୂହଳପୂର୍ଣ୍ଣ ହେଉଛି ନୂତନ ଯୋଜନାଗୁଡ଼ିକର ଗୋଟିଏପଟେ ଅପମୃତ୍ୟୁ ଘଟୁଥିବା ବେଳେ, ଆହୁରି କେତେକ ନୂଆ ନାମଧାରୀ ଯୋଜନା ଗୋଟିଏ ପରେ ଗୋଟିଏ ଛେକରେ ଜନ୍ମ ନେଉଥିବାର ଦେଖାଯାଉଛି। ୨୦୧୪ରୁ ଆଜି ପର୍ଯ୍ୟନ୍ତ ଲକ୍ଷ୍ୟକଲେ ମେକ୍‌ ଇନ୍‌ ଇଣ୍ଡିଆ, ଷ୍ଟାର୍ଟ ଅପ୍‌ ଇଣ୍ଡିଆ, ଷ୍ଟାଣ୍ଡ୍‌ ଅପ୍‌ ଇଣ୍ଡିଆ ଭଳି କାର୍ଯ୍ୟକ୍ରମରୁ ଆରମ୍ଭ କରି ବନ୍ଦେ ଭାରତ, ସମୁଦ୍ର ସେତୁଠୁ ନେଇ ଆରୋଗ୍ୟ ସେତୁ ପର୍ଯ୍ୟନ୍ତ ଭଳିକିଭଳି ନାମକରଣ ଦିଆଚାଲିଛି। ଏସବୁ କ୍ଷଣସ୍ଥାୟୀ ହୋଇଥିବାରୁ ସମ୍ଭବତଃ କେନ୍ଦ୍ର ସରକାରଙ୍କ ବିରାଟ ମନ୍ତ୍ରଣାଳୟ ଏଗୁଡ଼ିକର ନୂତନ ନାମ ବାହାର କରିବାରେ ଲାଗିରହିଥିବ। ପିଲାଦିନେ ଆଣ୍ଠୁରେ ଆଘାତ ହେଲେ ତୁଳା କିମ୍ବା ବ୍ୟାଣ୍ଡେଜ୍‌ ପରିବର୍ତ୍ତେ ପାଉଁଶ ଲଗାଇ ଦେଉଥିବାର ଅନେକଙ୍କ ମନେ ପଡ଼ିପାରେ। ଆଜିର ସରକାର କେବେହେଲେ ଭାବି ନ ଥିଲେ ଯେ ଭାରତ ଉପରେ ଚାଇନା ଆକ୍ରମଣ କରିବ। ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ ଚିନ୍ତାଧାରାରୁ ଜନ୍ମ ନେଇଥିବା ଭାରତୀୟ ଜନତା ପାର୍ଟି (ଭାଜପା) ସବୁବେଳେ ମୁସଲମାନ ବିରୋଧୀ ଦୃଷ୍ଟିକୋଣରେ ନିଜର ଶକ୍ତି ବୃଦ୍ଧି କରିବାକୁ ଚେଷ୍ଟା କରିଆସିଛି। ଦେଶର ଅର୍ଥନୈତିକ ବିପର୍ଯ୍ୟୟ ସମୟରେ ଏହି ରାଜନୈତିକ ଦଳର କୌଣସି ସ୍ପଷ୍ଟ ଅର୍ଥନୈତିକ ଚିନ୍ତାଧାରା ନାହିଁ ବୋଲି ଏବେ ସଚେତନ ନାଗରିକ ପ୍ରମାଣ ପାଇସାରିଲେଣି। ମନେପଡ଼େ କିଛିବର୍ଷ ପୂର୍ବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ଚାଇନା ଗସ୍ତ ସମୟର ଘୋଷଣା। ଦେଶରେ ଆଭ୍ୟନ୍ତରୀଣ ସ୍ତରରେ କୌଣସି ଆଲୋଚନା ହୋଇ ନ ଥିବା ବେଳେ ପ୍ରଧାନମନ୍ତ୍ରୀ ତାଙ୍କ ବେଜିଂ ଭାଷଣରେ ଘୋଷଣା କରିଦେଲେ ଯେ ଚାଇନା ନାଗରିକଙ୍କୁ ଭାରତରେ ପର୍ଯ୍ୟଟନ ଭିଜା ବିମାନବନ୍ଦରରେ ଇଲେକ୍‌ଟ୍ରୋନିକ୍‌ ଭିଜା (ଇ-ଭିଜା) ଭାବେ ମିଳିପାରିବ। କିନ୍ତୁ ସାଧାରଣରେ ଉଭୟ ଦେଶ ଏହି ସୁବିଧା ଘୋଷଣା କରିବା କଥା। ଚାଇନା ତାହା କଲାନାହିଁ। କିନ୍ତୁ ଆମ ଭାରତରେ ସେହି ଘୋଷଣା ଲାଗୁ ହୋଇଗଲା। ଏହାବ୍ୟତୀତ ଚାଇନାକୁ ଏକ ବିରୋଧୀ ଦେଶର ତାଲିକାରୁ ହଟାଇଦେଲି ବୋଲି କହି ପ୍ରଧାନମନ୍ତ୍ରୀ ମୋଦି ଅନେକ ଆମଦାନୀ ଉପରେ ଟିକସ ଛାଡ଼ କରି ନିଜର ଭାବମୂର୍ତ୍ତି ବିରାଟକାୟ କରିବାକୁ ଚେଷ୍ଟା କଲେ। ସେହିଭଳି ଅନେକ ବ୍ୟବସାୟିକ ସୁବିଧା ମଧ୍ୟ ଚାଇନା କମ୍ପାନୀଗୁଡ଼ିକୁ ଦେବା ପାଇଁ ବହୁ ପ୍ରତିଶ୍ରୁତି ଦେଇ ଆସିଲେ ମୋଦି। ଏବେ ଜଣାପଡୁଛି, ଏହାସବୁ ସତ୍ତ୍ୱେ, ଚାଇନା କୌଣସିଭାବେ ସନ୍ତୁଷ୍ଟ ହୋଇପାରୁ ନାହିଁ। ନିକଟରେ ଚାଇନା ଆକ୍ରମଣରେ ୨୦ ଭାରତୀୟ ସୈନ୍ୟଙ୍କ ପ୍ରାଣହାନି ତାହା ପ୍ରମାଣିତ କରିଦେଉଛି। ଏହା ନିଶ୍ଚିତ ଭାବେ ଅନେକ ରାଜନୈତିକ ସମସ୍ୟା ସୃଷ୍ଟି କରିଦେଇଛି। ପାକିସ୍ତାନକୁ ଦୋଷ ଦେବା ସହଜ, କାରଣ ଭାରତୀୟ ହିନ୍ଦୁଙ୍କ ପାଇଁ ମୁସଲମାନମାନେ ଘୃଣ୍ୟ। ସେଥିପାଇଁ ସେହି ବାର୍ତ୍ତା ଜନସାଧାରଣଙ୍କୁ ପସନ୍ଦ ହୁଏ। ଅନ୍ୟପଟେ ଚାଇନା ଯେହେତୁ ଏକ ଅଣମୁସଲମାନ ଦେଶ ଏବଂ ତାହାର ରାଷ୍ଟ୍ରପତି ସି ଜିନ୍‌ପିଙ୍ଗ୍‌ଙ୍କୁ ସବୁବେଳେ ନିଜର ବନ୍ଧୁ ଭାବେ ଆମ ପ୍ରିୟ ପ୍ରଧାନମନ୍ତ୍ରୀ ଦର୍ଶାଇ ଆସିଛନ୍ତି ସେହେତୁ ଚାଇନା ବିରୋଧରେ କୌଣସି କଠୋର ମନ୍ତବ୍ୟ ଆଜି ପର୍ଯ୍ୟନ୍ତ ଦିଆଯାଇ ପାରୁନାହିଁ। ହୁଏତ ଚାଇନାର ଏହି ଆକ୍ରମଣ ଭାଜପାର ମୌଳିକ ରାଜନୈତିକ ଚିନ୍ତାଧାରାକୁ ବାଉଳା କରିଦେଇଛି। ମୁସଲମାନ ନ ଥିବା ଜାଗାରେ ହିନ୍ଦୁତ୍ୱର ଅସ୍ଥିତ୍ୱ ପ୍ରଶ୍ନବାଚୀରେ ପଡ଼ିିଯାଉଛି।
ଏହି ପ୍ରଚ୍ଛଦପଟରେ ଦେଖିଲେ କେନ୍ଦ୍ର ସରକାର ଏବେ ବାଟବଣା ହୋଇ ଶିଳ୍ପପତିମାନଙ୍କୁ ଏକ ତାଲିକା ପ୍ରସ୍ତୁତ କରିବାକୁ କହିଛନ୍ତି। କୌଣସି ସରକାରୀ ବିଜ୍ଞପ୍ତି ପ୍ରକାଶ କରା ନ ଯାଇ ଘରୋଇ ଭାବେ ବଡ଼ ଶିଳ୍ପୋଦ୍ୟୋଗୀମାନଙ୍କୁ ଚାଇନାରୁ ଆମଦାନୀ ହେଉଥିବା ସାମଗ୍ରୀ ସମ୍ପର୍କରେ କେତେକ ତଥ୍ୟ ଦେବାକୁ କୁହାଯାଇଛି। ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ହାତଘଣ୍ଟା, କାନ୍ଥଘଣ୍ଟା, ଇଞ୍ଜେକଶନ୍‌ ଅମ୍ପୁଲ୍ସ, କାଚ ସାମଗ୍ରୀ, କେଶ ତୈଳ ଓ ଶାମ୍ପୁ, ଫେସ୍‌ ପାଉଡର, ଲିପ୍‌ଷ୍ଟିକ୍‌ ଭଳି କେତେକ ହାଲୁକା ସାମଗ୍ରୀ ଉପରେ ପ୍ରଶ୍ନ ପଚରା ଯାଇଛି। ପ୍ରଚାର କରାଯାଉଛି ଯେ, ଚାଇନାରୁ ଆମଦାନୀ ହେଉଥିବା ଏହି ଦ୍ରବ୍ୟକୁ କେନ୍ଦ୍ର ସରକାର ବାରଣ କରିବା ପାଇଁ ଚିନ୍ତା କରୁଛନ୍ତି। ପୂର୍ବରୁ କୁହାଯାଉଥିଲା ଚିନ୍ତା କରୁ କରୁ ପୁରୀ-ହାଓ୍ବଡ଼ା ଏକ୍ସପ୍ରେସ୍‌ ଷ୍ଟେଶନ ଛାଡ଼ିଦିଏ। କେନ୍ଦ୍ର ସରକାରଙ୍କ ସେଭଳି ପରିସ୍ଥିତି ହୋଇଛି। ପାଉଡର, ସ୍ନୋ ଏବଂ କେଶ ତୈଳକୁ ବୀରତ୍ୱର ସହିତ ଆମଦାନୀ ବନ୍ଦ କରିବାକୁ ଚିନ୍ତା କରୁଥିବା ସରକାର ନିଜ ତାଲିକାରୁ ମୋବାଇଲ ଫୋନ୍‌, ଟେଲିଭିଜନ, ଔଷଧ ପ୍ରସ୍ତୁତି ଲାଗି ମୌଳିକ ଉପାଦାନ ଯାହାକୁ ଆକ୍ଟିଭ୍‌ ଫାର୍ମାସ୍ୟୁଟିକାଲ ଇନ୍‌ଗ୍ରେଡିଆଣ୍ଟ ବା ଏପିଆଇ କୁହାଯାଏ, ତାହାଠାରୁ ଆରମ୍ଭ କରି ବିଦ୍ୟୁତ୍‌ ଉତ୍ପାଦନ ପାଇଁ ବୃହତ୍‌ କାରଖାନା ସବୁ ଚାଇନା ନିର୍ମିତ ହୋଇଥିବା ବେଳେ ସେଗୁଡ଼ିକ କେନ୍ଦ୍ର ସରକାରଙ୍କ ଦୃଷ୍ଟିରେ ପଡୁନାହିଁ। ଏହାବ୍ୟତୀତ ଯେଉଁ ପ୍ରଶ୍ନାବଳୀ ପ୍ରସ୍ତୁତ କରାଯାଇଛି, ତାହା କେବଳ ବୃହତ୍‌ ଶିଳ୍ପପତିଙ୍କ ନିକଟକୁ ପଠାଯିବା ପଛରେ ମନ୍ଦ ଉଦ୍ଦେଶ୍ୟର ସଙ୍କେତ ମିଳୁଛି। ସମ୍ଭବତଃ ସରକାରଙ୍କ ଇଚ୍ଛା ହୋଇଥାଇପାରେ ଯେ ଚାଇନାରୁ ଆମଦାନୀ ବନ୍ଦ କରାଗଲେ ସେହିସବୁ ସାମଗ୍ରୀକୁ କେତେଜଣ ବଛା ଏବଂ ଶାସକଗୋଷ୍ଠୀର ନିକଟତର ବ୍ୟବସାୟୀଙ୍କ କୋଳରେ ରଖି ଦିଆଯିବ।
ଭାରତର ଲଢ଼େଇ କେବଳ ଗଲଓ୍ବାନ ଉପତ୍ୟକାରେ ବଳବାନ୍‌ମାନେ ଲଢ଼ିବେ ବୋଲି ଭାବିବା ଅନୁଚିତ। ଦେଶ ଭିତରେ ଚାଇନା ସାମଗ୍ରୀକୁ ବର୍ଜନ ଡାକରା ଦେଉଥିବା ଗୋଷ୍ଠୀ ବୁଝିବା ଦରକାର ଯେ, ମହରଗରୁ ଯାଇ କାନ୍ତାରରେ ପଡ଼ିବାର ପରିସ୍ଥିତି ସୃଷ୍ଟି କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସନ୍ତାନ ପାଳନ ଓ ମାର୍ଗ ଦର୍ଶନ

ଈଶ୍ୱରଙ୍କ ସୃଷ୍ଟିରେ ମଣିଷ ସର୍ବଶ୍ରେଷ୍ଠ ଜୀବ ରୂପେ ପରିଗଣିତ ହୋଇଥାଏ। ଏହାର କାରଣ ହେଲା ଜୀବଜନ୍ତୁମାନେ ଭଲ, ମନ୍ଦ, ଭୁଲ୍‌, ଠିକ୍‌ ବିବେଚନା କରିବାରେ ଅସମର୍ଥ ହୋଇଥିବା…

ନିର୍ବାଚନ: ଆଞ୍ଚଳିକ ଦଳ ବନାମ ଏନ୍‌ଡିଏ

କେନ୍ଦ୍ର ଶାସିତ ଅଞ୍ଚଳ ପୁଡୁଚେରୀ ସହ ୪ଟି ରାଜ୍ୟ ବିଧାନସଭା ପାଇଁ ଚଳିତ ମାସରେ ନିର୍ବାଚନ ଅନୁଷ୍ଠିତ ହେବ। ଏହି ସମସ୍ତ ରାଜ୍ୟରେ ରହିଛି ମୋଟ ୮୨୪ଟି…

ଶାସନରେ ଭୟ

ଭାରତରେ ଯେବେ ଏକ ପ୍ରକଳ୍ପ ଅଟକିଯାଏ, ଖର୍ଚ୍ଚ ବଢ଼ିଯାଏ ଆମେ ସ୍ବାଭାବିକ ଭାବରେ ସେଥିରେ ଦୁର୍ନୀତି କଥା ଉଠାଇଥାଉ। କିନ୍ତୁ ବେଳେ ବେଳେ ବ୍ୟବସ୍ଥାର ନିଷ୍କ୍ରିୟତା ଯୋଗୁ…

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri