ମନୋହର ଆଲୁଅ

ଡ. ରମେଶ ଚନ୍ଦ୍ର ପରିଡ଼ା

ଉଦିତ ସୂର୍ଯ୍ୟର ମନୋଲୋଭା ରୂପ ମନରେ ଭରି ଦେଇଥାଏ ବିଲୋଳ ଆନନ୍ଦ। ପ୍ରାତଃସ୍ମରଣୀୟ କବି ସଚ୍ଚି ରାଉତରାୟ ସମ୍ଭବତଃ ଏହାକୁ ହିଁ ତାଙ୍କ ଛୋଟ ଗାଁର ‘ମନୋହର ଆଲୁଅ’ ରୂପେ ବର୍ଣ୍ଣନା କରିଛନ୍ତି- ‘ଆଲୁଅ ତା’ର କି ମନୋହର, ଅନ୍ଧକାର ତା’ଠାରୁ ଭଲ..’ (ଛୋଟ ମୋର ଗାଁଟି)। ତାହା ମନକୁ ଚାପମୁକ୍ତ କରେ ଏବଂ ତାହାକୁ ପୁନଃନିର୍ମାଣ କରେ ନୂତନ ଆହ୍ବାନର ସମ୍ମୁଖୀନ ହେବା ପାଇଁ। ଅନ୍ୟପକ୍ଷରେ ଶରୀର ଉପରେ ଏହାର ପ୍ରଭାବ ଅନୁଭୂତ ହୋଇଥାଏ ଅଧିକ ପ୍ରତ୍ୟକ୍ଷ ରୂପେ। କାରଣ ତହିଁରେ ଥିବା ଅଲଟ୍ରାଭାଓଲେଟ ବା ଅତିବାଇଗଣୀ ରଶ୍ମି ଆମ ଚର୍ମ ଉପରେ ପତିତ ହେଲେ ଉତ୍ପନ୍ନ କରିଥାଏ ଭିଟାମିନ୍‌-ଡି। ଚର୍ବିରେ ଦ୍ରବୀଭୂତ ହେଉଥିବା ଏହି ଭିଟାମିନ୍‌ର ବିଭିନ୍ନ ରୂପ ରହିଛି (ଡି-୧ରୁ ଡି-୫ ଯାଏ) ଏବଂ ସେ ପ୍ରତ୍ୟେକର ଧର୍ମ ଅଳ୍ପବହୁତେ ଭିନ୍ନଭିନ୍ନ। ତେବେ ତନ୍ମଧ୍ୟରୁ ମୁଖ୍ୟ ଦୁଇଟି ହେଲା ଭିଟାମିନ୍‌-ଡି ୨ ଏବଂ ଡି ୩। ସାଧାରଣ ଭାବେ ଭିଟାମିନ୍‌-ଡି କହିଲେ ଏହାକୁ ହିଁ ବୁଝାଇଥାଏ। ଅନ୍ୟାନ୍ୟ ଭିଟାମିନ୍‌, ଖଣିଜ ପୁଷ୍ଟିକ ଏବଂ ଜୀବରସ ବା ହରମୋନ ସହଯୋଗରେ ଡି-୩ ଆମ ହାତର ଧାତବାୟନ କରେ ଓ ତାହାକୁ ଶକ୍ତ କରେ।
ବିବର୍ତ୍ତନ ଫଳରେ ଆଜକୁ ପ୍ରାୟ ୪୦୦ ନିୟୁତ ବର୍ଷ ପୂର୍ବେ ମେରୁଦଣ୍ଡୀ ପ୍ରାଣୀମାନଙ୍କର ଆବିର୍ଭାବ ଘଟିଲା। ପ୍ରାଗୈତିହାସିକ ଯୁଗର ଏକକୋଷୀ ପ୍ରାଣୀମାନେ ତାଙ୍କ ପରିବେଶରୁ କ୍ୟାଲସିୟମ୍‌ ପ୍ରାପ୍ତ ହେଉଥିଲେ। କିନ୍ତୁ ଯେତେବେଳେ ବହୁକୋଷୀ ପ୍ରାଣୀର ବିକାଶ ଘଟିଲା ଏବଂ ସେମାନେ ସମୁଦ୍ରଠାରୁ ଦୂରକୁ ଗଲେ ତାଙ୍କର ଶକ୍ତ ଏବଂ ଚଳତ୍‌ଶକ୍ତିସମ୍ପନ୍ନ ଏକ ଆଭ୍ୟନ୍ତରୀଣ କଙ୍କାଳର ଆବଶ୍ୟତା ପଡ଼ିଲା। ଫଳରେ ମେରୁଦଣ୍ଡୀ ପ୍ରାଣୀମାନଙ୍କ ଅଭ୍ୟୁଦୟ ଘଟିଲା ଏବଂ ଏଥିରେ ଭିଟାମିନ୍‌-ଡି ଓ ପାରାଥୋର୍‌ମୋନ୍‌ ପ୍ରମୁଖ ହରମୋନ୍‌ ରୂପେ ଜୀବକୋଷ ବାହାରେ ଥିବା କ୍ୟାଲସିୟମ୍‌ ତଥା ଫସ୍‌ଫରସ୍‌ ସମାସ୍ଥିତି (ହୋମିଓଷ୍ଟେସିସ୍‌)କୁ ନିୟନ୍ତ୍ରଣ କଲେ। ସେହିକାଳରୁ ଏହି ଭିଟାମିନ୍‌ ମେରୁଦଣ୍ଡୀ ପ୍ରାଣୀମାନଙ୍କ ଜୀବନ ପ୍ରକ୍ରିୟାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଆସୁଛି।
ହାଡ଼ ତିଆରି ପାଇଁ ଭିଟାମିନ୍‌-ଡି, କ୍ୟାଲ୍‌ସିୟମ୍‌ ଏବଂ ଫସଫରସ୍‌ ଅତ୍ୟାବଶ୍ୟକ। ଏହି ଭିଟାମିନ୍‌ର ଅଭାବରେ ପ୍ରାପ୍ତବୟସ୍କଙ୍କଠାରେ ହାଡ଼ ପାପରା ହେବା ଓ ତାହା ଭାଙ୍ଗିଯିବା ଏବଂ ପିଲାମାନଙ୍କଠାରେ ରିକେଟ୍‌ ଭଳି ରୋଗର କାରଣ ହୋଇଥାଏ। ବିଶେଷକରି ବୟସ୍କ ଲୋକଙ୍କଠାରେ ଏବଂ ମହିଳାମାନଙ୍କ ଋତୁବିରତି ପରେ ହାଡ଼ ପାପରା ସମସ୍ୟା ଅଧିକ ଜଟିଳ ହୋଇଥାଏ। ତେବେ ଏହା ଆହୁରି ଅନେକ ଘାତକ ରୋଗର ମଧ୍ୟ କାରଣ ହୋଇପାରେ। ସେଗୁଡ଼ିକ ଭିତରେ ଅଛି ପୌରୁଷଗ୍ରନ୍ଥି, ସ୍ତନ୍ୟ, ମଳଦ୍ୱାର ତଥା ଅନ୍ୟାନ୍ୟ କର୍କଟ ରୋଗ। ଭିଟାମିନ୍‌-ଡି କର୍କଟ ରୋଗ କୋଷିକାଗୁଡ଼ିକୁ ବଂଶବୃଦ୍ଧି କରିବାକୁ ଏବଂ ବଢ଼ିବାକୁ ଦିଏନାହିଁ। ସେହିପରି ଏହାର ଅଭାବ ମାନସିକ ଚାପକୁ ଦ୍ୱିଗୁଣିତ କରିବା ସଙ୍ଗେ ସଙ୍ଗେ ବାର୍ଦ୍ଧକ୍ୟଜନିତ ସ୍ମୃତିଶକ୍ତିହୀନତା ଏବଂ ଆଲ୍‌ଝିମର୍ସ୍‌ ରୋଗର ସମ୍ଭାବନାକୁ ୧୨୫ ଶତାଂଶ ବୃଦ୍ଧିକରେ। ହୃଦ୍‌ଘାତ ବିଖଣ୍ଡିତ ମନସ୍କତା (ସିଜୋଫେନିଆ), ଚର୍ମରୋଗ-ସୋରିଆସିସ୍‌, ଉଚ୍ଚ ରକ୍ତଚାପ ଆଦି ରୋଗ ମଧ୍ୟ ଏଥିସହିତ ସମ୍ପୃକ୍ତ ହେବାର ଜଣାପଡ଼ିଲାଣି।
ଆମେରିକାର ନ୍ୟାଶ୍‌ନାଲ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ହେଲ୍‌ଥ ଦ୍ୱାରା ପ୍ରସ୍ତୁତ ଏକ ରିପୋର୍ଟ (୨୦୧୭) ଅନୁସାରେ ଭିଟାମିନ୍‌-ଡି ଆମ ଜୀବକୋଷ ଭିତରେ ଏବଂ ବାହାରେ ରୋଗପ୍ରତିରୋଧକ ଶକ୍ତିକୁ ନିୟନ୍ତ୍ରଣ କରୁଥିବା ହରମୋନ୍‌ ‘କାଲ୍ସିଟ୍ରାଇଅଲ୍‌’ର ପୁରୋଗାମୀ (ଏଥିରୁ ତାହା ସୃଷ୍ଟି ହୁଏ), ଯାହାକି ଆମକୁ ସନ୍ଧିପ୍ରଦାହ, ଶିରା ଓ ଧମନୀରେ ବାହିକା ରୋଗ, ମଧୁମେହ ଭଳି ସ୍ବନିର୍ବେଶ୍ୟ (ଅଟୋଇମ୍ୟୁନ୍‌) ରୋଗରୁ ସୁରକ୍ଷା ପ୍ରଦାନ କରେ। ଏହାର ଅଭାବ ହୃଦ୍‌ସଙ୍ଘାତ, ୧୭ ପ୍ରକାର କର୍କଟ ରୋଗ, ବିବିଧ ସ୍ନାୟୁ-ମନସ୍ତାତ୍ତ୍ୱିକ ସମସ୍ୟା, ମାଂସପେଶୀ ବିନଷ୍ଟ, ଦୁର୍ବଳତା, ଫ୍ଲୋରୋସିସ୍‌, ଦୀର୍ଘକାଳୀନ ଯନ୍ତ୍ରଣା, ଜନ୍ମଗତ ଅସଙ୍ଗତି ଭଳି ରୋଗର କାରଣ ମଧ୍ୟ ହୋଇପାରେ। ଫଳରେ ଆୟୁକ୍ଷୟ ଘଟେ।
ଜଣେ ବ୍ୟକ୍ତିର ରକ୍ତ ଲସିକାରେ ଭିଟାମିନ୍‌-ଡି୩ ମାପିବା ଦ୍ୱାରା ତା’ଠାରେ ଏହାର ସ୍ଥିତି ଜଣାପଡ଼େ। ତେବେ ତହିଁରେ ଏହାର ପରିମାଣ ବ୍ୟକ୍ତିରୁ ବ୍ୟକ୍ତି ଭିତରେ ଭିନ୍ନ ଭିନ୍ନ ହୋଇଥାଏ। କାରଣ ଆମ ଖାଦ୍ୟ, ପୋଷାକ, ବାସ କରୁଥିବା ଭୌଗୋଳିକ ସ୍ଥାନ, ଚର୍ମର ରଙ୍ଗ, ବୃତ୍ତି, ସ୍ବାସ୍ଥ୍ୟ, ଜଳବାୟୁ ଉପରେ ଏହା ନିର୍ଭରଶୀଳ। ତେବେ ମୋଟାମୋଟି ଭାବେ ଆମେ ଏହା ଦିନକୁ ୪୦୦ ‘ଆନ୍ତର୍ଜାତିକ ଏକକ’ ପରିମାଣରେ ଆବଶ୍ୟକ କରୁ। ଅନ୍ୟପକ୍ଷରେ ବିଛଣାରେ ପଡ଼ି ରହିଥିବା ରୋଗୀ ଏବଂ ଦିନର ଅଧିକାଂଶ ସମୟ ଛାଇରେ କଟାଉଥିବା ଲୋକେ ଯଥେଷ୍ଟ ସୂର୍ଯ୍ୟାଲୋକ ପାଉ ନ ଥିବାରୁ ସେମାନଙ୍କର ଏହା ଅଧିକ ଦରକାର। ତେଣୁ ଏହାର ଏକ ସାର୍ବଜନୀନ ମାନକ ମୂଲ୍ୟ ସ୍ଥିର କରିବା ସମ୍ଭବ ନୁହେଁ। ତଥାପି ରକ୍ତରେ ଭିଟାମିନ୍‌-ଡି୩ର ମାତ୍ରା ମିଲିଲିଟର ପ୍ରତି ୧୦ଗ୍ରାମରୁ କମ୍‌ ହେବା ଦ୍ୱାରା ନାନାପ୍ରକାର ଶାରୀରିକ ଅସ୍ବାଭାବିକତାର ସୂଚନା ଦିଏ।
ବିଗତ କିଛିବର୍ଷ ତଳେ (୨୦୦୮ ମସିହା) ଚେନ୍ନାଇସ୍ଥିତ ଆପୋଲୋ ହସ୍ପିଟାଲର ଡାକ୍ତର ବିଜୟ କୁମାରଙ୍କ ମାର୍ଗଦର୍ଶନରେ ହୋଇଥିବା ଏକ ଅଧ୍ୟୟନରୁ ଜଣାପଡ଼ିଥିଲା ଯେ, ଅଧିକାଂଶ ସମୟ କମ୍ପୁଟରରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କ ମଧ୍ୟରେ ଅଣ୍ଟା, ହାତ ଓ ବେକରେ ଅଧିକ ଯନ୍ତ୍ରଣା ହେବା ମୂଳରେ ରହିଛି ଭିଟାବିନ-ଡି’ର ଅଭାବ। ସେମାନଙ୍କୁ ଅଧିକାଂଶ ସମୟ ଘରଭିତରେ କଟାଇବାକୁ ପଡ଼େ। ଏଣୁ ତାଙ୍କର ସୂର୍ଯ୍ୟାଲୋକକୁ ଉନ୍ମୁକ୍ତ ହେବାର ସମ୍ଭାବନା କମ୍‌। ମୁଖ୍ୟତଃ ଏ ଅସୁବିଧାର ସମ୍ମୁଖୀନ ହେଉଥିବା ଅନ୍ୟମାନଙ୍କ ମଧ୍ୟରେ ଅଛନ୍ତି ଗର୍ଭବତୀ ମହିଳା, ଋତୁବିରତି ହୋଇଥିବା ମଧ୍ୟମ ଆୟବର୍ଗ ପରିବାରର ଗୃହପତ୍ନୀ, ବୟସ୍କ ଲୋକେ ଏବଂ ଘର ମଧ୍ୟରେ ଆବଦ୍ଧ ରହୁଥିବା କର୍କଟ ରୋଗୀ। ଏମାନଙ୍କ ମଧ୍ୟରୁ ୮୦ ପ୍ରତିଶତଙ୍କଠାରେ ଭିଟାମିନ୍‌-ଡି ଅଳ୍ପବହୁତେ କମ୍‌ ଥିବାର ଦେଖାଯାଇଛି। ସାଧାରଣ ଭାବେ ବର୍ତ୍ତମାନ ସମଗ୍ର ବିଶ୍ୱର ୩୦ରୁ ୪୦ ପ୍ରତିଶତ ଲୋକଙ୍କଠାରେ ଏ ସମସ୍ୟା ପରିଲକ୍ଷିତ ହେଉଛି। ସୂର୍ଯ୍ୟକିରଣକୁ ଉନ୍ମୁକ୍ତ ହେବାର ସୁଯୋଗ ନ ଥିବା ଜୀବନଶୈଳୀ ମୁଖ୍ୟତଃ ଏଥିପାଇଁ ଦାୟୀ। ଏହାକୁ ଏବେ କୁହାଯାଉଛି ‘ଭିଟାମିନ୍‌-ଡି ଅଭାବଜନିତ ମହାମାରୀ’।
ଆଜିକାଲି ଆମ ଶରୀରରେ ଏହାର ଅଭାବ ପୂରଣ ଲାଗି ଗଣମାଧ୍ୟମରେ ହେଉଥିବା ପ୍ରଚାର ଦ୍ୱାରା ପ୍ରଭାବିତ ହୋଇ ଅବିଚାରିତ ଭାବେ ଆମେ ନାନାଦି ପରିପୂରକ ଔଷଧ ବା ଖାଦ୍ୟ ଖାଉଛୁ। ଏହା ଆମ ଶରୀରରେ ତାହାର ମାତ୍ରା ବୃଦ୍ଧି ଘଟାଇପାରେ। ତେବେ ତାହା ମଧ୍ୟ କ୍ଷତିକାରକ। ଏଣୁ ସେଗୁଡ଼ିକ ପରିବର୍ତ୍ତେ ଏହା ଯଥେଷ୍ଟ ଥିବା କଡ୍‌ଲିଭର୍‌ ତେଲ ଏବଂ ସାଲ୍‌ମୋନ୍‌ କୋଚିଆ, ମାକେରେଲ୍‌, ସାରଡିନ୍‌ ଭଳି ସାମୁଦ୍ରିକ ମାଛ ତଥା କଲିଜା, ଅଣ୍ଡା, କ୍ଷୀର, ସଜନାପତ୍ର ଆଦି ପ୍ରାକୃତିକ ଖାଦ୍ୟ ଅଧିକ ଉପାଦେୟ। ଡାକ୍ତରମାନଙ୍କ ମତରେ ଆମେ ପ୍ରତିଦିନ ସକ୍ରିୟ ହରମୋନ୍‌ କାଲ୍‌ସିଟ୍ରାଇଅଲ୍‌ ବଟିକାଟିଏ ଅପେକ୍ଷା କଡ୍‌ଲିଭର୍‌ ତେଲର କ୍ୟାପ୍‌ସୁଲଟିଏ ଖାଇବା ଅଧିକ ନିରାପଦ। ତେବେ ସବୁଠାରୁ ନିରାପଦ ଓ ଲାଭଜନକ ହେଲା ଦିନକୁ ବିଶେଷକରି ସକାଳର ସୂର୍ଯ୍ୟଙ୍କ ‘ମନୋହର ଆଲୁଅ’ ଭିତରେ ଅନ୍ତତଃ ଘଣ୍ଟାଟିଏ କଟାଇବା।
ଜହ୍ନ ଆଲୁଅ ମଧ୍ୟ ମନୋହର। ତେବେ ତାହା ହେଲା ସୂର୍ଯ୍ୟାଲୋକର ପ୍ରତିଫଳନ। ସେଥିରେ ଭିଟାମିନ୍‌-ଡି ତିଆରି କଲା ଭଳି ଅଲଟ୍ରାଭାଓଲେଟ୍‌-ବି ରଶ୍ମି ପ୍ରାୟତଃ ନ ଥାଏ। ସେହିପରି ସାଧାରଣ ବିଜୁଳିବତିର ଆଲୁଅର ବି ଏ ଗୁଣ ନାହିଁ। ଏସବୁର ମନକୁ ହରଣ କଲାଭଳି ରୂପ ଥାଇପାରେ କିନ୍ତୁ ଦେହ ଓ ମନକୁ ସୁସ୍ଥ ରଖିବାର ଗୁଣ ନାହିଁ।
ଭୁବନେଶ୍ୱର, ମୋ-୯୯୩୭୯୮୫୭୬୭


Enter your email to get our daily news in your inbox.

All Right Reserved By Dharitri.Com

ଭାରତୀୟ ଗଣତନ୍ତ୍ରରେ ଅଭାବୀ ବିକଳ୍ପ

ଏକ ଚା’ ଖଟିରେ ଦୁଇ ବନ୍ଧୁ ପରସ୍ପର ରାଜନୀତି ବିଷୟରେ ଚର୍ଚ୍ଚା କରୁଥିଲେ ଏବଂ ଜଣେ ବନ୍ଧୁ ଅନ୍ୟ ଜଣେ ବନ୍ଧୁଙ୍କ ସହିତ କଥୋପକଥନ ଛଳରେ କହୁଥା’ନ୍ତି-…

ପୁରୁଷ, ନାରୀ ଓ ସଭ୍ୟତା

ଓଡ଼ିଶା ଆଜି ନିଜକୁ ଉନ୍ନତି ପଥରେ ଆଗେଇ ନେବାକୁ ଦୃଢ଼ ଚେଷ୍ଟା କରୁଛି। ନୂଆ ରାସ୍ତା, ବଡ଼ ବଡ଼ କୋଠା, ଶିଳ୍ପ ପାର୍କ, ଡିଜିଟାଲ ସେବା, ସରକାରୀ…

ଚିତାରେ ସତୀ

ୟୁରୋପରେ ସଇତାନଙ୍କୁ ପୂଜା କରୁଥିବା ସନ୍ଦେହରେ ମହିଳାଙ୍କୁ ଡାହାଣୀ ଆଖ୍ୟା ଦେଇ ଖ୍ରୀଷ୍ଟିଆନ୍‌ ଧର୍ମଯାଜକମାନେ ସେମାନଙ୍କୁ ଜିଅନ୍ତା ପୋଡ଼ିଦେଉଥିଲେ। ଆରବରେ ଇସ୍‌ଲାମ ଛାଡ଼ିବାକୁ ମନା କରୁଥିବା ଲୋକଙ୍କୁ…

ଏଇ ଭାରତରେ

ଭାରତରେ ଜଳ ସଙ୍କଟ ବିଷୟ ଆଲୋଚନା କଲାବେଳେ ମହାରାଷ୍ଟ୍ର ଲାଟୁର ଜିଲା ସ୍ଥିତି ସାମ୍ନାକୁ ଆସେ। ତେବେ ଏହି ଜିଲାର ବଂଶଓ୍ବାରଗ୍ରାମର ଗ୍ରାମବାସୀ ଜଳସଙ୍କଟ ଦୂର କରିବାରେ…

ରୋଜଗାରିଆ ଝିଅ ଓ ବେକାର ପୁଅ

ପୁରୁଷ ଓ ନାରୀ ଭଗବାନଙ୍କର ଏକ ଅନବଦ୍ୟ ସୃଷ୍ଟି। ପୁରୁଷ ଜନ୍ମ ନିଏ ନାରୀଠାରୁ ପୁଣି ବିନା ପୁରୁଷରେ ନାରୀର ଜନ୍ମ ଅସମ୍ଭବ। କି ଅଦ୍ଭୁତ ସମନ୍ବୟ।…

ପରିମାଣାତ୍ମକ ନା ଗୁଣାତ୍ମକ ଶିକ୍ଷା

ଥରେ ଜଣେ ରାଜନେତାଙ୍କ ସହିତ ସାକ୍ଷାତ ହେଲା। ପୂର୍ବତନ ଲୋକ ସଭା ସାଂସଦ। ବର୍ତ୍ତମାନର ସରକାରୀ ଦଳର ସେ ଜଣେ ପ୍ରତିଷ୍ଠିତ ନେତା। ବିଭିନ୍ନ ସଭା ସମିତିରେ…

ଯେତିକି ପାରିବ ସେତିକି

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଏବେ ମଣିଷର ପ୍ରତିଟି ପଦକ୍ଷେପକୁ ପରିଚାଳନା କଲାଣି। ପରିବେଶ ପରିସଂସ୍ଥାନକୁ ଇକୋସିଷ୍ଟମ ବୋଲି କହିଥାଉ। ଏବେ ଏଆଇ ଇକୋସିଷ୍ଟମ…

ଏଇ ଭାରତରେ

ପକ୍ଷୀ ଜୀବନ ଏବେ ସଙ୍କଟରେ। ଜଳବାୟୁ ପରିବର୍ତ୍ତନ,ସହରୀକରଣରେ ବାସସ୍ଥାନ ଓ ଖାଦ୍ୟ ଅଭାବ ଯୋଗୁ ବଂଶବୃଦ୍ଧି ନ ହୋଇ ବହୁ ପ୍ରଜାତିର ପକ୍ଷୀ ଏବେ ବିଲୁପ୍ତିର ଦ୍ୱାରଦେଶରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri