Categories: ଖେଳ

ମନୀଷାଙ୍କୁ ସ୍ବର୍ଣ୍ଣ ପଦକ

ଭୁବନେଶ୍ୱର, ୨୯।୨(କ୍ରୀଡ଼ା ପ୍ରତିନିଧି)-
ଚଳିତ ଖେଲୋ ଇଣ୍ଡିଆ ବିଶ୍ୱବିଦ୍ୟାଳୟ କ୍ରୀଡ଼ା ଆଥଲେଟିକ୍ସ ଇଭେଣ୍ଟର ପ୍ରଥମ ଦିବସରେ ଓଡ଼ିଶା ଓ ସମ୍ବଲପୁର ବିଶ୍ୱବିଦ୍ୟାଳୟ ପାଇଁ ଗୌରବ ଆଣିଛନ୍ତି ମନୀଷା ମେରେଲ। ପ୍ରତିଯୋଗିତାର ମହିଳା ଲଙ୍ଗଜମ୍ପ ଇଭେଣ୍ଟରେ ସେ ସ୍ବର୍ଣ୍ଣ ପଦକ ଅର୍ଜନ କରି ନିଜ ପ୍ରତିଭା ଦେଖାଇଛନ୍ତି। ଗତ ୧ ବର୍ଷ ଧରି କିଟ୍‌ରେ ସଞ୍ଜୟ ଗଡ଼ନାୟକଙ୍କଠାରୁ ପ୍ରଶିକ୍ଷଣ ନେଉଥିବା ମନୀଷା ନିଜ ୪ର୍ଥ ଉଦ୍ୟମରେ ୬.୨୨ ମିଟର କ୍ଲିୟର କରି ପ୍ରଥମ ସ୍ଥାନ ଅଧିକାର କରିଛନ୍ତି। ପ୍ରଥମ ଉଦ୍ୟମରେ ୫.୮୧, ଦ୍ୱିତୀୟରେ ୫.୯୫, ତୃତୀୟରେ ୬.୦୪ ମିଟର ଡେଇଁଥିବା ମନୀଷା ୪ର୍ଥ ଉଦ୍ୟମରେ ହିଁ ଶ୍ରେଷ୍ଠତ୍ୱ ଲାଭ କରିଥିଲେ। ୫ମ ତଥା ଅନ୍ତିମ ଉଦ୍ୟମରେ ସେ ୬.୧୨ ମିଟର ଡେଇଁ ଅଭିଯାନ ଶେଷ କରିଥିଲେ। ମାଡ୍ରାସ ବିଶ୍ୱବିଦ୍ୟାଳୟର ହର୍ଷିନୀ ସର୍ବାନନ ୫.୮୯ ଓ ମହାତ୍ମାଗାନ୍ଧୀ ବିଶ୍ୱବିଦ୍ୟାଳୟର ଅନୁପମା ବିଜୁ ୫.୮୬ ମିଟର କ୍ଲିୟର କରି ଯଥାକ୍ରମେ ରୌପ୍ୟ ଓ ବ୍ରୋଞ୍ଜ ପଦକ ପାଇଥିଲେ।

Share