ଭ୍ରାମ୍ୟମାଣ କରୋନା ନମୁନା ସଂଗ୍ରହ ମେଶିିନ ତିଆରି କଲେ ୪ ଅଧ୍ୟାପକ

କଟକ ଅଫିସ, ୧୯।୪: ମହାମାରୀ କରୋନା ଭୂତାଣୁ ପାଇଁ ସମସ୍ତେ ଚିନ୍ତିତ। ଦିନକୁ ଦିନ ଏହି ଭୂତାଣୁର ସଂକ୍ରମଣ ମଧ୍ୟ ବଢିବାରେ ଲାଗିଛି। ଏବେ ଲକଡାଉନ ସମୟରେ ଏକ ଅଭିନବ ପ୍ରୟାସ କରିଛନ୍ତି ଖପୁରିଆ ଆଇଟିଆଇର ୪ ଅଧ୍ୟାପକ। ରାଜ୍ୟର ପ୍ରତି ଗାଁରେ କରୋନା ନମୁନା ସଂଗ୍ରହ ପାଇଁ ସେମାନେ ମିଳିତ ଭାବେ ଭ୍ରାମ୍ୟମାଣ ନମୁନା ପରୀକ୍ଷା ମେଶିନ ତିଆରି କରିଛନ୍ତି। ଏହା ଦ୍ୱାରା କମ୍‌ ସମୟରେ ଅଧିକ ନମୁନା ସଂଗ୍ରହ କରାଯାଇପାରିବ। ଏହାକୁ ପ୍ରସ୍ତୁତ କରିବା ପାଇଁ ଗୋଟିଏ ସପ୍ତାହ ଲାଗିଥିବା ଆଇଟିଆଇ ଅଧ୍ୟକ୍ଷ ଡ. ହୃଷୀକେଶ ଜେନା କହିଛନ୍ତି। ଏହି ମେଶିନକୁ ଅଧ୍ୟାପକ ଭୂଦେବ ସାହୁ, ଧନଞ୍ଜୟ ବାଙ୍କିରାଓ, ରଞ୍ଜନ କୁମାର ଜେନା ଏବଂ ରଘୁନାଥ ରଥ ତିଆରି କରିଛନ୍ତି। ଏଥିରେ ଆଲୁମିନିୟମ ଓ କାଚ ବ୍ୟବହାର କରାଯାଇଛି। ଏକ କ୍ଷୁଦ୍ର କକ୍ଷରେ ଡାକ୍ତର ବସି ନମୁନା ସଂଗ୍ରହ କରିପାରିବେ। ଏହା ଭିତରେ ଏକ ଫ୍ୟାନ ଲାଗିଛି। ସହଜରେ ଏହା ଚଳପ୍ରଚଳ କରିବା ପାଇଁ ୪ଟି ଚକ ଲଗାଯାଇଛି। ଏହାର ସମ୍ମୁଖ ଭାଗ ଉନ୍ନତମାନର କାଚରେ ସିଲ୍ଡ କରାଯାଇଥିବାରୁ ରୋଗୀଙ୍କ ସହ ନମୁନା ନେଉଥିବା ପାଥୋଲୋଜିଷ୍ଟ ସିଧାସଳଖ ସଂସ୍ପର୍ଶରେ ଆସିବେ ନାହିଁ। ଦୁଇଟି ହାତ ଗ୍ଲୋଭ୍ସ ଏପରି ଲଗାଯାଇଛି ଯାହା ମଧ୍ୟରେ ହାତ ରଖି ନମୁନା ସଂଗ୍ରହ କରାଯାଇପାରିବ। ପରେ ଏହି ଗ୍ଲୋଭ୍ସଗୁଡିକୁ ବାହାରୁ ବିଶୁଦ୍ଧୀକରଣ କରାଯାଇପାରିବ। ଏହାକୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ପ୍ରଥମେ ପରୀକ୍ଷାମୂଳକ ଭାବେ ବ୍ୟବହାର କରାଯିବ। ସଫଳ ହେଲେ ରାଜ୍ୟର ବିଭିନ୍ନ ଗାଁ ଗହଳିରୁ ସହଜରେ ନମୁନା ସଂଗ୍ରହ କରାଯାଇପାରିବ ବୋଲି ଅଧ୍ୟକ୍ଷ ଡ. ଜେନା ପ୍ରକାଶ କରିଛନ୍ତି।