Categories: ଖେଳ

ଭିଟୋରିଙ୍କ ୧୧ ନଂ ଜର୍ସିକୁ ସନ୍ନ୍ୟାସ ଦେଲା ନ୍ୟୁଜିଲାଣ୍ଡ

ଓ୍ବେଲିଂଟନ,୫।୮(ପି.ଟି.)- ନ୍ୟୁଜିଲାଣ୍ଡ କ୍ରିକେଟ (ଏନ୍‌ଜେଡ୍‌ସି) ସୋମବାର କିମ୍ବଦନ୍ତୀ ସ୍ପିନର ଡାନିଏଲ ଭିଟୋରିଙ୍କୁ ସମ୍ମାନ ଜଣାଇ ତାଙ୍କ ୧୧ ନଂ ଜର୍ସିକୁ ସନ୍ନ୍ୟାସ ଦେଇଛି। ଫଳରେ ଦେଶର ଆଉ କୌଣସି କ୍ରିକେଟର ୧୧ ନଂ ଜର୍ସି ପରିଧାନ କରିପାରିବେ ନାହିଁ। କେବଳ ଭିଟୋରି ନୁହନ୍ତି, ଦେଶ ପାଇଁ ୨୦୦ରୁ ଅଧିକ ଅନ୍ତର୍ଜାତୀୟ ଦିନିକିଆ ଖେଳିଥିବା କ୍ରିକେଟରଙ୍କ ଜର୍ସିକୁ ସନ୍ନ୍ୟାସ ଦିଆଯିବ ବୋଲି ଏନ୍‌ଜେଡ୍‌ସି ପକ୍ଷରୁ ଟୁଇଟର ଜରିଆରେ ଘୋଷଣା କରାଯାଇଛି। ଦେଶ ପକ୍ଷରୁ ସର୍ବାଧିକ ୨୯୧ ଦିନିକିଆ ଖେଳିଥିବା ଭେଟୋରିଙ୍କ ନାମରେ ମୋଟ ୩୦୫ ଉଇକେଟ ରହିଛି। ଏଥିସହ ୫ ଅର୍ଦ୍ଧଶତକ ସହ ୨୨୫୩ ରନ୍‌ କରିଥିଲେ। ୪୦ ବର୍ଷୀୟ ପୂର୍ବତନ ବାମହାତୀ ସ୍ପିନର ୧୧୩ ଟେଷ୍ଟ ଖେଳି ୩୬୨ ଉଇକେଟ ହାତେଇଥିଲେ। ଲମ୍ବା ଫର୍ମାଟରେ ୪,୫୩୧ ରନ୍‌ କରିଥିଲେ, ଯେଉଁଥିରେ ୬ ଶତକ ଓ ୨୩ ଅର୍ଦ୍ଧଶତକ ସାମିଲ ଥିଲା। ସେ ୨୦୦୭ରୁ ୨୦୧୧ ପର୍ଯ୍ୟନ୍ତ ଦଳର ନେତୃତ୍ୱ ନେଇଥିଲା। ଏହାବାଦ୍‌ ନ୍ୟୁଜିଲାଣ୍ଡ ଖେଳାଳିଙ୍କ ପାଇଁ ନୂଆ ଟେଷ୍ଟ ଜର୍ସି ଉନ୍ମୋଚନ କରାଯାଇଛି। ନ୍ୟୁଜିଲାଣ୍ଡ ଦଳ ତା’ର ବିଶ୍ୱ ଟେଷ୍ଟ ଚାମ୍ପିୟନଶିପର ପ୍ରଥମ ମ୍ୟାଚ୍‌ ଶ୍ରୀଲଙ୍କା ବିପକ୍ଷରେ ଗାଲେଠାରେ ଖେଳିବ।

Share