ଭୂତକୋଠି ହେଲାଣି ରକ୍ତଭଣ୍ଡାର ଗୃହ

ଆଠମଲ୍ଲିକ, ୨୦ା୧୨(ଡି.ଏନ.ଏ.)- ଅନୁଗୋଳ ଜିଲା ଆଠମଲ୍ଲିକବାସୀଙ୍କ ଆବଶ୍ୟକତାକୁ ଆଖିରେ ରଖି ନିର୍ମାଣ ହୋଇଥିବା ରକ୍ତଭଣ୍ଡାର ଗୃହ ଭୂତକୋଠିରେ ପରିଣତ ହେବାକୁ ବସିଲାଣି। ନିର୍ମାଣକୁ ୧୦ ବର୍ଷ ପୂରିଥିଲେ ହେଁ ଏହାକୁ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର କରାଯାଉ ନାହିଁ। ଫଳରେ ଲତାବୁଦା ମାଡ଼ିବା ସହ ଏହା ପରିସର ଆବର୍ଜନାରେ ଭର୍ତ୍ତି ହୋଇଛି।
ସୂଚନା ମୁତାବକ, ୨୦୦୯-୨୦୧୦ ଆର୍ଥତ୍କ ବର୍ଷରେ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ପାଣ୍ଠିରୁ ଏହି ରକ୍ତଭଣ୍ଡାର ଗୃହ ନିର୍ମାଣ କରାଯାଇଥିଲା। ଏଥିପାଇଁ ୧୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲା। ହେଲେ ଏତେ ଟଙ୍କା ବ୍ୟୟରେ ନିର୍ମାଣ ହୋଇଥିବା ଏହି ଗୃହ ଆଜି ପର୍ଯ୍ୟନ୍ତ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ହୋଇପାରିନି। ଫଳରେ ଏହା ଏକ ପ୍ରକାର ପରିତ୍ୟକ୍ତ ଅବସ୍ଥାରେ ପଡିରହିଛି। ଗୃହ ଚତୁଃପାର୍ଶ୍ୱରେ ବର୍ତ୍ତମାନ ଅନାବନା ଗଛ ଉଠି ପରିସରକୁ ନଷ୍ଟ କରୁଛି। ଅନେକ ସମୟରେ ଏଠାରେ ଅସାମାଜିକ ଲୋକମାନେ ଆଡ୍ଡା ଜମାଉଛନ୍ତି। ସ୍ଥାୟୀ ରକ୍ତଭଣ୍ଡାର ଗୃହ ନ ଥିବାରୁ ଏଠାରେ ଡାକ୍ତର, ଟେକ୍ନିସିଆନ, ଆଟେଣ୍ଡାଣ୍ଟ, ସୁଇପର ଆଦି ନିଯୁକ୍ତି ମଧ୍ୟ ହୋଇପାରୁନାହିଁ। ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରି ସରକାର ଗୃହ ନିର୍ମାଣ କରିଥିଲେ ହେଁ କାହିଁକି ଏହାକୁ କାମରେ ଲଗାଯାଇପାରୁନାହିଁ ସେ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
ଏ ସମ୍ପର୍କରେ ସ୍ଥାନୀୟ ଭାରପ୍ରାପ୍ତ ଏସ୍‌ଡିଏମ୍‌ଓ ସୁନୀଲ କୁମାର ପଣ୍ଡାଙ୍କୁ ଯୋଗାଯୋଗ କରିବାରେ କହିଛନ୍ତି, ରକ୍ତଭଣ୍ଡାର ଗୃହ ସ୍ବାସ୍ଥ୍ୟ ବିଭାଗକୁ ହସ୍ତାନ୍ତର ହୋଇନାହିଁ। ଫଳରେ ରକ୍ତଦାନ ଶିବିରଗୁଡିକରେ ଉପଖଣ୍ଡ ଚିକିତ୍ସାଳୟରୁ ଡାକ୍ତର ଓ କର୍ମଚାରୀ ଯୋଗାଇ ଦିଆଯାଉଛି। ବର୍ତ୍ତମାନ ୧୯୯୯ରେ ନିର୍ମିତ ରକ୍ତଭଣ୍ଡାର ଗୃହରେ କାର୍ଯ୍ୟ ଚାଲିଛି।