ଭୁବନେଶ୍ୱରରେ ସର୍ବାଧିକ କରୋନା ଆକ୍ରାନ୍ତ

ଭୁବନେଶ୍ୱର, ୪।୪(ବ୍ୟୁରୋ): ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦ରେ ପହଞ୍ଚିଛି। ସେଥିମଧ୍ୟରୁ ଭୁବନେଶ୍ୱରରେ ସର୍ବାଧିକ ଆକ୍ରାନ୍ତଙ୍କ ସଂଖ୍ୟା ରହିଛି। ଭୁବନେଶ୍ୱରରେ କରୋନା ପଜିଟିଭ କେସ ସଂଖ୍ୟା ୧୪ ଥିବାବେଳେ ଭଦ୍ରକରେ ୩ ଓ ଯାଜପୁର, କଟକ ଏବଂ ପୁରୀରେ ଜଣେ ଲେଖାଏଁ ଅଛନ୍ତି। ବର୍ତ୍ତମାନ ରାଜ୍ୟର ପ୍ରଥମ ଓ ଦ୍ବିତୀୟ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟମାନେ ବିଭିନ୍ନ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି।
ସେମାନଙ୍କ ମଧ୍ୟରୁ ତୃତୀୟ କରୋନା ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱର କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସିତ ହେଉଥିବା ବେଳେ ପଞ୍ଚମ ଆକ୍ରାନ୍ତ ଜଣଙ୍କ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଛନ୍ତି। ବାକି ୧୬ ଜଣ କଟକ ଅଶ୍ବିନୀ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ବୋଲି କରୋନା ଭୁତାଣୁ ସଂକ୍ରମଣ ସଚେତନତା କମିଟିର ମୁଖ୍ୟ ପ୍ରବକ୍ତା ସୁବ୍ରତୋ ବାଗଚି କହିଛନ୍ତି।
ଅନ୍ୟପଟେ ରାଜ୍ୟରେ ଏ ପର୍ଯ୍ୟନ୍ତ ୧୩୯୫ ଜଣଙ୍କ ନମୁନା ପରୀକ୍ଷା ହୋଇଛି। ସେଥିରୁ ୨୦ ଜଣଙ୍କ ରିପୋର୍ଟ ପଜିଟିଭ ଆସିଛି। ଚତୁର୍ଥ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୪୨ଜଣ ଆସିଥିବା ବେଳେ ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ୩୮ ଜଣ ଆସିଛନ୍ତି। ପଞ୍ଚମ ଆକ୍ରାନ୍ତଙ୍କ ସଂସ୍ପର୍ଶରେ ଆସିଥିବା ବ୍ୟକ୍ତିଙ୍କ ମଧ୍ୟରୁ ୭ ଜଣଙ୍କ ନିକଟରେ କରୋନା ପଜିଟିଭ ଆସିଛି।
ଅନ୍ୟ ସଂକ୍ରମିତଙ୍କ ସଂସ୍ପର୍ଶରେ କିଏ ଆସିଥିଲେ, ତାହାର ଏବେ ତଥ୍ୟ ସଂଗ୍ରହ ଚାଲିଛି। ସେପଟେ ୯୧ଜଣ କରୋନା ସନ୍ଦିଗ୍ଧ ରାଜ୍ୟର ବିଭିନ୍ନ ହସ୍ପିଟାଲର ଆଇସୋଲେସନରେ ଅଛନ୍ତି ବୋଲି ବାଗଚି ସୂଚନା ଦେଇଛନ୍ତି।