ଭିଡିପି ଆସୋସିଏଟ ସର୍ଭେ: ଶୀର୍ଷରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ; ୨ୟରେ ଯୋଗୀ, ଜଗନ ତୃତୀୟ

ଭୁବନେଶ୍ୱର,୧୮।୮(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ପ୍ରଦର୍ଶନକୁ ନେଇ ରାଜ୍ୟବାସୀ ସନ୍ତୁଷ୍ଟ ଅଛନ୍ତି। ସାରା ଦେଶର ବିଭିନ୍ନ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ପ୍ରଦର୍ଶନକୁ ଭିତ୍ତିକରି ପ୍ରସ୍ତୁତ ଏକ ରିପୋର୍ଟରେ ନବୀନ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି। ଭିଡିପି ଆସୋସିଏଟ ପକ୍ଷରୁ କରାଯାଇଥିବା ସର୍ଭେରୁ ଏହା ଜଣାପଡିଛି। ବିଜେଡି ପକ୍ଷରୁ ଶନିବାର ଗଣମାଧ୍ୟମକୁ ଏ ସମ୍ପର୍କରେ ଅବଗତ କରାଯାଇଛି। ନବୀନ ସର୍ବାଧିକ ୮୨ ପଏଣ୍ଟ ପାଇଥିବା ବେଳେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ୭୨ ଏବଂ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ୱାଇ.ଏସ୍‌. ଜଗନମୋହନ ରେଡ୍ଡୀ ୭୧ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛନ୍ତି।

ସେହିପରି ହରିୟାଣା ମୁଖ୍ୟମନ୍ତ୍ରୀ ମନୋହରଲାଲ ଖଟ୍ଟର ୬୮, ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ ୬୫, ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ୬୨, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍‌ରିୱାଲ ୬୦ ପଏଣ୍ଟ ସହ ଯଥାକ୍ରମେ ଚତୁର୍ଥରୁ ସପ୍ତମ ସ୍ଥାନରେ ରହିଛନ୍ତି। ସେହିଭଳି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ ରୂପାନୀ ୫୯, ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ରଘୁବର ଦାସ ୫୭, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ କମଲନାଥ ଓ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ୫୪ ପଏଣ୍ଟ ପାଇଛନ୍ତି। ଅପରପକ୍ଷରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ୫୨, ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ୫୦ ଏବଂ ତାଲିକାର ଶେଷରେ ତାମିଲନାଡୁ ମୁଖ୍ୟମନ୍ତ୍ରୀ ଇ.ପାଲାନିସ୍ବାମୀ ରହିଛନ୍ତି। ଏହି ସର୍ଭେରେ ମୁଖ୍ୟମନ୍ତ୍ରୀମାନଙ୍କ ପ୍ରଦର୍ଶନରେ ଭଲ ଏବଂ ହାରାହାରି ଭାବେ ଖୁସି ଥିବା ବ୍ୟକ୍ତିବିଶେଷଙ୍କ ମତାମତକୁ ସାମିଲ କରାଯାଇଥିଲା।