Categories: ଖେଳ

ଭିଏତ୍‌ନାମ ଓପନ୍‌: ସିରିଲ, ସୌରଭ ଆଗେଇଲେ, ଶୁଭଙ୍କର ନିରାଶ

ହୋ ମି ମିନ ସିଟି (ଭିଏତ୍‌ନାମ), ୧୨।୯ (ପି.ଟି.)- ଏଠାରେ ଚାଲିଥିବା ଭିଏତ୍‌ନାମ ଓପନ୍‌ ବ୍ୟାଡ୍‌ମିଣ୍ଟନ ଟୁର୍ନାମେଣ୍ଟରେ ଭାରତର ସିରିଲ ବର୍ମା ଓ ସୌରଭ ବର୍ମା ବିଜୟ ସହ ୩ୟ ରାଉଣ୍ଡରେ ପ୍ରବେଶ କରିଛନ୍ତି। କିନ୍ତୁ ଅନ୍ୟତମ ଭାରତୀୟ ଶଟ୍‌ଲର ଶୁଭଙ୍କର ଦେଙ୍କୁ ନିରାଶ ହେବାକୁ ପଡ଼ିଛି। ଗୁରୁବାର ସକାଳେ ଅନୁଷ୍ଠିତ ପୁରୁଷ ସିଙ୍ଗଲ୍ସ ଦ୍ୱିତୀୟ ରାଉଣ୍ଡ ମୁକାବିଲାରେ ଟପ୍‌ ସିଡ୍‌ ମାଲେସିଆର ଡାରେଲ ଲିଉଙ୍କୁ ପରାସ୍ତ କରି ସିରିଲ ବିପର୍ଯ୍ୟୟ ଘଟାଇଥିଲେ। ବିଶ୍ୱ ମାନ୍ୟତାର ୯୭ତମ ସ୍ଥାନରେ ରହିଥିବା ସିରିଲ ଏହି ମ୍ୟାଚ୍‌ରେ ୧୭-୨୧, ୨୧-୧୯, ୨୧-୧୨ ଗେମ୍‌ରେ ଡାରେନଙ୍କୁ ହରାଇଥିଲେ। ମ୍ୟାଚ୍‌ ଜିତିବାକୁ ସିରିଲଙ୍କୁ ୫୨ ମିନିଟ୍‌ ସମୟ ଲାଗିଥିଲା। ପ୍ରି-କ୍ୱାର୍ଟରରେ ସିରିଲଙ୍କ ମୁକାବିଲା ଚାଇନାର ଲି ଲାନ୍‌ ଜି’ଙ୍କ ସହ ହେବ। ସେହିଭଳି ଅନ୍ୟ ଏକ ମ୍ୟାଚ୍‌ରେ ସୌରଭ ୨୨-୨୦, ୨୨-୨୦ ଗେମ୍‌ରେ ଜାପାନର କୋଡାଇ ନାରୋକାଙ୍କୁ ମାତ୍‌ ଦେଇ ପ୍ରି-କ୍ୱାର୍ଟର ଫାଇନାଲରେ ପହଞ୍ଚତ୍ଛନ୍ତି। ସୌରଭ ଓ ଜାପାନର ୟୁ ଇଗାରାଶିଙ୍କ ମଧ୍ୟରେ ୩ୟ ରାଉଣ୍ଡ ମ୍ୟାଚ୍‌ ଅନୁଷ୍ଠିତ ହେବ। ତେବେ ଶୁଭଙ୍କର ଦେ’ଙ୍କୁ ନିରାଶ ହେବାକୁ ପଡ଼ିଥିଲା। ସେ ୧୧-୨୧, ୧୭-୨୧ ସିଧାସଳଖ ଗେମ୍‌ରେ ମାଲେସିଆର ଜିଆ ଓ୍ବି ତାନ୍‌ଙ୍କୁ ନିକଟରୁ ପରାସ୍ତ ହୋଇ ପ୍ରତିଯୋଗିତାରୁ ବିଦାୟ ନେଇଛନ୍ତି। ପୁରୁଷ ଡବଲ୍ସରେ ଅରୁଣ ଜର୍ଜ ଓ ସନ୍ୟମ ଶୁକ୍ଳା ଯୋଡ଼ି ହାରିଯିବା ଫଳରେ ଏହି ଇଭେଣ୍ଟରେ ମଧ୍ୟ ଭାରତର ଅଭିଯାନ ଶେଷ ହୋଇଛି।

Share